ଆପକୁ ଧ୍ବଂସ କରିବା ପାଇଁ ବିଜେପି 'ଅପରେସନ ଝାଡ଼ୁ' ଆରମ୍ଭ କରିଛି: କେଜ୍ରିୱାଲ | News Room Odisha

ଆପକୁ ଧ୍ବଂସ କରିବା ପାଇଁ ବିଜେପି ‘ଅପରେସନ ଝାଡ଼ୁ’ ଆରମ୍ଭ କରିଛି: କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)କୁ ଧ୍ବଂସ କରିବା ପାଇଁ ବିଜେପି ‘ଅପରେସନ୍ ଝାଡ଼ୁ’ ଆରମ୍ଭ କରିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦାବି କରିଛନ୍ତି। ବିଜେପି ମୁଖ୍ୟାଳୟ ଆଡ଼କୁ ‘ଆପ୍’ ର ପ୍ରସ୍ତାବିତ ପଦଯାତ୍ରା ପୂର୍ବରୁ ଦଳର କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆଗକୁ ଆହୁରି ବଡ଼ ଚ୍ୟାଲେଞ୍ଜ ଆସିବ। ତାହାକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ସେ ଦଳୀୟ କର୍ମୀଙ୍କୁ ଆହ୍ବାନ କରିଛନ୍ତି।

କେଜ୍ରିୱାଲ କହିଛନ୍ତି, “ଆମ୍ ଆଦମୀ ପାର୍ଟିର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତିତ ଅଛନ୍ତି। ଦଳ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି | ଆମ ଦଳକୁ ଭାଙ୍ଗିବା ପାଇଁ ସେ ‘ଅପରେସନ ଝାଡ଼ୁ’ ଆରମ୍ଭ କରିଛନ୍ତି । ଆଗାମୀ ସମୟରେ ଆମ ବ୍ୟାଙ୍କ ଆକାଉଣ୍ଟ ଉପରେ କଟକଣା ଲଗାଯିବ। ଆମ କାର୍ଯ୍ୟାଳୟ ମଧ୍ୟ ଆମଠାରୁ ଛଡ଼ାଇ ନିଆଯିବ ଏବଂ ଆମକୁ ଫୁଟପାଥକୁ ଠେଲି ଦିଆଯିବ। ”

ସେ ଦଳର କର୍ମୀ ଏବଂ ନେତାମାନଙ୍କୁ କହିଛନ୍ତି, “ଆମ ସାମ୍ନାରେ ଆଗକୁ ବଡ଼ ଚ୍ୟାଲେଞ୍ଜ ଆସିବ। ତାହାର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ | ଗୋଟିଏ କଥା ମନେରଖନ୍ତୁ ଯେ ଅତୀତରେ ଆମକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା | ଆମ ଉପରେ ଭଗବାନ ହନୁମାନଙ୍କ ଆଶୀର୍ବାଦ ଅଛି ନଚେତ୍ ଆମେ ସେମାନଙ୍କଠାରୁ ରକ୍ଷା ପାଇ ପାରିନଥାନ୍ତୁ … ଆମକୁ ସତ୍ୟର ପଥରେ ଚାଲିବାକୁ ପଡ଼ିବ। ଆମେ ସମାଜ ପାଇଁ କାମ କରିବାକୁ ଚାହୁଁଛୁ। ”

ଅବକାରୀ ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନରେ ଆସିଥିବା କେଜ୍ରିୱାଲ ଶନିବାର କହିଥିଲେ ଯେ ସେ ଅନ୍ୟ ଆପ୍ ନେତାଙ୍କ ସହ ମେ ୧୯ରେ ବିଜେପି ମୁଖ୍ୟାଳୟକୁ ଯିବେ, ଯାହା ଦ୍ବାରା ପ୍ରଧାନମନ୍ତ୍ରୀ‌ ଆମ ମଧ୍ୟରୁ ଯାହାକୁ ଚାହିଁବେ ଜେଲକୁ ପଠାଇ ପାରିବେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜେଲ୍ ଭରୋ ଡ଼ାକରା ପରେ ଆପର ବହୁ ନେତା ଓ କର୍ମୀ ରବିବାର ବିଜେପି ମୁଖ୍ୟାଳୟ ଆଡକୁ ଯିବାବେଳେ ବାଟରେ ସେମାନଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।