ତେଲେଙ୍ଗାନା: ଏଥର ବି ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ଵାଗତ କରିବେନି କେସିଆର୍

ହାଇଦ୍ରାବାଦ: ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ତେଲେଙ୍ଗାନାରେ ଶାସକ ଟିଆରଏସ ଏବଂ ବିରୋଧୀ ବିଜେପି ମଧ୍ୟରେ ରାଜନୀତି ଏବେ ଚରମରେ ପହଞ୍ଚିଛି । ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହାଇଦ୍ରାବାଦ ଆସିବେ । ଅନ୍ୟପକ୍ଷରେ ବିରୋଧୀ ଦଳର ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ମଧ୍ୟ ଆଜି ହାଇଦ୍ରାବାଦ ଆସୁଛନ୍ତି । ହେଲେ ଏଥର ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଯିବେ ନାହିଁ । ମୋଦୀଙ୍କୁ ସ୍ୱାଗତ କରିବାକୁ କେସିଆର୍ ସରକାରର କେବଳ ଜଣେ ମନ୍ତ୍ରୀ ଯିବେ । ଅନ୍ୟପକ୍ଷରେ ସିହ୍ନାଙ୍କୁ ପାଛୋଟି ନେବା ପାଇଁ ନିଜେ କେସିଆରଙ୍କ ସମେତ ସମଗ୍ର କ୍ୟାବିନେଟ ବେଗମପେଟ୍ ବିମାନବନ୍ଦରକୁ ଯିବେ।

ପିଏମ ମୋଦୀ ଆସିବାର କିଛି ଘଣ୍ଟା ପୂର୍ବରୁ ସିହ୍ନା ବେଗମପେଟ୍ ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ରାଜ୍ୟ ସରକାର ସ୍ୱାଗତ କରିବେ। ଏହି ଅବସରରେ ନିଜେ ସିଏମ କେସିଆର ଏବଂ ତାଙ୍କର ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିବାକୁ ରାଜ୍ୟ ସରକାରଙ୍କ କେବଳ ଜଣେ ମନ୍ତ୍ରୀ ବିମାନବନ୍ଦରକୁ ଯିବେ। ସାଧାରଣତଃ, ଯେତେବେଳେ ପ୍ରଧାନମନ୍ତ୍ରୀ ରାଜ୍ୟର ରାଜଧାନୀରେ ପହଞ୍ଚନ୍ତି, ପ୍ରୋଟୋକଲ ଅନୁସାରେ ରାଜ୍ୟପାଳଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀମାନେ ମଧ୍ୟ ତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରକୁ ଯାଆନ୍ତି। ତେବେ କେସିଆର୍ ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ରାଜ୍ୟରେ ସ୍ବାଗତ କରିବାରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗତ ଛଅ ମାସ ମଧ୍ୟରେ ଏହା ତୃତୀୟ ଥର ହେବ ଯେତେବେଳେ ପିଏମ୍ ମୋଦୀଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେସିଆର୍ ପ୍ରୋଟୋକଲ ପାଳନ କରିବେ ନାହିଁ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡିଆନ ସ୍କୁଲ ଅଫ୍ ବିଜିନେସର ୨୦ ତମ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତେଲେଙ୍ଗାନା ଗସ୍ତ ସମୟରେ କେସିଆର ବେଙ୍ଗାଲୁରୁ ପଳାଇଥିଲେ । ସେହିପରି ଫେବୃଆରୀରେ ମୋଦୀଙ୍କ ହାଇଦ୍ରାବାଦ ଗସ୍ତ ସମୟରେ ମଧ୍ୟ କେସିଆର ତାଙ୍କୁ ସ୍ବାଗତ କରିବାକୁ ପହଞ୍ଚି ନଥିଲେ।

ରାଷ୍ଟ୍ରପତି ନିର୍ବାଚନରେ କେସିଆର୍ ବିରୋଧୀ ପ୍ରାର୍ଥୀ ସିହ୍ନାଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ସିହ୍ନାଙ୍କୁ ସାଧାରଣ ବିରୋଧୀ ପ୍ରାର୍ଥୀ କରିବାରେ ତେଲେଙ୍ଗାନା ସିଏମ୍ ତଥା ଟିଆରଏସ ମୁଖ୍ୟ କେସିଆର୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସିହ୍ନାଙ୍କ ​​ପ୍ରତିଦ୍ବନ୍ଦ୍ବିତା ଶାସକ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ହେବ। ବିଜେଡ଼ି ସହ ଓ୍ବାଇଏସ୍ଆର୍ କଂଗ୍ରେସ, ବିଏସପି ଓ ଅକାଳୀ ଦଳ ଏନଡିଏ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି ।

Comments are closed.