‘ଲଗାନ୍’ ଫେମ୍ ଅଭିନେତା ଜାଭେଦ୍ ଖାନ୍ ଅମ୍ରୋହିଙ୍କ ପରଲୋକ

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ଭେଟେରାନ ଅଭିନେତା ଜାଭେଦ୍ ଖାନ୍ ଅମ୍ରୋହିଙ୍କ ମଙ୍ଗଳବାର ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି ଅସୁସ୍ଥ ଥିଲେ ।

ନିଜ ବଳିଷ୍ଠ ଅଭିନୟ ପାଇଁ ଜଣାଶୁଣା ଅଭିନେତା ଜାଭେଦ୍ ଖାନ୍ ଅମ୍ରୋହି ନିଜ ଅଭିନୟ କ୍ୟାରିୟରରେ ୧୫୦ରୁ ଅଧିକ ଫିଲ୍ମରେ କାମ କରିଥିଲେ। ଆମୀର ଖାନଙ୍କ ଫିଲ୍ମ ‘ଲଗାନ’ରେ ରାମ ସିଂହ ଚରିତ୍ରରେ ଅଭିନୟ ପାଇଁ ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ଏହାଛଡ଼ା ‘ଅନ୍ଦାଜ୍ ଅପନା ଅପନା’ ଓ ‘ଚକ୍ ଦେ ଇଣ୍ଡିଆ’ରେ ମଧ୍ୟ ଅଭିନୟ ପାଇଁ ସେ ପ୍ରଶଂସିତ ହୋଇଥିଲେ ।

ଜାଭେଦ୍ ଖାନ୍ ଅମ୍ରୋହି ପ୍ରାୟ ୫୦ ବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଥିଲେ। ତାଙ୍କର ଅନେକ ଚମତ୍କାର ଚରିତ୍ର ମାଧ୍ୟମରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ | ମୁମ୍ବାଇରେ ଜନ୍ମିତ ଜାଭେଦଙ୍କ ପରଲୋକ ଖବର ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।

ଜାଭେଦ୍ ଖାନ୍ ଅମ୍ରୋହି ୧୯୭୩ ମସିହାରେ ଫିଲ୍ମ ‘ଜଲତେ ବଦନ୍’ ରୁ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ | ଏହା ପରେ ସେ ଆଉ ପଛକୁ ଫେରିନଥିଲେ | ‘ନୁରୀ’, ‘ପସନ୍ଦ ଅପନି ଅପନି’, ‘ବଜାର’, ‘ରଙ୍ଗ ବିରଙ୍ଗୀ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା। ଫିଲ୍ମ ବ୍ୟତୀତ ଜାଭେଦ ଖାନ ଅମ୍ରୋହି ଅନେକ ଲୋକପ୍ରିୟ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି ।

Comments are closed.