୭୦ ଘଣ୍ଟା ପରେ ବି ଟନେଲରୁ ଉଦ୍ଧାର ହୋଇପାରି ନାହାନ୍ତି ଶ୍ରମିକ, ଚିନ୍ତା ବଢ଼ାଇଲା ଭୂସ୍ଖଳନ

ଡେରାଡୁନ୍‌: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବାର ୭୦ ଘଣ୍ଟାରୁ ଅଧିକ ସମୟ ପରେ ବି ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ପୁଣି ଭୂସ୍ଖଳନ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଭଗ୍ନାବଶେଷ ମଧ୍ୟକୁ ଡ୍ରିଲିଂ ମେସିନ୍ ଦ୍ବାରା ଏକ ଷ୍ଟିଲ୍ ପାଇପ ପୂରାଇ ଫସିଥିବା ଶ୍ରମିକଙ୍କୁ ବାହାର କରିବା ପାଇଁ ଉଦ୍ଧାରକାରୀମାନେ ଚେଷ୍ଟା କରିଥିଲେ। କିନ୍ତୁ ମଙ୍ଗଳବାର ରାତିରେ ଭୂସ୍ଖଳନ ହେବାରୁ ଡ୍ରିଲିଂ ମେସିନ୍ ଖରାପ ହେବା ସହ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏବେ ଦିଲ୍ଲୀରୁ ବଡ଼ ଡ୍ରିଲିଂ ମେସିନ୍ ଅଣାଯାଇ ଉଦ୍ଧାର କାର୍ଯ୍ୟରେ ଲଗାଯିବ ବୋଲି ଜଣାପଡ଼ିଛି ।

ଉତ୍ତରକାଶୀ ଜିଲ୍ଲାର ସିଲ୍କୟାରା ସ୍ଥିତ ବ୍ରହ୍ମାଖୋଲ-ଯମୁନେତ୍ରୀ ଜାତୀୟ ରାଜପଥରେ ନିର୍ମାଣାଧୀନ ଏକ ଟନେଲର କିଛି ଅଂଶ ରବିବାର ସକାଳ ପ୍ରାୟ ୫ଟାରେ ଭୁଶୁଡ଼ି ପଡ଼ିଥିଲା । ଟନେଲ୍ ଭିତରେ ୪୦ ଶ୍ରମିକ ଫସି ରହିଛନ୍ତି।

ଟନେଲର ପ୍ରବେଶ ଦ୍ଵାର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ଏହାର ଏକ ଭାଗ ଦବି ଯାଇଥିଲା । ଫସି ରହିଥିବା ଶ୍ରମିକଙ୍କ ମାନଙ୍କୁ ପାଇପ୍ ଯୋଗେ ଅମ୍ଲଜାନ ସହ ଖାଦ୍ୟ ଓ ଜଳ ପଠାଯାଉଛି।

Comments are closed.