ମେଡ଼ିସିନ୍ ପାଇଁ କାଟାଲିନ୍ କାରିକୋ ଓ ଡ୍ରୁ ୱିସମ୍ୟାନଙ୍କୁ ନୋବେଲ ପୁରସ୍କାର | News Room Odisha

ମେଡ଼ିସିନ୍ ପାଇଁ କାଟାଲିନ୍ କାରିକୋ ଓ ଡ୍ରୁ ୱିସମ୍ୟାନଙ୍କୁ ନୋବେଲ ପୁରସ୍କାର

ସ୍ଵିଡେନ : ଏହି ବର୍ଷ ବିଭିନ୍ନ କ୍ଷେତ୍ରରେ ନୋବଲ ପୁରସ୍କାର ପାଇବାକୁ ଥିବା ବିଜେତାଙ୍କ ନାମ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ଫିଜିଓଲୋଜି ବା ମେଡିସିନ୍ ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛି ପୁରସ୍କାର କମିଟି। ଏଥର ମେଡ଼ିସିନ୍ ପାଇଁ କାଟାଲିନ୍ କାରିକୋ ଏବଂ ଡ୍ରୁ ୱିସମ୍ୟାନଙ୍କୁ ନୋବେଲ ପୁରସ୍କାର ପାଇବେ | ନ୍ୟୁକ୍ଲିଓସାଇଡ୍ ବେସ୍ ପରିବର୍ତ୍ତନ ସହ ଜଡିତ ଆବିଷ୍କାର ପାଇଁ ଉଭୟଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ | କାରିକୋ ଓ ୱିସମ୍ୟାନଙ୍କ ଏହି ଆବିଷ୍କାର କୋଭିଡ୍-୧୯ ବିରୋଧରେ ପ୍ରଭାବୀ mRNA ଟିକା ବିକାଶିତ କରିବାରେ ସହାୟକ ହୋଇଥିଲା।

କାଟାଲିନ୍ କାରିକୋ ୧୯୫୫ ମସିହାରେ ହଙ୍ଗେରୀର ସଜୋଲନୋକରେ ଜନ୍ମଗ୍ରହଣ କରିଥିଲେ | ସେ ସେଗେଡ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ପେରେଲମ୍ୟାନ୍ ସ୍କୁଲ୍ ଅଫ୍ ମେଡିସିନରେ ସହକାରୀ ପ୍ରଫେସର ଅଛନ୍ତି । ଅନ୍ୟପକ୍ଷରେ ଡ୍ରୁ ୱିସମାନ, ଭ୍ୟାକ୍ସିନ୍ ରିସର୍ଚ୍ଚରେ ରବର୍ଟସ ଫ୍ୟାମିଲି ପ୍ରଫେସର ଓ ଆରଏନଏ ଇନୋଭେସନ୍ ପାଇଁ ପେନ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।

୧୯୦୧ ପରଠାରୁ ଫିଜିଓଲୋଜି ଅବା ମେଡ଼ିସିନରେ ୧୧୩ ଜଣଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ହେଉଛନ୍ତି ମହିଳା । ଆଜି ପର୍ଯ୍ୟନ୍ତ ସର୍ବକନିଷ୍ଠ ମେଡିସିନ୍ ପୁରସ୍କାର ବିଜେତା ହେଉଛନ୍ତି ଫ୍ରେଡେରିକ୍ ଜି ବାଣ୍ଟିଂ । ୩୨ ବର୍ଷ ବୟସରେ ଇନସୁଲିନ୍ ଆବିଷ୍କାର ପାଇଁ ୧୯୨୩ରେ ତାଙ୍କୁ ନୋବେଲ ପୁରସ୍କାର ଦିଆଯାଇଥିଲା ।