ଭାରତର ବିସ୍ମୃତ ଅଲିମ୍ପିକ ନାୟକ 

ଲେଖକ : ବିଜନ କୁମାର ମହାପାତ୍ର

ଅଲିମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ଯଦି ଦେଖିବା, ତାହା ହେଲେ ହକିରୁ ହିଁ ଆସିଛି ଅଧିକ ପଦକ । ହକି ପରେ କୁସ୍ତିରୁ ଆସିଛି ଅଧିକ ପଦକ । ଦେଶ ସ୍ୱାଧୀନ ହେଲା ପରେ ମଧ୍ୟ ହକି ଦଳ ଥିଲା ଅଲିମ୍ପିକ୍ସରେ ଭାରତର ପଦକ ଆଶା । ଅଲିମ୍ପିକ୍ସରେ ବ୍ୟକ୍ତିଗତ ପଦକ ପାଇଁ ଭାରତକୁ ୧୯୫୨ ହେଲସିଙ୍କି ଅଲିମ୍ପିକ୍ସ ଯାଏଁ ଅପେକ୍ଷା କରିବାକୁ ପଡିଲା । ସେହି ଅଲିମ୍ପିକ୍ସରେ ହକି ସ୍ୱର୍ଣ୍ଣ ସହ କୁସ୍ତିରେ ଗୋଟିଏ ବ୍ରୋଞ୍ଜ ପଦକ ବି ହାସଲ କରିଥିଲା ଭାରତ । ସେହି ବ୍ରୋଞ୍ଜ ପଦକ ବିଜେତା ଥିଲେ କସଭା ଦାଦାସାହେବ ଯାଦବ । ସଂକ୍ଷେପରେ କେ.ଡି ଯାଦବ । ଅଲିମ୍ପିକ୍ସରେ ସ୍ୱାଧୀନ ଭାରତର ପ୍ରଥମ ବ୍ୟକ୍ତିଗତ ପଦକ ବିଜେତା । ଦୁଃଖର କଥା ଯେ, ଯାଦବଙ୍କ ଐତିହାସିକ ଅଲିମ୍ପିକ୍ସ ସଫଳତା ନେଇ ଭାରତୀୟ କ୍ରୀଡା ମହଲରେ କ୍ୱଚିତ ଆଲୋଚନା ହୁଏ ।

ମହାରାଷ୍ଟ୍ରର ଏକ ଅଖ୍ୟାତ ପଲ୍ଲୀରୁ ଅଲିମ୍ପିକ୍ ପୋଡିୟମ । କୁସ୍ତିପ୍ରିୟ କେ.ଡି ଯାଦବଙ୍କ ପାଇଁ ଏହି ଯାତ୍ରା କମ୍ ଆହ୍ୱାନମୂଳକ ନ ଥିଲା । ପ୍ରୋତ୍ସାହନର ଅଭାବ, ପ୍ରିୟାପ୍ରୀତି ତୋଷଣ, ଅର୍ଥାଭାବ ଭଳି ପ୍ରତିକୂଳ ପରିସ୍ଥିତିର ସାମନା କରିଥିଲେ ଯାଦବ । ଏକ କୁସ୍ତିଯୋଦ୍ଧାର ଚେହେରା ନ ଥିବାରୁ ଟାହିଟାପରା ଶୁଣିବା ସହ ଉପହସିତ ହୋଇଥିଲେ । କିନ୍ତୁ ସଂଘର୍ଷ, ଆତ୍ମବିଶ୍ୱାସ ବଳରେ ସବୁ ବାଧାବିଘ୍ନ ଅତିକ୍ରମ କରିଥିଲେ ଯାଦବ ।

ମହାରାଷ୍ଟ୍ର ( ତତ୍କାଳୀନ ବମ୍ବେ ପ୍ରେସିଡେନସୀ )ର ସତାରା ଜିଲ୍ଲା ଗୋଲେଶ୍ୱର ଗାଁରେ ୧୯୨୬ ମସିହା ଜାନୁଆରୀ ୧୫ ତାରିଖରେ ଜନ୍ମ ହୋଇଥିଲେ ଯାଦବ । ବାପା ଦାଦାସାହେବ ଥିଲେ ଜଣେ କୁସ୍ତିଯୋଦ୍ଧା । କୁସ୍ତି ପ୍ରତି ପିଲାଦିନରୁ ହିଁ ଆକର୍ଷିତ ହୋଇଥିଲେ ଯାଦବ । ବାପା ଦାଦାସାହେବ ଥିଲେ ତାଙ୍କର ପ୍ରଥମ କୋଚ୍ ।

ଜଣେ କୁସ୍ତିଯୋଦ୍ଧାଙ୍କ ଶରୀର ଯେପରି ହେବା କଥା, ତାହା ଯାଦବଙ୍କଠାରେ ନ ଥିଲା । ତେଣୁ ସେ କୁସ୍ତିରେ ସଫଳ ହେବା ନେଇ ଅନେକଙ୍କ ସନ୍ଦେହ ରହିଥିଲା । କିନ୍ତୁ ସମସ୍ତଙ୍କୁ ଭୁଲ୍ ସାବ୍ୟସ୍ତ କରିଥିଲେ ଯାଦବ । ସ୍ଥାନୀୟ କୁସ୍ତି ପ୍ରତିଯୋଗିତାରେ ଭାଗ ନେଇ ତାଙ୍କଠାରୁ ବଳିଷ୍ଠ କୁସ୍ତିଯୋଦ୍ଧାଙ୍କୁ ମାତ୍ ଦେଇ ନିଜ ପ୍ରତିଭାର ପରିଚୟ ଦେଇଥିଲେ ଯାଦବ ।

୧୯୪୮ ମସିହାରେ କୋହ୍ଲାପୁରର ରାଜାରାମ କଲେଜରେ ପଢୁଥିବା ବେଳେ ଯାଦବଙ୍କୁ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୁସ୍ତି ଇଭେଂଟରେ ଭାଗ ନେବା ପାଇଁ ଅନୁମତି ମିଳି ନ ଥିଲା । କ୍ଷୁଦ୍ରକାୟ ଦୁର୍ବଳ ଶରୀରକୁ ଦେଖି ଯାଦବଙ୍କୁ ଅନୁମତି ଦେଇ ନ ଥିଲେ କ୍ରୀଡା ଶିକ୍ଷକ । ଶେଷରେ କଲେଜ ଅଧ୍ୟକ୍ଷଙ୍କଠାରୁ ବହୁକଷ୍ଟରେ ଅନୁମତି ଆଣି ପ୍ରତିଯୋଗିତାରେ ଭାଗ ନେଇଥିଲେ ୨୩ ବର୍ଷିୟ ଯାଦବ । ଶକ୍ତିଶାଳୀ ପ୍ରତିଯୋଗୀଙ୍କୁ ମାତ୍ ଦେଇଥିଲେ । ପଢିବା ବେଳେ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସେ ଭାଗ ନେଉଥିଲେ ।

ଜାତୀୟସ୍ତରୀୟ ପ୍ରତିଯୋଗିତାଗୁଡିକରେ ନିଜର ସଫଳ ପ୍ରଦର୍ଶନ ଯୋଗୁଁ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ସୁଯୋଗ ଆସିଥିଲା । ୧୯୪୮ ମସିହା ଲଣ୍ଡନ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଯାଦବଙ୍କୁ ଡକରା ଆସିଥିଲା । କିନ୍ତୁ ଅର୍ଥ ଥିଲା ପ୍ରତିବନ୍ଧକ । ଯାଦବଙ୍କ ଖର୍ଚ୍ଚ ବହନ କରିଥିଲେ କୋହ୍ଲାପୁରର ମହାରାଜା ସାହାଜୀ ଦ୍ୱିତୀୟ । ଲଣ୍ଡନ ଯାଇ ପ୍ରସିଦ୍ଧ ଇଂଲିଶ କୋଚ୍ ରିସ୍ ଗାର୍ଡନରଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ ଯାଦବ । ଯାଦବଙ୍କ ପ୍ରତିଭାରେ ବେଶ୍ ପ୍ରଭାବିତ ହୋଇଥିଲେ ରିସ୍ ।

ଭାରତର ମାଟି କୁସ୍ତି ଆଖଡାରେ ଯାଦବଙ୍କ ଖେଳିବାର ଅଭିଜ୍ଞତା ରହିଥିଲା । ହେଲେ ଲଣ୍ଡନ ଅଲିମ୍ପିକ୍ସରେ ସେ ପ୍ରଥମ ଥର ପାଇଁ ମ୍ୟାଟ୍‌ରେ ପ୍ରତିଦ୍ୱନ୍ଦୀଙ୍କ ସାମନା କରିଥିଲେ । ନିଜର ପ୍ରଥମ ଅଲିମ୍ପିକ୍ସରେ ହିଁ ଛାପ ଛାଡିଥିଲେ ଯାଦବ । ପଦକରୁ ବଂଚିତ ହୋଇଥିଲେ ମଧ୍ୟ ଫ୍ରିଷ୍ଟାଇଲ୍ ଫ୍ଲାଇୱେଟ୍ ବର୍ଗରେ ଷଷ୍ଠ ସ୍ଥାନ ହାସଲ କରିବା ଥିଲା ତାଙ୍କ ପରି ନବାଗତଙ୍କ ପାଇଁ ବଡ ସଫଳତା ।

ଲଣ୍ଡନରୁ ଫେରିଲା ପରେ ପରବର୍ତ୍ତୀ ଅଲିମ୍ପିକ୍ସରେ ନିଜ ପ୍ରଦର୍ଶନରେ ଉନ୍ନତି ପାଇଁ ଦୃଢ ପ୍ରତିଜ୍ଞ ହୋଇଥିଲେ ଯାଦବ । ୧୯୫୨ ହେଲସିଙ୍କି ଅଲିମ୍ପିକ୍ସ ବେଳକୁ ଯାଦବ ଥିଲେ ଦେଶର ଅଗ୍ରଣୀ କୁସ୍ତିଯୋଦ୍ଧା । ତଥାପି ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ତାଙ୍କୁ ବେଶ୍ ସଂଘର୍ଷ କରିବାକୁ ପଡିଥିଲା । ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ନିରଞ୍ଜନ ଦାସ ନାମକ ଜଣେ କୁସ୍ତିଯୋଦ୍ଧାଙ୍କ ସହ ତାଙ୍କୁ ଲଢିବାକୁ ପଡିଥିଲା । ୬ ଫୁଟ ଉଚ୍ଚ ନିରଞ୍ଜନଙ୍କୁ ଖୁବ୍ ସହଜରେ ମାତ୍ ଦେଇଥିଲେ ଯାଦବ । ନିଜର ପରାଜୟକୁ ସହଜରେ ଗ୍ରହଣ କରି ନପାରି ନିରଞ୍ଜନ, ଯାଦବଙ୍କ ସହ ଆଉ ଥରେ ଲଢିବାକୁ ପ୍ରସ୍ତାବ ଦେଇଥିଲେ । ଦ୍ୱିତୀୟ ଥର ବି ସହଜରେ ଜିତିଥିଲେ ଯାଦବ । ଏହା ସତ୍ତ୍ୱେ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ଯାଦବଙ୍କୁ ସାମିଲ କରାଗଲା ନାହିଁ ।

ଏଥର ମଧ୍ୟ ଜଣେ ମହାରାଜା ଯାଦବଙ୍କ ସହାୟତା କରିଥିଲେ । ସେତେବେଳେ ଦେଶରେ କ୍ରୀଡାର ପୃଷ୍ଠପୋଷକ ଭାବେ ପରିଚିତ ପଟିଆଲା ମହାରାଜା, ଯାଦବଙ୍କ ଅନୁରୋଧ ରଖି ନିରଞ୍ଜନ ଦାସଙ୍କ ସହ ଆଉ ଏକ କୁସ୍ତି ଲଢେଇ ଅୟୋଜନ କରିଥିଲେ । ଏଥର ବି ସେହି ଏକା ପରିଣାମ । ନିରଞ୍ଜନଙ୍କୁ ହରାଇ ହେଲସିଙ୍କି ଅଲିମ୍ପିକ୍ସ ପାଇଁ ଭାରତୀୟ କୁସ୍ତି ଦଳରେ ସ୍ଥାନ ପାଇଲେ ଯାଦବ ।

ସେତେବେଳେ କେବଳ ଅଲିମ୍ପିକ୍ସ ଯୋଗ୍ୟତା ଯଥେଷ୍ଟ ନ ଥିଲା । ସରକାରୀ ସହାୟତା ଯଥେଷ୍ଟ ନ ଥିବାରୁ ପ୍ରତିଯୋଗୀଙ୍କୁ କିଛି ଖର୍ଚ୍ଚ ନିଜେ ବହନ କରିବାକୁ ପଡୁଥିଲା । ହେଲସିଙ୍କି ପାଇଁ ଯାଦବଙ୍କ ପାଖରେ ଅର୍ଥର ଅଭାବ ଥିଲା । ଉଦଘାଟନୀ ଉତ୍ସବ ପାଇଁ ଯାଦବଙ୍କୁ ବ୍ଲେଜର୍ ପିନ୍ଧିବା ଦରକାର ହେଉଥିଲା । କିନ୍ତୁ ବ୍ଲେଜର୍ କଥା ଛାଡନ୍ତୁ, ଯାଦବଙ୍କ ପାଖରେ ହଳେ ସକ୍ସ ବି ନଥିଲା ।

ଆର୍ଥିକ ଦୁଃସ୍ଥିତି କିନ୍ତୁ ଯାଦବଙ୍କୁ ରୋକି ପାରି ନ ଥିଲା । ନିଜ ଗାଁ ଗୋଲେଶ୍ୱରର ପ୍ରତି ପରିବାର ତାଙ୍କୁ ସହାୟତାର ହାତ ବଢାଇଲେ । ତାଙ୍କ କଲେଜ ଅଧ୍ୟକ୍ଷ ନିଜ ଘର ବନ୍ଧକ ରଖି ଯାଦବଙ୍କ ପାଇଁ ୭ ହଜାର ଟଙ୍କା ଯୋଗାଡ କରିଥିଲେ । କୋଚ୍ ଗୋବିନ୍ଦ ପୁରନ୍ଦରେ ୩ ହଜାର ଟଙ୍କା ଋଣ ନେଇଥିଲେ । ସମସ୍ତଙ୍କ ସଦିଚ୍ଛା ନେଇ ହେଲସିଙ୍କି ଯାତ୍ରା କରିଥିଲେ ଯାଦବ ।

ହେଲସିଙ୍କି ଅଲିମ୍ପିକ୍ସରେ ପଦକ ହାସଲ କରିବାକୁ ଦୃଢ ପ୍ରତିଜ୍ଞ ଥିଲେ ପକେଟ ଡାଇନାମୋ । ବଂଟମୱେଟ୍ ବର୍ଗରେ ପ୍ରତିଦ୍ୱନ୍ଦିତା କରିଥିଲେ ଯାଦବ । ସେତେବେଳେ ଫାଇନାଲ ରାଉଣ୍ଡକୁ ଯୋଗ୍ୟତା ହାସଲ କରିବାକୁ ପ୍ରତିଯୋଗୀଙ୍କୁ ଲଗାତର ଦୁଇ ତିନିଟି କୁସ୍ତି ଲଢିବାକୁ ପଡୁଥିଲା । ଯୋଗ୍ୟତା ପର୍ଯ୍ୟାୟରେ କାନାଡା, ମେକ୍ସିକୋ ଓ ଜର୍ମାନୀର ପ୍ରତିଯୋଗୀଙ୍କୁ ସହଜରେ ମାତ୍ ଦେଇଥିଲେ ଯାଦବ ।

ପଦକ ପାଇଁ ସୋଭିଏତ ସଂଘର ଶକ୍ତିଶାଳୀ କୁସ୍ତି ଯୋଦ୍ଧା ରସିଦ ମାମୁଦବେୟଭଙ୍କ ସହ ତାଙ୍କର ମୁକାବିଲା ହୋଇଥିଲା । ନିୟମ ଥିଲା ଯେ, ଜଣେ କୁସ୍ତିଯୋଦ୍ଧା ନିଜର ଶେଷ ଲଢେଇରେ ୩୦ ମିନିଟ ପରେ ହିଁ ଆଉ ଏକ ମ୍ୟାଚ ଖେଳିବ । କିନ୍ତୁ ପ୍ରତିଯୋଗିତା ସ୍ଥଳରେ କୌଣସି ଭାରତୀୟ ଅଧିକାରୀ ଉପସ୍ଥିତ ନ ଥିବାରୁ ଏ ନିୟମ ସଂପର୍କରେ ଜାଣି ପାରି ନ ଥିଲେ ଯାଦବ । କ୍ଲାନ୍ତ ଯାଦବ ସୋଭିଏତ ସଂଘର ପ୍ରତିଯୋଗୀଙ୍କ ବିପକ୍ଷରେ ଲଢି ପରାସ୍ତ ହୋଇଥିଲେ । ବ୍ରୋଞ୍ଜ ପଦକରେ ହିଁ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଥିଲା । ଯାଦବ ଓ ଭାରତ ପାଇଁ ଏହା ଥିଲା ଏକ ଐତିହାସିକ ଅଲିମ୍ପିକ ମୁହୂର୍ତ୍ତ । ଅଲିମ୍ପିକ୍ସରେ ସ୍ୱାଧୀନ ଭାରତର ପ୍ରଥମ ବ୍ୟକ୍ତିଗତ ପଦର ବିଜେତା ହୋଇ ଇତିହାସ ରଚିଲେ ‘ପକେଟ୍ ଡାଇନାମୋ’ ଯାଦବ । ଉଲ୍ଲସିତ ହେଲା ସାରାଦେଶ । ଭାରତୀୟ ହକି ଦଳ ହେଲସିଙ୍କି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ ମଧ୍ୟ ଯାଦବଙ୍କ ବ୍ରୋଞ୍ଜ ପଦକ ହିଁ ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା ।

ଆଣ୍ଠୁ ଆଘାତ ଯୋଗୁଁ ୧୯୫୬ ମେଲବୋର୍ଣ୍ଣ ଅଲିମ୍ପିକ୍ସରେ ଭାଗ ନେଇ ପାରି ନଥିଲେ ଯାଦବ । ୧୯୫୫ରେ ସେ ମହାରାଷ୍ଟ୍ର ପୋଲିସ ରେ ସବ୍ –ଇନସପେକ୍ଟର ଭାବେ ନିଯୁକ୍ତି ପାଇଥିଲେ । ୧୯୮୩ରେ ସେ ଆସିଷ୍ଟାଂଟ୍ ପୋଲିସ କମିଶନର ପଦରୁ ଇସ୍ତଫା ଦେଇଥିଲେ । ୧୯୮୪ ମସିହାରେ ଏକ ସଡକ ଦୁର୍ଘଟଣାରେ କେ.ଡି ଯାଦବଙ୍କ ମୃତ୍ୟୁ ହୋଇଥିଲା ।

ଯାଦବଙ୍କ ଐତିହାସିକ ଅଲିମ୍ପିକ୍ସ ସଫଳତା ସତ୍ତ୍ୱେ ତାଙ୍କୁ ଉପଯୁକ୍ତ ସମ୍ମାନ ଓ ସ୍ୱୀକୃତି ମିଳିନାହିଁ । ଯାହା ବି ମିଳିଛି, ଖୁବ୍ ବିଳମ୍ବରେ । କୌଣସି କେନ୍ଦ୍ର ସରକାର ତାଙ୍କୁ ପଦ୍ମ ସମ୍ମାନଟିଏ ଦେବାକୁ ବି ଉଚିତ ମଣି ନ ଥିଲେ । ଦୁଃଖର କଥା ଯେ, ଏହି ମହାନ କ୍ରୀଡାବିତଙ୍କୁ ୨୦୦୧ରେ ହିଁ ମରଣୋତ୍ତର ଭାବେ ଅର୍ଜୁନ ପୁରସ୍କାର ଦିଆଯାଇଥିଲା । ୨୦୧୦ରେ ହିଁ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ସ୍ପୋର୍ଟ୍‌ସ କଂପ୍ଲେକ୍ସର ରେସଲିଂ ଷ୍ଟାଡିୟମକୁ କେ.ଡି ଯାଦବଙ୍କ ନାମରେ ନାମିତ କରାଯାଇଥିଲା ।

ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର -୮, ମୋ -୯୭୦୩୬୯୦୮୪୭

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।       

 

Comments are closed.