ଲକ୍ଷ୍ମୀପୁର ହିଂସା ମାମଲା: ଘଟଣାସ୍ଥଳରେ ଡେମୋ ଦେଖାଇଲେ ମନ୍ତ୍ରୀଙ୍କ ପୁଅ

ଲକ୍ଷ୍ମୀପୁର ଖେରୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଘଟଣାର ତଦନ୍ତ କରୁଥିବା ଏସଆଇଟି ଆଜି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଘଟଣାସ୍ଥଳକୁ ନେଇଛି । ଅକ୍ଟୋବର ୩ରେ ଘଟିଥିବା ଘଟଣାର ଡେମୋ ଦେଖାଇଥିଲେ ଆଶିଷ । କ୍ରାଇମ୍ ସିନ୍ ରିକ୍ରିଏସନ ବେଳେ ଚାଷୀଙ୍କ ପରିବର୍ତ୍ତେ ପୋଲିସ କୁଶ ପୁତ୍ତଳିକା ବ୍ୟବହାର କରିଥିଲା।

ପୋଲିସ ଆଶିଷ ମିଶ୍ର, ତାଙ୍କ ବନ୍ଧୁ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଖିଳେଶ ଦାସଙ୍କ ଜ୍ୱାଇଁ ଅଙ୍କିତ ଦାସ, ଅଙ୍କିତ ଦାସଙ୍କ ବନ୍ଧୁକଧାରୀ ଲତିଫ ଓରଫ୍ କାଲେ ଏବଂ ଜଣେ କର୍ମଚାରୀ ଶେଖର ଭାରତୀଙ୍କୁ ଘଟଣାସ୍ଥଳକୁ ଆଣିଥିଲା। ଘଟଣା ଦିନ ଏସୟୁଭି ପଛରେ ଅଙ୍କିତ ଫର୍ଚୁନର ଗାଡ଼ି ଚଳାଉଥିଲେ । ପଚରାଉଚରା ପାଇଁ ଅଙ୍କିତଙ୍କୁ ପୋଲିସ ତିନି ଦିନ ରିମାଣ୍ଡରେ ନେଇଛି।

ଅକ୍ଟୋବର ୩ରେ ଲକ୍ଷ୍ମୀପୁର ଖେରୀର ଟିକୁନିଆରେ ଗୃହମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ମହିନ୍ଦ୍ରା ଥର୍ ଏସୟୁଭି ମଡ଼ାଇ ଚାରିଜଣ ଚାଷୀଙ୍କୁ ହତ୍ୟା କରାଯାଇଥିଲା। ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର କୃଷକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ଏଫଆଇଆର ରୁଜୁ ହେବାର ସାତ ଦିନ ପରେ ଆଶିଷ ମିଶ୍ରଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଗତକାଲି ସ୍ଥାନୀୟ କୋର୍ଟ ଆଶିଷ ମିଶ୍ରଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ୧୨ ଘଣ୍ଟା ଧରି ଜେରା ପରେ ପୋଲିସ ଗତ ଶନିବାର ମିଶ୍ରଙ୍କୁ ଗିରଫ କରିଥିଲା। ଜେରା ବେଳେ ଆଶିଷ ମିଶ୍ର ଘଟଣା ଦିନ କେଉଁଠାରେ ଥିଲେ ସେନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

Comments are closed.