ଗୋଖାଦ୍ୟ ଦୁର୍ନୀତିର ଆଉ ଏକ ମାମଲାରେ ଲାଲୁଙ୍କୁ ଜାମିନ | News Room Odisha

ଗୋଖାଦ୍ୟ ଦୁର୍ନୀତିର ଆଉ ଏକ ମାମଲାରେ ଲାଲୁଙ୍କୁ ଜାମିନ

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତିର ଅନେକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏବଂ ସମ୍ପ୍ରତି ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରେ ଚିକିତ୍ସିତ ହେଉଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୧୦ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଲାଲୁ ଜାମିନ ପାଇଛନ୍ତି। ଏହି ସଦ୍ୟତମ ମାମଲା ଡୋରାଣ୍ଡା ଟ୍ରେଜେରୀରୁ ବେଆଇନ ଟଙ୍କା ଉଠାଣ ସହ ଜଡ଼ିତ ଯେଉଁଥିରେ ତାଙ୍କୁ ଗତ ଫେବୃଆରୀ ମାସରେ ପାଞ୍ଚ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା। ୧୯୯୦ ରୁ ୧୯୯୫ ମଧ୍ୟରେ ଡୋରାଣ୍ଡା ଟ୍ରେଜେରୀରୁ ପ୍ରାୟ ୧୪୦ କୋଟି ଟଙ୍କା ଉଠାଣ ହୋଇଥିଲା।

ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ପ୍ରଭାତ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଲାଲୁ ଯାଦବ ୪୧ ମାସ ଜେଲଦଣ୍ଡ କାଟିଛନ୍ତି। ଏହା ହେଉଛି ତାଙ୍କ ଦଣ୍ଡର ଅଧା ଅବଧି | ଏହି ଆଧାରରେ ଆମେ କୋର୍ଟରୁ ଜାମିନ ପାଇଁ ଆବେଦନ କରିଥିଲୁ। ଜଜ୍ ଆମର ନିବେଦନକୁ ଗ୍ରହଣ କରି ଜାମିନ ପ୍ରଦାନ କରିଛନ୍ତି।