ଅଧିନାୟକ ପଦ ଛାଡ଼ିବେ କୋହଲି ? ଟି-୨୦ ବିଶ୍ୱକପ ପରେ ରୋହିତ ହୋଇପାରନ୍ତି ସୀମିତ ଓଭର ଦଳର କ୍ୟାପଟେନ୍

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତର ସୀମିତ ଓଭର ଦଳରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଅକ୍ଟୋବର-ନଭେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ବିରାଟ କୋହଲି ଦିନିକିଆ ଏବଂ ଟି-୨୦ ଅଧିନାୟକ ପଦରୁ ଇସ୍ତଫା ଦେଇପାରନ୍ତି। ସୀମିତ ଓଭରରେ ଫର୍ମାଟରେ ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ କରାଯିବ ସମ୍ଭାବନା ଅଛି ।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମସ୍ତ ଫର୍ମାଟରେ ଭାରତୀୟ ଦଳର କ୍ୟାପଟେନ୍ ଥିବା ତଥା ଦେଶର ଅନ୍ୟତମ ସଫଳ ଅଧିନାୟକ ୩୨ ବର୍ଷୀୟ ବିରାଟ କୋହଲି ତାଙ୍କ ଡେପୁଟି ୩୪ ବର୍ଷୀୟ ରୋହିତ ଶର୍ମାଙ୍କୁ ସୀମିତ ଓଭର ଦଳର ନେତୃତ୍ବ ଦାୟିତ୍ବ ହସ୍ତାନ୍ତର କରିପାରନ୍ତି | ଉକ୍ତ ରିପୋର୍ଟରେ କୁହାଯାଇଛି ଯେ ରୋହିତ ଶର୍ମା ଏବଂ ଟିମ୍ ମ୍ୟାନେଜମେଣ୍ଟ ସହ ଏହି ପ୍ରସଙ୍ଗରେ କୋହଲି ଆଲୋଚନା କରିଛନ୍ତି। କୋହଲି କେବଳ ଟେଷ୍ଟରେ ଦଳର ନେତୃତ୍ବ ନେବାକୁ ଇଚ୍ଛୁକ ।

ସମସ୍ତ ତିନୋଟି ଫର୍ମାଟରେ ଅଧିନାୟକ ଚାପ କୋହଲିଙ୍କ ବ୍ୟାଟିଂ ଉପରେ ପ୍ରଭାବ ପକାଉଛି ବୋଲି ସୂତ୍ରରୁ ପ୍ରକାଶ। କୋହଲି ମଧ୍ୟ ତାଙ୍କ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି | ବିସିସିଆଇ ଜଣେ ଅଧିକାରୀ କହିଛନ୍ତି ଯେ, ‘ବିରାଟ ନିଜେ ନେତୃତ୍ବ ଦାୟିତ୍ବ ହସ୍ତାନ୍ତର ନେଇ ଘୋଷଣା କରିବେ। ସେ ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବାର ଆବଶ୍ୟକତା ବିଷୟରେ ଜାଣିଛନ୍ତି। କୋହଲି ନିଜ ବ୍ୟାଟିଂକୁ ଜାଣନ୍ତି। ଏଥିପାଇଁ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କୁହାଯାଏ। ୨୦୨୨ ରୁ ୨୦୨୩ ମଧ୍ୟରେ ଭାରତକୁ ଦୁଇଟି ବିଶ୍ୱକପ୍ (ଦିନିକିଆ ଏବଂ ଟି୨୦) ଖେଳିବାକୁ ଥିବା ବେଳେ କୋହଲିଙ୍କ ବ୍ୟାଟିଂ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ |

ମହେନ୍ଦ୍ର ସିଂ ଧୋନିଙ୍କ ଇସ୍ତଫା ପରେ କୋହଲି ୧୦୧୪ରେ ଭାରତୀୟ ଦଳର ଟେଷ୍ଟ ଅଧିନାୟକ ହୋଇଥିଲେ। ଏହା ପରେ ଧୋନି ୨୦୧୭ରେ ସମସ୍ତ ଫର୍ମାଟରେ ଅଧିନାୟକ ପଦ ଛାଡ଼ିବା ପରେ କୋହଲିଙ୍କୁ ଟେଷ୍ଟ ସହ ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକ କରାଯାଇଥିଲା। କୋହଲି ଏପର୍ଯ୍ୟନ୍ତ ୬୫ଟି ଟେଷ୍ଟ ମ୍ୟାଚରେ ନେତୃତ୍ବ ନେଇଥିବା ବେଳେ ୩୮ଟି ଜିତିଛନ୍ତି। ଅଧିନାୟକ ଭାବେ ଦିନିକିଆରେ ସେ ୯୫ଟି ମ୍ୟାଚରୁ ୬୫ଟି ଜିତିଛନ୍ତି। କୋହଲି ୪୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଭାରତର ଅଧିନାୟକତ୍ୱ କରିଛନ୍ତି ଯେଉଁଥିରେ ସେ ୨୯ଟି ମ୍ୟାଚ ଜିତିଛନ୍ତି। ତେବେ କୋହଲିଙ୍କ ଅଧିନାୟକତ୍ବରେ ଭାରତ ଏଯାବତ୍ ଗୋଟିଏ ବି ଆଇସିସି ଟ୍ରଫି ଜିତିପାରି ନାହିଁ ।

Comments are closed.