ଆଉ ୨୮ ରନ୍ କଲେ ଏହି ମାଇଲଖୁଣ୍ଟ ଛୁଇଁବେ କୋହଲି | News Room Odisha

ଆଉ ୨୮ ରନ୍ କଲେ ଏହି ମାଇଲଖୁଣ୍ଟ ଛୁଇଁବେ କୋହଲି

ପର୍ଥ: ଟିମ୍ ଇଣ୍ଡିଆ ସୁପରଷ୍ଟାର ବିରାଟ କୋହଲି ଚଳିତ ବିଶ୍ବକପରେ ଜବରଦସ୍ତ ଫର୍ମରେ ଅଛନ୍ତି। ଏସିଆ କପ୍ ପରଠାରୁ କୋହଲିଙ୍କ ବ୍ୟାଟରୁ ରନ୍ ବର୍ଷା ଜାରି ରହିଛି। ନିଜ କ୍ୟାରିୟରରେ ବିରାଟ ଅନେକ ମ୍ୟାଚ୍ ବିଜୟୀ ପାଳି ଖେଳିଛନ୍ତି । କିନ୍ତୁ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ସେ ଖେଳିଥିବା ଇନିଂସ ବୋଧହୁଏ ଥିଲା ତାଙ୍କ ଜାଜ୍ଜ୍ୱଲ୍ୟମାନ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ। ପାକିସ୍ତାନ ବିପକ୍ଷ ସେହି ଅବିସ୍ମରଣୀୟ ଇନିଂସ୍ ପରେ ନେଦରଲାଣ୍ଡ୍ସ ବିପକ୍ଷରେ ମଧ୍ୟ ବିରାଟ ପୁଣି ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ ।

ବିରାଟ କୋହଲି ଚଳିତ ଟି-୨୦ ବିଶ୍ୱକପରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୨ଟି ମ୍ୟାଚରେ ୧୪୪ ରନ୍ କରିଛନ୍ତି। ପାକିସ୍ତାନ ବିପକ୍ଷରେ ୮୨ ରନର ଚମତ୍କାର ଇନିଂସ ପରେ ବିରାଟ ନେଦରଲାଣ୍ଡ୍ସ ବିପକ୍ଷରେ ୪୩ ବଲରେ ଅପରାଜିତ ୬୨ ରନ୍ କରିଥିଲେ। ଏବେ ବିରାଟ ଆଉ ଏକ ରେକର୍ଡ ଦ୍ୱାରଦେଶରେ ପହଞ୍ଚିଛନ୍ତି । ଆଉ ମାତ୍ର ୨୮ ରନ୍ କଲେ ସେ ଏହି ମାଇଲଖୁଣ୍ଟ ଛୁଇଁବେ । ଏହି ରନ୍ ମେସିନ୍ ଯଦି ଆଉ ୨୮ ରନ୍ କରନ୍ତି, ତେବେ ସେ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ୍ ସ୍କୋରର ହୋଇଯିବେ । ଏହି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେଙ୍କ ନାଁରେ ରହିଛି । ଟି-୨୦ ବିଶ୍ୱକପରେ ବିରାଟ ଏଯାବତ୍ ୨୩ଟି ମ୍ୟାଚ୍ ରେ ୯୮୯ ରନ୍ ସଂଗ୍ରହ କରିଥିବାବେଳେ ମାହେଲା ଜୟବର୍ଦ୍ଧନେ ୩୧ଟି ମ୍ୟାଚରେ ୧୦୧୬ ରନ୍ କରିଛନ୍ତି।

ମାହେଲା ଜୟବର୍ଦ୍ଧନେଙ୍କ ଏହି ରେକର୍ଡ ଭାଙ୍ଗିବା ଠାରୁ କୋହଲି ଏବେ ମାତ୍ର ୨୮ ରନ୍ ଦୂରରେ ଅଛନ୍ତି। ଯଦି ବିରାଟ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୮ ରନ୍ କରନ୍ତି, ତେବେ ସେ ଟି-୨୦ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ରନ୍‌ ସ୍କୋରର ହେବେ।