ବ୍ରିଟେନ ପରେ ଆମେରିକାରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ

ନୂଆଦିଲ୍ଲୀ: ଅମୃତପାଲ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଖଲିସ୍ତାନୀ ସମର୍ଥକ ଏବେ ଭାରତୀୟ ଦୂତାବାସକୁ ଟାର୍ଗେଟ୍ କରୁଛନ୍ତି । ବ୍ରିଟେନ ଓ ଆମେରିକା ସହ ୪ଟି ଦେଶରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ହୋଇଛି । ଖଲିସ୍ତାନୀ ସମର୍ଥକମାନେ ସୋମବାର (ମାର୍ଚ୍ଚ ୨୦) ସାନ୍ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସ ଉପରେ ଆକ୍ରମଣ କରିଥିଲେ। ଏନେଇ ଭାରତ ସରକାର ଦିଲ୍ଲୀରେ ବରିଷ୍ଠ ଆମେରିକୀୟ କୂଟନୈତିକ ଅଧିକାରୀଙ୍କୁ ଡକାଇ ଦୃଢ ପ୍ରତିବାଦ ଜଣାଇଛନ୍ତି ।

ଆମେରିକାର ଭାରପ୍ରାପ୍ତ ହାଇକମିଶନର ଏଲିଜାବେଥ ଜୋନ୍ସଙ୍କୁ ସମନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ନିଶ୍ଚିତ କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ କହିଛି ।

ଭାରତର ବିରୋଧ ପରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ଆମେରିକା ବାଣିଜ୍ୟିକ ଦୂତାବାସ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି। ଆମେ ଭାରତର କୂଟନୀତିଜ୍ଞ ଏବଂ ସେମାନଙ୍କ ଅଧିକାରୀମାନଙ୍କ ସୁରକ୍ଷା ପାଇଁ ସଂପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

ଖଲିସ୍ତାନ ସମର୍ଥକଙ୍କ ଉତ୍ପାତ ପରେ ଲଣ୍ଡନରେ ଭାରତୀୟ ହାଇକମିଶନଙ୍କ ନିକଟରେ ସୁରକ୍ଷା ବଢାଇ ଦିଆଯାଇଛି ‌। ସ୍କଟଲ୍ୟାଣ୍ଡ ୟାର୍ଡ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଛି । ଏହି ଆକ୍ରମଣରେ ଜଡିତ ଥିବା ଲୋକଙ୍କୁ ଯଥାଶୀଘ୍ର ଗିରଫ ଏବଂ କୋର୍ଟ ଚାଲାଣ କରିବାକୁ ବ୍ରିଟେନକୁ ଅନୁରୋଧ କରିଛି ଭାରତ ।

ସୂଚନାଯୋଗ୍ୟ, ଗତକାଲି କିଛି ଖଲିସ୍ତାନୀ ସମର୍ଥକ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନରୁ ତ୍ରିରଙ୍ଗାକୁ କାଢ଼ି ଦେବା ସହ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଭାରତ ଏନେଇ ବ୍ରିଟେନ ଡେପୁଟି ହାଇକମିଶଙ୍କୁ ସମନ କରି ପ୍ରତିବାଦ ଜଣାଇଥିଲା । ଏହାଛଡ଼ା ଭାରତୀୟ ହାଇକମିଶନରେ ଢ଼ିଲା ସୁରକ୍ଷା ବ୍ୟବସ୍ଥା ନେଇ ସ୍ପଷ୍ଟୀକରଣ ଲୋଡ଼ିଥିଲେ ଭାରତ ସରକାର ।

Comments are closed.