ଉତ୍ତରପ୍ରଦେଶ ସରକାରଙ୍କ ବିଜ୍ଞାପନରେ କୋଲକାତାର ଫ୍ଲାଏଓଭର ଫଟୋ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପହସିତ

ନୂଆଦିଲ୍ଲୀ: ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସରେ ଉତ୍ତରପ୍ରଦେଶ ସରକାରଙ୍କ ପ୍ରକାଶିତ ଏକ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ବିଜ୍ଞାପନରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ନିଜର ବିକାଶମୂଳକ କାର୍ଯ୍ୟ ଦେଖାଇବାକୁ ଯାଇ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ଫଟୋ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ‘ଇଣ୍ଡିଆନ ଏକ୍ସପ୍ରେସ’ ମଧ୍ୟ କ୍ଷମା ମାଗିଛି।

‘ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ‘ଯୋଗୀ ଆଦିତ୍ୟନାଥଙ୍କ ଅଧୀନରେ ଉତ୍ତରପ୍ରଦେଶର ରୂପାନ୍ତରଣ’ ଶୀର୍ଷକ ଏହି ଫୁଲ୍ ପେଜ୍ ବିଜ୍ଞାପନରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏକ ବଡ଼ ଫଟୋ ରହିଛି। ଯୋଗୀ ଆଦିତ୍ୟନାଥଙ୍କ ଫଟୋ ତଳେ ଉଚ୍ଚ ଉଚ୍ଚ ଅଟ୍ଟାଳିକା, ଫ୍ଲାଏଓଭର ଏବଂ ଚକମକ୍ କରୁଥିବା ରାସ୍ତା ଦେଖିବାକୁ ମିଳୁଛି।

ବିଜ୍ଞାପନରେ ଲେଖା ହୋଇଛି – ୨୦୧୭ ପୂର୍ବରୁ ଉତ୍ତରପ୍ରଦେଶରେ ନିବେଶ କଥା ଉଠିଲେ ବାହାର ଲୋକ ହସୁଥିଲେ। ଗତ ସାଢେ଼ ଚାରି ବର୍ଷ ମଧ୍ୟରେ ଆମେ ଉତ୍ତରପ୍ରଦେଶକୁ ନେଇ ସୃଷ୍ଟ ନକାରାତ୍ମକ ଧାରଣାକୁ ବଦଳାଇ ଦେଇଛୁ ।

ହେଲେ ବିଜ୍ଞାପନ ସାମ୍ନାକୁ ଆସିବା ପରେ କିଛି ତଥ୍ୟ ଯାଞ୍ଚକାରୀ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି ଯେ ବିଜ୍ଞାପନରେ ଦେଖାଯାଉଥିବା କୋଠା ଏବଂ ଫ୍ଲାଏଓଭର ଉତ୍ତରପ୍ରଦେଶର ନୁହେଁ ବରଂ ପଶ୍ଚିମବଙ୍ଗର । କୋଲକାତାରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସିଗୁଡିକ ମଧ୍ୟ ଏହି ବିଜ୍ଞାପନରେ ଦେଖିବାକୁ ମିଳୁଛି |

ଏହି ବିଜ୍ଞାପନରେ ମିଛ ଫଟୋ ବ୍ୟବହାର କରାଯାଇଥିବା ଜଣାପଡ଼ିବା ପରେ ଉତ୍ତରପ୍ରଦେଶ ସରକାର ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚାରିଆଡ଼ୁ ସମାଲୋଚିତ ହେବା ସହ ଉପହସିତ ହୋଇଛନ୍ତି ।
ଉତ୍ତରପ୍ରଦେଶର ବିକାଶକୁ ଦେଖାଇବା ପାଇଁ ବିଜେପି ସରକାରର ନିଜସ୍ଵ କାର୍ଯ୍ୟର କୌଣସି ଫଟୋ ନାହିଁ କି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।

ସାମ୍ବାଦିକ ତଥା ଫ୍ୟାକ୍ଟ ଚେକର୍ ବ୍ୟତୀତ ରାଜନୈତିକ ଦଳ ମଧ୍ୟ ଉକ୍ତ ବିଜ୍ଞାପନରେ ବ୍ୟବହାର ହୋଇଥିବା ଫଟୋ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମଇତ୍ର ଏହି ସମଗ୍ର ବିଷୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି, ଠକ ଯୋଗୀଙ୍କ ୟୁପି ବିଜ୍ଞାପନରେ କୋଲକାତାର ଏମ୍ଏଏ ଫ୍ଲାଏ ଓଭର ଅଛି। ଆମ ପାଖରେ ଜେଡବ୍ଲୁ ମାରିଅଟ୍ ଏବଂ ପ୍ରସିଦ୍ଧ ହଳଦିଆ ଟ୍ୟାକ୍ସି ଅଛି | ତୁମେ (ଯୋଗୀ/ବିଜେପି) ନିଜର ସ୍ବଭାବ ନଚେତ୍ ବିଜ୍ଞାପନ ଏଜେନ୍ସି ବଦଳାଅ! ”

ମଇତ୍ର ଆହୁରି କହିଛନ୍ତି ଯେ ତାଙ୍କ ଏହି ଟ୍ବିଟ୍ ପାଇଁ ସେ ନୋଏଡାରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହେବାକୁ ଅପେକ୍ଷା କରିବେ।

ଉକ୍ତ ବିଜ୍ଞାପନ ନେଇ ଟିଏମସି ସାଂସଦ ଡେରେକ ଓ’ବ୍ରାଏନ୍ ସାମ୍ବାଦିକ ବୀର୍ ସାଙ୍ଗଭୀଙ୍କ ଏକ ଟ୍ୱିଟକୁ ରି-ଟ୍ବିଟ୍ କରିଛନ୍ତି ଯେଉଁଥିରେ ଲେଖାଥିଲା – ତେବେ ଯୋଗୀଜି ୟୁପିକୁ ପଶ୍ଚିମବଙ୍ଗରେ ପରିଣତ କରିବେ କି? କାହିଁକି ନୁହେଁ? ଏହା ଏକ ଭଲ ବିଚାର |

Comments are closed.