କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ଇସ୍ତଫା | News Room Odisha

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଇସ୍ତଫା ଦେଇଛନ୍ତି । ଆଜି ସନ୍ଧ୍ୟାରେ ରାଜ ଭବନରେ ରାଜ୍ୟପାଳଙ୍କୁ ଭେଟି ବୋମ୍ମାଇ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ସେପଟେ ଜବରଦସ୍ତ ବିଜୟ ପରେ କଂଗ୍ରେସ ରବିବାର ଅପରାହ୍ନ ୫:୩୦ଟାରେ ନିଜ ନବ‌ ନିର୍ବାଚିତ ବିଧାୟକଙ୍କ ବୈଠକ ଡାକିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ ହୋଇପାରେ । ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରମୈୟା ମୁଖ୍ୟ ଦାବିଦାର ଭାବେ ଉଭା ହୋଇଛନ୍ତି । ଏହାଛଡ଼ା ତିନିଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିବା ସମ୍ଭାବନା ରହିଛି। ଏମାନଙ୍କ ମଧ୍ୟରୁ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

କର୍ଣ୍ଣାଟକର ସମସ୍ତ ୨୨୪ଟି ଆସନର ଚିତ୍ର ସ୍ପଷ୍ଟ ହୋଇସାରିଛି । କଂଗ୍ରେସ ୧୩୧ଟି ଆସନ ଜିତିଥିବା ବେଳେ ୬ଟି ଆସନରେ ଆଗୁଆ ରହିଛି । ବିଜେପି ୬୨ଟି ଏବଂ ଜେଡିଏସରେ ୨୧ଟି ଆସନ ପାଇଛନ୍ତି । ଅନ୍ୟ ୪ଟି ଆସନ ସ୍ୱାଧୀନ ପ୍ରାର୍ଥୀଙ୍କୁ ଯାଇଛି ।