କଂଗ୍ରେସରେ ଯୋଗ ଦେଇପାରନ୍ତି କହ୍ନେୟା କୁମାର

ନୂଆଦିଲ୍ଲୀ: ନିର୍ବାଚନ ​​ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ଚାଲିଥିବା ଆଲୋଚନା ମଧ୍ୟରେ କହ୍ନେୟା କୁମାରଙ୍କ ବିଷୟରେ ଚର୍ଚ୍ଚା ଜୋର୍ ଧରିଛି। ଯଦି ସୂତ୍ରକୁ ବିଶ୍ବାସ କରାଯାଏ, ତେବେ କହ୍ନେୟା କୁମାର ଦୁଇ ଜଣ କଂଗ୍ରେସ ନେତାଙ୍କ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଛନ୍ତି। ସୂଚନାନୁସାରେ, କହ୍ନେୟା ସିପିଆଇର ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଅଛନ୍ତି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କହ୍ନେୟା କୁମାର କଂଗ୍ରେସ ଦଳରେ ଯୋଗ ଦେଇପାରନ୍ତି। ଗତ ଲୋକସଭା ନିର୍ବାଚନରେ ​​କହ୍ନେୟା କୁମାର ବିହାରର ବେଗୁସରାଇ ଆସନରୁ ଗିରିରାଜ ସିଂଙ୍କ ବିରୋଧରେ ସିପିଆଇ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ହାରିଯାଇଥିଲେ। ନିର୍ବାଚନରେ କ୍ରମାଗତ ଖରାପ ପ୍ରଦର୍ଶନ ନେଇ କହ୍ନେୟା ସିପିଆଇ ନେତୃବର୍ଗଙ୍କ ଉପରେ ଖୁସି ନଥିବା ଜଣାପଡ଼ିଛି ।

ନିର୍ବାଚନରେ କ୍ରମାଗତ ଖରାପ ପ୍ରଦର୍ଶନ ନେଇ ସିପିଆଇ ଭିତରେ ବୟାନବାଜି ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ କେରଳରେ ମହିଳା ସୁରକ୍ଷାକୁ ନେଇ ଆନି ରାଜାଙ୍କ ମନ୍ତବ୍ୟକୁ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା ସମର୍ଥନ କରିବା ପରେ ଦଳରେ ବିବାଦ ସୃଷ୍ଟି ହୋଇଥିଲା। ଦଳର ନେତା ରାଜେନ୍ଦ୍ରନ୍ କହିଥିଲେ ଯେ ମୁଁ ରାଜାଙ୍କ ମନ୍ତବ୍ୟରେ ସହମତ ନୁହଁ। ସେ ଦଳର ସାଧାରଣ ସମ୍ପାଦକ କିନ୍ତୁ ସେ ପାର୍ଟି ବିଚାରଧାରା ଅନୁସରଣ କରିବା ଉଚିତ୍। ସେ କହିଛନ୍ତି ଯେ ରାଜା କିଛି ସମୟ ପାଇଁ ଦଳର ମୁଖ୍ୟ ବୋଲି ଭୁଲି ଯାଇଥିଲେ ।

Comments are closed.