ଖଡ଼ଗେ 'ଇଣ୍ଡିଆ' ମେଣ୍ଟର ଅଧ୍ୟକ୍ଷ ନିଯୁକ୍ତ | News Room Odisha

ଖଡ଼ଗେ ‘ଇଣ୍ଡିଆ’ ମେଣ୍ଟର ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଅଧ୍ୟକ୍ଷ ହୋଇଛନ୍ତି। ଶନିବାର ଅନୁଷ୍ଠିତ ମେଣ୍ଟର ଭର୍ଚୁଆଲ ବୈଠକରେ ଖଡ଼ଗେଙ୍କୁ ଏହି ଦାୟିତ୍ଵ ଦେବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ।

‘ଇଣ୍ଡିଆ’ ନେତାମାନେ ମଧ୍ୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ ସହ ମେଣ୍ଟ ଆଗରେ ରହିଥିବା ଅନ୍ୟ ଚ୍ୟାଲେଞ୍ଜ ଉପରେ ଆଲୋଚନା କରିଥିଲେ।

ପ୍ରଥମେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ‘ଇଣ୍ଡିଆ’ ମେଣ୍ଟର ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେ ଏହାକୁ ମନା କରିଥିଲେ । ଏହି ପଦ କଂଗ୍ରେସର ଜଣେ ନେତାଙ୍କୁ ଦିଆଯିବା ଉଚିିତ ବୋଲି କହିଥିଲେ ନୀତିଶ।

‘ଇଣ୍ଡିଆ’ ମେଣ୍ଟର ଏହି ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାର ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ। ଚେନ୍ନାଇରୁ ଭିଡିଓ କନଫରେନ୍ସିଂ ଜରିଆରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମ.କେ ଷ୍ଟାଲିନ ଓ ଦଳର ନେତା କନିମୋଜି କରୁଣାନିଧି ବୈଠକରେ ଯୋଗ ଦେଇଥିଲେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏହି ବୈଠକରେ ଯୋଗ ଦେଇନଥିଲେ ।

ଏହା ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ କଂଗ୍ରେସ ନେତା ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଆସନ ଭାଗବଣ୍ଟା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନାନୁସାରେ, ମୁକୁଲ ୱାସନିକଙ୍କ ଘରେ ଏହି ବୈଠକ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା । ଉଭୟ ଦଳର ନେତା ଏହି ବୈଠକକୁ ଏକ ସକରାତ୍ମକ ପଦକ୍ଷେପ ବୋଲି କହିଥିଲେ।