ବାଲେଶ୍ବର ଟ୍ରେନ୍ ଟ୍ରାଜେଡି ନେଇ ପ୍ରଧାନମନ୍ତ୍ରୀଙ୍କୁ ଖଡ଼ଗେଙ୍କ ଟାର୍ଗେଟ୍, ସିବିଆଇ ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବାଲେଶ୍ବର ଟ୍ରେନ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସମସ୍ତ ଦିଗ ପ୍ରତି ତଦନ୍ତ କରିବାକୁ ଦାବି କରିଛନ୍ତି । ସେ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ‌‌। ସେ କହିଛନ୍ତି, ସିବିଆଇ ଏହି ଦୁର୍ଘଟଣାର ଯାନ୍ତ୍ରିକ, ସଂସ୍ଥାଗତ ଓ ରାଜନୈତିକ ବିଫଳତା ନେଇ ଉତ୍ତରଦାୟିତ୍ୱ ସ୍ଥିର କରିପାରିବ ନାହିଁ ।

ଖଡ଼ଗେ ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ସିବିଆଇ ରେଳ ଦୁର୍ଘଟଣାର ନୁହେଁ ବରଂ ଅପରାଧିକ ମାମଲାର ତଦନ୍ତ ପାଇଁ ଉଦ୍ଦିଷ୍ଟ । ସରକାର ଏହି ଦୁର୍ଘଟଣାର ଉତ୍ତରଦାୟିତ୍ୱ ଗ୍ରହଣ କରିବାକୁ ଚାହୁଁନଥିବା ବେଳେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇ ଏହି ମାମଲାରୁ ଧ୍ୟାନ ହଟାଇବାକୁ ଉଦ୍ୟମ କରୁଛନ୍ତି ବୋଲି‌ ଖଡ଼ଗେ ଅଭିଯୋଗ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ରେଳବାଇ ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୫ ଜଣଙ୍କର ମୃତ୍ୟୁ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ ଖଡ଼ଗେ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ କିଛି ନିଷ୍ପତ୍ତି ଯୋଗୁଁ ରେଳ ଯାତ୍ରା ଅସୁରକ୍ଷିତ ହୋଇପଡିଛି ଏବଂ ଜନସାଧାରଣଙ୍କ ସମସ୍ୟା ବଢ଼ିଛି ।

କଂଗ୍ରେସ ସଭାପତି କହିଛନ୍ତି, ‘ରେଳବାଇରେ ପ୍ରାୟ ତିନି ଲକ୍ଷ ପଦ ଖାଲି ପଡ଼ିଛି । ଯେଉଁଠାରେ ଦୁର୍ଘଟଣା ଘଟିଥିଲା ସେହି ପୂର୍ବତଟ ରେଳବାଇରେ ୮,୨୭୮ଟି ପଦବୀ ଖାଲି ଅଛି | ଉଚ୍ଚ ପଦରେ ମଧ୍ୟ ସମାନ ଅବସ୍ଥା, ଯାହାର ନିଯୁକ୍ତିରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ କ୍ୟାବିନେଟ୍ କମିଟିର ଭୂମିକା ରହିଥାଏ ।

ସେ କହିଛନ୍ତି ଯେ ଖାଲି ପଦ ଯୋଗୁଁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଏବଂ ଅତି ପଛୁଆ ବର୍ଗର ଯୁବକମାନଙ୍କ ପାଇଁ ନିଶ୍ଚିତ ଚାକିରି ପ୍ରତି ମଧ୍ୟ ବିପଦ ରହିଛି।

ତାଙ୍କ କହିବାନୁସାରେ, “ରେଳ ବୋର୍ଡ ନିଜେ ସ୍ୱୀକାର କରିଛି ଯେ ଖାଲି ପଡ଼ିଥିବା ପଦ ଯୋଗୁଁ ଲୋକୋ ପାଇଲଟଙ୍କୁ ଅଧିକ ଘଣ୍ଟା କାମ କରିବାକୁ ପଡ଼ୁଛି । ଏହା ସତ୍ତ୍ବେ ଏହି ପଦ ଗୁଡ଼ିକୁ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ପୂରଣ କରାଯାଇ ନାହିଁ ?

ସେ କହିଛନ୍ତି, ‘ସଂସଦର ପରିବହନ, ପର୍ଯ୍ୟଟନ ଏବଂ ସଂସ୍କୃତି ଉପରେ ସଂସଦୀୟ ସ୍ଥାୟୀ କମିଟି ଏହାର ୩୨୩ତମ ରିପୋର୍ଟରେ (ଡିସେମ୍ବର ୨୦୨୨) ରେଳ ସୁରକ୍ଷା କମିଶନ (ସିଆରଏ୍)ର ସୁପାରିସ ଉପରେ ଉଦାସୀନତା ଏବଂ ଅବହେଳା ନେଇ ରେଳବାଇ ବୋର୍ଡକୁ ସମାଲୋଚନା କରିଥିଲେ। ସିଆରଏସ୍ କେବଳ ୮ ରୁ ୧୦ ପ୍ରତିଶତ ଟ୍ରେନ୍ ଦୁର୍ଘଟଣାର ଅନୁସନ୍ଧାନ କରିଥାଏ ବୋଲି ଏହି ରିପୋର୍ଟରେ ଖୁଲାସା ହୋଇଥିଲା ।

‘ସିଆରଏସ୍’କୁ ଅଧିକ କ୍ଷମତାପ୍ରାପ୍ତ ଏବଂ ସ୍ୱୟଂଶାସିତ କରିବାକୁ କାହିଁକି ଉଦ୍ୟମ କରାଯାଇନଥିଲା ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି ।

ଖଡ଼ଗେ କହିଛନ୍ତି, “ସିଏଜିର ସଦ୍ୟତମ ଅଡିଟ୍ ରିପୋର୍ଟରେ ଏକ ବିଶେଷ ଉଲ୍ଲେଖ ରହିଛି ଯେ ୨୦୧୭-୧୮ ରୁ ୨୦୨୦-୨୧ ମଧ୍ୟରେ ଘଟିଥିବା ୧୦ ଟ୍ରେନ୍ ଦୁର୍ଘଟଣା ମଧ୍ୟରୁ ପ୍ରାୟ ୭ଟି ଲାଇନଚ୍ୟୁତ ହେବା ଯୋଗୁଁ ଘଟିଥିଲା । କିନ୍ତୁ ଏଥିପ୍ରତି ଧ୍ୟାନ ଦିଆଯାଇନଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ରେଳବାଇର କେବଳ ଚାରି ପ୍ରତିଶତ ରେଳ ରୁଟରେ ‘କବଚ’ ସୁରକ୍ଷା ସ୍ଥାପନ କରାଯାଇଛି । ଅନ୍ୟ ରୁଟ୍ ଗୁଡ଼ିକରେ କାହିଁକି ଏହି ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇ ନାହିଁ ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି ।

ରେଲୱେ ବଜେଟ୍ ୨୦୧୭-୧୮କୁ ସାଧାରଣ ବଜେଟ୍ ସହିତ ମିଶ୍ରିତ କରିବାର କାରଣ କ’ଣ? ଏହା ଭାରତୀୟ ରେଳର ସ୍ୱାୟତ୍ତତା ଏବଂ ନିଷ୍ପତ୍ତି ନେବା କ୍ଷମତାକୁ ପ୍ରଭାବିତ କରି ନାହିଁ କି? ରେଳବାଇର ସ୍ୱାୟତ୍ତତା ଅଣଦେଖା କରି ଘରୋଇକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏପରି କରାଯାଇଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଖଡ଼ଗେ ।

ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ଖଡ଼ଗେ କହିଛନ୍ତି, ଦୁର୍ଭାଗ୍ୟଜନକ ଯେ ଆପଣଙ୍କ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଦାୟିତ୍ବବାନ ବ୍ୟକ୍ତିମାନେ ଏପରି ସମସ୍ୟା ରହିଛି ବୋଲି ମାନିବାକୁ ନାରାଜ। ଗୋଟିଏ ପଟେ ରେଳ ମନ୍ତ୍ରୀ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିଛି ବୋଲି ଦାବି କରୁଥିବା ବେଳେ ଅନ୍ୟପଟେ ସେ ସିବିଆଇ ଯାଞ୍ଚ ପାଇଁ ସୁପାରିସ କରିଛନ୍ତି।

ସେ କହିଛନ୍ତି, ‘୨୦୧୬ରେ କାନପୁର ଟ୍ରେନ୍ ଦୁର୍ଘଟଣା ସମୟରେ ସରକାର ଏନଆଇଏକୁ ଏହାର ତଦନ୍ତ କରିବାକୁ କହିଥିଲେ। ପରବର୍ତ୍ତୀ ସମୟରେ ଆପଣ ନିଜେ ୨୦୧୭ରେ ଏକ ନିର୍ବାଚନ ରାଲିରେ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଥଲେ । ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ଦେଶକୁ ଆଶ୍ୱାସନା ଦେଇଥିଲେ। ୨୦୧୮ରେ ଏନଆଇଏ ତଦନ୍ତ ବନ୍ଦ କରି ଚାର୍ଜସିଟ୍ ଦାଖଲ କରିବାକୁ ମନା କରିଦେଇଥିଲା। ଦେଶ ଏପର୍ଯ୍ୟନ୍ତ ଜାଣିବାକୁ ଚାହୁଁଛି ୧୫୦ ମୃତ୍ୟୁ ପାଇଁ କିଏ ଦାୟୀ, ଯାହାକୁ ଏଡାଯାଇପାରନ୍ତା?

କଂଗ୍ରେସ ସଭାପତି କହିଛନ୍ତି, ବାଲେଶ୍ବର ଦୁର୍ଘଟଣାର ସବୁ ଦିଗରୁ ତଦନ୍ତ କରି ପ୍ରକୃତ କାରଣ ସାମ୍ନାକୁ ଅଣାଯିବା ଉଚିତ୍। ଭବିଷ୍ୟତରେ ଏହିପରି ଦୁର୍ଘଟଣାର ଯେପରି ପୁନରାବୃତ୍ତି ନହେବ ସେଥିପାଇଁ ରେଳ ସୁରକ୍ଷା ପାଇଁ ସୁରକ୍ଷା ମାନକ ଏବଂ ଯନ୍ତ୍ରାଂଶ ମିଶନ ମୋଡରେ ପ୍ରାଥମିକତା ଭିତ୍ତିରେ ରେଳ ମାର୍ଗ ଗୁଡ଼ିକରେ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯିବା ଆବଶ୍ୟକ ।

Comments are closed.