‘ରାବଣ ପରି ଆପଣଙ୍କ ୧୦୦ ମୁଣ୍ଡ ଅଛି କି…? ମୋଦୀଙ୍କୁ ଖଡଗେଙ୍କ କଟାକ୍ଷ, ବିଜେପିର ପାଲଟା ଆକ୍ରମଣ

ଅହମ୍ମଦାବାଦ:ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି-କଂଗ୍ରେସ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଏକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଗୁଜରାଟରେ ଏକ ରାଲିକୁ ସମ୍ବୋଧନ ବେଳେ ମୋଦୀଙ୍କ ଚେହେରାକୁ ପାଥେୟ କରି ଭୋଟ୍ ମାଗୁଥିବାରୁ ବିଜେପିକୁ କଟାକ୍ଷ କରିଛନ୍ତି ଖଡଗେ । ଖଡଗେ କହିଛନ୍ତି ଯେ ‘ମୋଦୀଙ୍କୁ ସବୁ ନିର୍ବାଚନରେ ​​ଦେଖିବାକୁ ମିଳୁଛି, ତାଙ୍କ ପାଖରେ ରାବଣ ଭଳି ୧୦୦ ମୁଣ୍ଡ ଅଛି କି?’ ଖଡଗେଙ୍କ ଏଭଳି ମନ୍ତବ୍ୟ ନେଇ ବିଜେପି ପାଲଟା ଆକ୍ରମଣ କରିଛି ।

ଗୁଜରାଟର ଏକ‌ ନିର୍ବାଚନୀ ରାଲିରେ ଖଡଗେ କହିଛନ୍ତି, ‘ମୋଦୀ ପ୍ରଧାନମନ୍ତ୍ରୀ । ସେ ତାଙ୍କ କାମ କରିବା ପରିବର୍ତ୍ତେ ମ୍ୟୁନିସିପାଲିଟି ନିର୍ବାଚନ ଠାରୁ ଆରମ୍ଭ କରି ବିଧାନସଭା ନିର୍ବାଚନରେ ବ୍ୟସ୍ତ ରହୁଛନ୍ତି । ସେ ସବୁବେଳେ ନିଜ କଥା ହିଁ କୁହନ୍ତି । ବିଜେପି କହୁଛି ଆଉ କାହାକୁ ଦେଖ ନାହିଁ । କେବଳ ମୋଦୀଙ୍କୁ ଦେଖି ଭୋଟ୍ ଦିଅ | ଆପଣଙ୍କ ଚେହେରା କେତେଥର ଦେଖିବୁ | କର୍ପୋରେସନ୍ ନିର୍ବାଚନରେ ​​ମଧ୍ୟ ଆପଣଙ୍କ ଚେହେରା ଦେଖିବୁ, ବିଧାୟକ ନିର୍ବାଚନ, ସାଂସଦ ନିର୍ବାଚନରେ ​​ମଧ୍ୟ ଆପଣଙ୍କ ଚେହେରା ଦେଖିବୁ । ସବୁଆଡେ ଖାଲି ଆପଣଙ୍କ ଚେହେରା ହିଁ ଦେଖୁଛୁ | ଭାଇ କେତେ ମୁଣ୍ଡ ଅଛି … ରାବଣ ପରି ଆପଣଙ୍କ ୧୦୦ ମୁଣ୍ଡ ଅଛି କି? ”

ଖଡଗେଙ୍କ ମନ୍ତବ୍ୟ ନେଇ ବିଜେପି ପାଲଟା ଆକ୍ରମଣ କରିଛି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାବଣ କହିବା ଅତ୍ୟନ୍ତ ଅପମାନଜନକ। ମଲ୍ଲିକାର୍ଜୁନ ଖଡଗେ ପୁରା ଗୁଜରାଟକୁ ଅପମାନିତ କରିଛନ୍ତି। ଏହି କଥା କେବଳ ଖଡଗେଙ୍କ ନୁହେଁ ବରଂ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ କଥା। ସୋନିଆଙ୍କ ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରାଯାଉଛି। “

Comments are closed.