ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍: କୋହଲି, ରାହୁଲ ଖସିଲେ

ଦୁବାଇ: ଟି୨୦ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଖରାପ ପ୍ରଦର୍ଶନ ଯୋଗୁଁ ଭାରତୀୟ ଖେଳାଳିଙ୍କ ଆଇସିସି ର଼୍ୟାଙ୍କିଙ୍ଗ ମଧ୍ୟ ପ୍ରଭାବିତ ହୋଇଛି । ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ କ୍ୟାପଟେନ ବିରାଟ କୋହଲି ଗୋଟିଏ ସ୍ଥାନ ହରାଇ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି। ସେହିପରି ଲୋକେଶ ରାହୁଲଙ୍କ ର଼୍ୟାଙ୍କିଙ୍ଗ ଦୁଇଟି ସ୍ଥାନ ତଳକୁ ଖସି ଅଷ୍ଟମ ସ୍ଥାନରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକାର ଏଡେନ ମାର୍କ୍ରାମ ଆଠଟି ସ୍ଥାନ ଉନ୍ନୀତ ହୋଇ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ମାର୍କ୍ରାମ ଚଳିତ ଟି୨୦ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ ୪୦ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫୧ ରନ୍ କରିଥିଲେ।

ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗର ବ୍ୟାଟ୍ସମ୍ୟାନ ତାଲିକାରେ ଇଂଲଣ୍ଡର ଡେଭିଡ ମାଲାନ ପ୍ରଥମ ସ୍ଥାନରେ ଏବଂ ପାକିସ୍ତାନର ବାବର ଆଜମ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଏହା ବ୍ୟତୀତ ଆଫଗାନିସ୍ତାନର ରହମୁତୁଲ୍ଲା ଗୁରୁବାଜ ମଧ୍ୟ ନଅଟି ସ୍ଥାନ ଲମ୍ଫ ଦେଇ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ପୂର୍ବକ ଦ୍ୱାଦଶ ସ୍ଥାନ ହାସଲ କରିଛନ୍ତି।

କୋହଲିଙ୍କ ନାମରେ ୭୨୫ ରେଟିଂ ପଏଣ୍ଟ ରହିଛି । ପାକିସ୍ତାନ ବିପକ୍ଷରେ କୋହଲି ୪୯ଟି ବଲରେ ୫୭ ରନ୍ କରିଥିଲେ। ଏହା ସତ୍ତ୍ୱେ ସେ ଗୋଟିଏ ସ୍ଥାନ ହରାଇଛନ୍ତି | ଉକ୍ତ ମ୍ୟାଚରେ ରାହୁଲ ମାତ୍ର ତିନି ରନ୍ କରି ଆଉଟ୍ ହୋଇଥିଲେ। ସେ ଦୁଇଟି ସ୍ଥାନ ହରାଇଛନ୍ତି | ତାଙ୍କ ପାଖରେ ସମ୍ପ୍ରତି ୬୮୪ ରେଟିଂ ପଏଣ୍ଟ ଅଛି | ଭାରତ ବିପକ୍ଷ ମ୍ୟାଚରେ ୭୯ ରନର ଅପରାଜିତ ଇନିଂସ ଖେଳିଥିବା ମହମ୍ମଦ ରିଜୱାନ ତିନୋଟି ସ୍ଥାନ ହାସଲ କରି କ୍ୟାରିୟର ଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୩ ରନର ଇନିଂସ ଖେଳିଥିଲେ।

ପ୍ରଥମ ମାନ୍ୟତାପ୍ରାପ୍ତ ବ୍ୟାଟ୍ସମ୍ୟାନ୍ ଡେଭିଡ ମାଲାନଙ୍କ ପାଖରେ ୮୩୧ ରେଟିଂ ପଏଣ୍ଟ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଥିବା ବାବର ଆଜାମ ୮୨୦ ପଏଣ୍ଟ ପାଇଛନ୍ତି। ଉଭୟ ଖେଳାଳିଙ୍କ ସାମ୍ପ୍ରତିକ ଫର୍ମକୁ ଦେଖିଲେ ବାବର ଆସନ୍ତା ସପ୍ତାହ ସୁଦ୍ଧା ମାଲାନଙ୍କୁ ଟପି ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟ୍ସମ୍ୟାନ୍ ହୋଇପାରନ୍ତି।

ବୋଲରଙ୍କ ର଼୍ୟାଙ୍କିଙ୍ଗରେ ପ୍ରଥମ ନଅଟି ସ୍ଥାନ ସ୍ପିନରମାନେ ଅକ୍ତିଆର କରିଛନ୍ତି। ଦକ୍ଷିଣ ଆଫ୍ରିକା ସ୍ପିନର ତାବ୍ରେଜ ସାମସି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ତେବେ ବୋଲିଂ ତାଲିକାର ଟପ୍-୧୦ରେ କୌଣସି ଭାରତୀୟ ନାହାଁନ୍ତି । ବାଂଲାଦେଶ ସ୍ପିନର ମେହେନ୍ଦି ହାସନ ୯ ସ୍ଥାନ ଉଠି ଦ୍ୱାଦଶ ସ୍ଥାନରେ ପହଞ୍ଚିଛନ୍ତି। ଭାରତ ବିପକ୍ଷରେ ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ୧୧ଟି ସ୍ଥାନ ଉଠି ହାସନଙ୍କ ସହ ମିଳିତ ଭାବେ ଦ୍ୱାଦଶ ସ୍ଥାନ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାରିଟି ୱିକେଟ୍ ନେଇଥିବା ହରିଶ ରାଉଫ ୩୪ଟି ସ୍ଥାନ ଉନ୍ନୀତ ହୋଇ କ୍ୟାରିୟର ଶ୍ରେଷ୍ଠ ୧୭ତମ ସ୍ଥାନରେ ପହଞ୍ଚିଛନ୍ତି ।

Comments are closed.