ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଇସ୍ତଫା

ହାଇଦ୍ରାବାଦ: ବିଧାନସଭା ନିର୍ବାଚନରେ ନିଜ ଦଳର ପରାଜୟ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ରାଜ୍ୟପାଳ ତାମିଲାଇସାଇ ସୌନ୍ଦରରାଜନଙ୍କ ନିକଟକୁ ନିଜ ଇସ୍ତଫା ପଠାଇ ଦେଇଛନ୍ତି। ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ର କାର୍ଯ୍ୟକାରୀ ସଭାପତି କେ.ଟି.ରାମା ରାଓ ରବିବାର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଫଳାଫଳ ତାଙ୍କ ଦଳର ଆଶାନୁରୂପ ନୁହେଁ, କିନ୍ତୁ କ୍ରମାଗତ ଦୁଇ ଥର ସେବା କରିବାର ସୁଯୋଗ ଦେଇଥିବାରୁ ବିଆରଏସ୍ ଜନତାଙ୍କୁ କୃତଜ୍ଞତା ଜଣାଉଛି।

ରାମା ରାଓ ଏଠାରେ ଗଣମାଧ୍ୟମକୁ କହିଛନ୍ତି, “ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁଯାୟୀ ଆମର ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ନିକଟକୁ ପଠାଇ ସାରିଛନ୍ତି। ମୁଁ ଭାବୁଛି ଧାର୍ଯ୍ୟ ପ୍ରକ୍ରିୟା ପାଳନ କରାଯିବ”।

କେଆରସିଙ୍କ ନେତୃତ୍ୱରେ ତେଲେଙ୍ଗାନାର ଲୋକଙ୍କ ଉନ୍ନତି ପାଇଁ ବିଆରଏସ୍ ଉଦ୍ୟମ ଜାରି ରଖିବ ବୋଲି ସେ କହିଛନ୍ତି।

ବିଜୟ ପାଇଁ କଂଗ୍ରେସକୁ ଅଭିନନ୍ଦନ ଜଣାଇ ଏହି ବିଆରଏସ ନେତା କହିଛନ୍ତି, ତାଙ୍କ ଦଳ ନୂଆ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇବ। ସେ କହିଛନ୍ତି ଯେ ବିଆରଏସ ଗଠନମୂଳକ ବିରୋଧୀର ଭୂମିକା ତୁଲାଇବ।

ତେଲେଙ୍ଗାନାର ୧୧୯ ଆସନ ମଧ୍ୟରୁ ସଦ୍ୟତମ ସୂଚନା ମୁତାବକ କଂଗ୍ରେସ ୬୬ ଆସନରେ ଆଗୁଆ ରହି ରାଜ୍ୟରେ ସରକାର ଗଢ଼ିବା ଦିଗରେ ଅଗ୍ରସର ହେଉଛି। ବିଆରଏସ୍ ୩୮ ଆସନରେ ଅଗ୍ରଣୀ ରହିଥିବା ବେଳେ ବିଜେପି ଓ ଏଆଇଏମ୍ଏମ ୭ଟି ଲେଖାଏଁ ଆସନରେ ଆଗୁଆ ରହିଛନ୍ତି।

Comments are closed.