କାଶ୍ମୀରୀ ପଣ୍ଡିତଙ୍କ ଉପରେ ରାଜନୀତି କରୁଛି ବିଜେପି : କେଜ୍ରିୱାଲ

ନୂଆଦିଲ୍ଲୀ: ଫିଲ୍ମ ‘କାଶ୍ମୀର ଫାଇଲ୍ସ’କୁ ନେଇ ବିବାଦ ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି।

କାଶ୍ମୀରୀ ପଣ୍ଡିତଙ୍କ ପଳାୟନ ପ୍ରସଙ୍ଗ ଉପରେ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି କେଜ୍ରିୱାଲ। ସେ କହିଛନ୍ତି ଯେ ଗତ ଆଠ ବର୍ଷ ମଧ୍ୟରେ କାଶ୍ମୀର ଉପତ୍ୟକାରେ କେତୋଟି କାଶ୍ମୀରୀ ପଣ୍ଡିତ ପରିବାରଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି ତାହା ବିଜେପି କହିବା ଉଚିତ୍।

କେଜ୍ରିୱାଲ କହିଛନ୍ତି ଯେ କାଶ୍ମୀର ଫାଇଲ ଫିଲ୍ମ ୟୁଟ୍ୟୁବରେ ଅପଲୋଡ୍ ହେବା ଉଚିତ। ଏଥିରୁ ଯାହା ଅର୍ଥ ଆଦାୟ ହେବ ତାହା କାଶ୍ମୀରୀ ପଣ୍ଡିତମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବା ଦରକାର |

ଗତ ଆଠ ବର୍ଷ ମଧ୍ୟରେ ଉପତ୍ୟକାରେ କାଶ୍ମୀରୀ ପଣ୍ଡିତଙ୍କ ଗୋଟିଏ ପରିବାରକୁ ମଧ୍ୟ ପୁନଃ ଅବସ୍ଥାପିତ କରିଛି କି ନାହିଁ ବିଜେପି ତାର ଜବାବ୍ ରଖିବା ଉଚିତ ବୋଲି କେଜ୍ରିୱାଲ କହିଛନ୍ତି।

ଦିଲ୍ଲୀ ସରକାରଙ୍କ ବଜେଟ୍ ଉପସ୍ଥାପିତ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବିଜେପି ଏହି ପ୍ରସଙ୍ଗରେ ରାଜନୀତି କରୁଛି। ଆମେ ଚାହୁଁ ଯେ ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’ ୟୁଟ୍ୟୁବରେ ଅପଲୋଡ୍ କରାଯାଉ ଏବଂ ଏଥିରୁ ଆୟ ଅର୍ଥ କାଶ୍ମୀର ପଣ୍ଡିତମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉ।

ଏହାପୂର୍ବରୁ ଗୁରୁବାର ଦିନ ସେ ଦିଲ୍ଲୀ ବିଧାନସଭା ଅଧିବେଶନରେ ‘କାଶ୍ମୀର ଫାଇଲ୍ସ’କୁ ଟିକସ ମୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଫିଲ୍ମର ନିର୍ମାତା ଏହାକୁ ୟୁଟ୍ୟୁବରେ ଅପଲୋଡ୍ କରିବା ଉଚିତ ଯାହା ଦ୍ଵାରା ସମସ୍ତେ ଏହାକୁ ମାଗଣାରେ ଦେଖିପାରିବେ।

ବିଜେପି ଶାସିତ ସବୁ ରାଜ୍ୟରେ ‘କାଶ୍ମୀର ଫାଇଲ୍ସ’କୁ ଟିକସମୁକ୍ତ କରାଯାଇଛି। ଏହି ଚଳଚ୍ଚିତ୍ରର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ କହିଥିଲେ ଯେ ଏଭଳି ଚଳଚ୍ଚିତ୍ର ଅନେକ ଥର ନିର୍ମିତ ହେବା ଉଚିତ। କିଛି ଦିନ ତଳେ ବିଜେପି ସଂସଦୀୟ ଦଳ ବୈଠକରେ ସେ କହିଥିଲେ ଯେ ଏହି ଫିଲ୍ମରେ ସତ୍ୟତା ଦର୍ଶାଯାଇଛି ଯାହା ଦୀର୍ଘ ବର୍ଷ ଧରି ଚାପି ହୋଇ ରହିଥିଲା।

Comments are closed.