କେଜ୍ରିୱାଲଙ୍କ ଘର ନବୀକରଣରେ ଖର୍ଚ୍ଚ ହୋଇଛି ୫୨ କୋଟି, ଉପରାଜ୍ୟପାଳଙ୍କୁ ରିପୋର୍ଟ ଦେଲା ଭିଜିଲାନ୍ସ ବିଭାଗ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଙ୍ଗଳା ଓ ଏହାର ପରିସରରେ ଥିବା ଅଫିସର ନବୀକରଣ ପାଇଁ ୫୨.୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଉପରାଜ୍ୟପାଳ ବିନୟ ସକ୍ସେନାଙ୍କ ଠାରେ ଦାଖଲ ଭିଜିଲାନ୍ସ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ କେଜ୍ରିୱାଲଙ୍କ ଘରେ ୩୨.୪୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ତାଙ୍କ କ୍ୟାମ୍ପ ଅଫିସରେ ୧୯.୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କେଜ୍ରିୱାଲଙ୍କ ପୁରୁଣା ବଙ୍ଗଳା ଭାଙ୍ଗି ଏକ ନୂଆ ବଙ୍ଗଳା ନିର୍ମାଣ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ୨୦୨୦ରେ ଦିଲ୍ଲୀର ତତ୍କାଳୀନ ପୂର୍ତ୍ତ ମନ୍ତ୍ରୀ କେଜ୍ରିୱାଲଙ୍କ ବଙ୍ଗଳା (୬, ଫ୍ଲାଗ୍ ଷ୍ଟାଫ୍ ରୋଡ୍)ର ନବୀକରଣ ପାଇଁ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ଏହି ବଙ୍ଗଳାରେ ଏକ ଡ୍ରଇଂ ରୁମ୍, ଦୁଇଟି ମିଟିଂ ରୁମ୍ ଏବଂ ୨୪ ଜଣ କ୍ଷମତା ବିଶିଷ୍ଟ ଏକ ଡାଇନିଂ ରୁମ୍ ରହିବା ଉଚିତ୍। ଏଥିପାଇଁ ବଙ୍ଗଳାର ଦ୍ୱିତୀୟ ମହଲା ନିର୍ମାଣ ପାଇଁ ପ୍ରସ୍ତାବ ରଖାଯାଇଥିଲା ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନର ନବୀକରଣରେ ଅନିୟମିତତା ହୋଇଥିବା ବିଜେପି ଅଭିଯୋଗ କରିଥିଲା । ଏହା ପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏପ୍ରିଲରେ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କୁ ଏହି ମାମଲା ସହ ଜଡିତ ଫାଇଲଗୁଡ଼ିକୁ ସଂରକ୍ଷିତ ରଖିବାକୁ କହିଥିଲେ । ଏହାଛଡ଼ା ତାଙ୍କ ନିକଟରେ ଏନେଇ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ବିଜେପିର ଅଭିଯୋଗକୁ ଆପ୍ ଖଣ୍ଡନ କରିଛି। ଆପ୍ କହିଛି, ଗତ ୯ ବର୍ଷ ଧରି ବିଜେପି କେଜ୍ରିୱାଲଙ୍କ ଛବି ଖରାପ କରିବାକୁ ଚେଷ୍ଟା କରୁଛି । କିନ୍ତୁ ସେମାନେ ଏଥିରେ ସଫଳ ହୋଇନାହାଁନ୍ତି। ତେଣୁ ସେମାନେ ଏବେ କେଜ୍ରିୱାଲଙ୍କ ଘରକୁ ଟାର୍ଗେଟ କରୁଛନ୍ତି। ରିପୋର୍ଟରେ କିଛି ଅନିୟମିତତା ହୋଇଥିବା କୁହାଯାଇ ନାହିଁ ବୋଲି ଦାବି କରିଛି ଆପ୍ ।

ଦିଲ୍ଲୀରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ସରକାରୀ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, କାର୍ଯ୍ୟାଳୟ ସଚିବାଳୟ, ଅଡିଟୋରିୟମ୍ ଏବଂ ଷ୍ଟାଫ୍ କ୍ୱାର୍ଟର୍ ସାମିଲ |

Comments are closed.