ଲଖିମପୁର ଖେରୀ ହିଂସା: ଆଶିଷ ମିଶ୍ରାଙ୍କୁ ମିଳିଲା ୮ ସପ୍ତାହ ପାଇଁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ତାଙ୍କୁ ୮ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମିଳିଛି।

ଆଶିଷ ମିଶ୍ରାଙ୍କୁ ଜାମିନ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଆଶିଷ ମିଶ୍ର ଓ ତାଙ୍କ ପରିବାର ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ କିମ୍ବା ବିଚାର ପ୍ରକ୍ରିୟାକୁ ବିଳମ୍ବ କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କ ଜାମିନ ରଦ୍ଦ କରାଯିବ । ଏହାଛଡ଼ା ସେ ଉତ୍ତର ପ୍ରଦେଶ କିମ୍ବା ଦିଲ୍ଲୀରେ ରହିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି ।

ଏହା ପୂର୍ବରୁ ଗତବର୍ଷ ଫେବୃଆରୀରେ ଆହ୍ଲାବାଦ ହାଇକୋର୍ଟ ଆଶିଷ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ ଯାହାକୁ ପରେ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ ।

ଅକ୍ଟୋବର ୩, ୨୦୨୧ରେ ଉତ୍ତର ପ୍ରଦେଶର ଲଖିମପୁର ଖେରୀରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ଏକ ଏସୟୁଭି ଗାଡ଼ି ମଡାଇ ଦେଇଥିଲା । ଫଳରେ ଚାରି ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଆଶିଷ ମିଶ୍ରା ଉକ୍ତ ଗାଡ଼ି ଚଳାଉଥିଲେ ବୋଲି ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ହିଂସାରେ ତିନି ଜଣ ବିଜେପି କର୍ମୀ ନିହତ ହୋଇଥିଲେ। ଏହି ଘଟଣାରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହି ମାମଲାର ତଦନ୍ତ ତଦାରଖ ପାଇଁ ନଭେମ୍ବର ୨୦୨୧ରେ ସୁପ୍ରିମକୋର୍ଟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରାକେଶ କୁମାର ଜୈନଙ୍କୁ ନିଯୁକ୍ତ କରିଥିଲେ। ଏହାଛଡ଼ା ମୃତ ଲୋକଙ୍କ ପରିବାର ଓ ଘଟଣାର ସାକ୍ଷୀମାନଙ୍କୁ ଉପଯୁକ୍ତ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Comments are closed.