କଙ୍ଗନାଙ୍କ କାରକୁ ଘେରିଲେ ଚାଷୀ, କୃଷକ ଆନ୍ଦୋଳନ ବିରୋଧରେ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଦାବି କଲେ | News Room Odisha

କଙ୍ଗନାଙ୍କ କାରକୁ ଘେରିଲେ ଚାଷୀ, କୃଷକ ଆନ୍ଦୋଳନ ବିରୋଧରେ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଦାବି କଲେ

ଚଣ୍ଡିଗଡ଼: ପଞ୍ଜାବର କୀରତପୁରରେ ଶୁକ୍ରବାର ଆନ୍ଦୋଳନରତ କୃଷକମାନେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ କାରକୁ ଅଟକାଇଛନ୍ତି। ଚାଷୀଙ୍କ ଆନ୍ଦୋଳନକୁ ନେଇ କଙ୍ଗନା କ୍ରମାଗତ ଭାବେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ସେ ଚାଷୀଙ୍କୁ ଆତଙ୍କବାଦୀ ବୋଲି ଅଭିହିତ କରିଛନ୍ତି ।

ସୂଚନା ମୁତାବକ କଙ୍ଗନା ତାଙ୍କ ସୁରକ୍ଷା କର୍ମଚାରୀଙ୍କ ସହ କାରରେ ଯାଉଥିବାବେଳେ କୀରତପୁରରେ ବିକ୍ଷୋଭକାରୀ ଚାଷୀ ତାଙ୍କ କାରକୁ ଅଟକାଇଥିଲେ। କୃଷକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ କଙ୍ଗନା କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି । କୃଷକ, ବିଶେଷକରି ଶିଖ ସମ୍ପ୍ରଦାୟ ବିରୋଧରେ ସୋସିଆଲ ମିଡିଆରେ ଦେଇଥିବା ମନ୍ତବ୍ୟ ପାଇଁ କଙ୍ଗନା ନିକଟରେ ସମାଲୋଚନାର ପାତ୍ର ହୋଇଥିଲେ।

ଇନଷ୍ଟାଗ୍ରାମରେ ଶିଖ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀ ଶିଖ ଗୁରୁଦ୍ୱାର କମିଟି କଙ୍ଗନାଙ୍କ ବିରୋଧରେ ପୋଲିସ ଅଭିଯୋଗ ମଧ୍ୟ ରୁଜୁ କରିଥିଲା। ଏଥିରେ କୁହାଯାଇଥିଲା ଯେ, କଙ୍ଗନା ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କୃଷକ ଆନ୍ଦୋଳନକୁ “ଖାଲିସ୍ତାନୀ ଆନ୍ଦୋଳନ” ବୋଲି କହିଥିଲେ । ଏହି ଅଭିନେତ୍ରୀ ଶିଖ୍ ସମ୍ପ୍ରଦାୟ ବିରୁଦ୍ଧରେ ‘ଆପତ୍ତିଜନକ ଏବଂ ଅପମାନଜନକ’ ଭାଷା ବ୍ୟବହାର କରିଥିଲେ।