କାନାଡାରେ ଖାଲିସ୍ତାନୀ ଆତଙ୍କବାଦୀ ସୁଖା ହତ୍ୟା ପାଇଁ ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ତଥା ଖଲିସ୍ତାନୀ ଆତଙ୍କବାଦୀ ସୁଖଦୁଲ ସିଂ ଓରଫ୍ ସୁଖା ଦୁନିକେ ହତ୍ୟା ପାଇଁ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି। କାନାଡ଼ାର ଓ୍ବିନିପିଗ୍ ସିଟିରେ ସୁଖା ଦୁନିକେକୁ ଗୁଳିକରି ହତ୍ୟା କରାଯାଇଥିଲା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସୋସିଆଲ ମିଡିଆରେ ସୁଖାର ହତ୍ୟା କରିଛି ବୋଲି ସ୍ବୀକାର କରିଛି । ସୁଖା ଯେଉଁ ବମ୍ବିହା ଗ୍ୟାଙ୍ଗ୍ ସହ ଜଡ଼ିତ ଥିଲା ତାହା ଗୋଲ୍ଡି ବ୍ରାର୍ ଓ ଲରେନ୍ସ ବିଷ୍ଣୋଇର ଶତ୍ରୁ ବୋଲି କୁହାଯାଉଛି ।

ସୁଖା ଦୁନିକେ କାନାଡାର ‘ଏ’ କାଟେଗୋରି ଗ୍ୟାଙ୍ଗଷ୍ଟର ଥିଲା | ସୁଖା ପଞ୍ଜାବର ମୋଗାର ମୂଳ ନିବାସୀ । ତେବେ ଆଇନକୁ ଏଡ଼ାଇବା ପାଇଁ ସୁଖା ୨୦୧୭ରେ ଏକ ଜାଲ୍ ପାସପୋର୍ଟରେ ଭାରତରୁ କାନାଡା ପଳାଇଥିଲା। ଏହା ପରେ ସେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା। ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ଡାଲାର ଘନିଷ୍ଠ ଥିଲା ସୁଖା । ଏନ୍ଆଇଏର ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ମଧ୍ୟ ସେ ରହିଥିଲା ।

ଲରେନ୍ସ ବିଷ୍ଣୋଇ ସମ୍ପ୍ରତି ଡ୍ରଗ୍ସ କାରବାର ମାମଲାରେ ଅହମ୍ମଦାବାଦର ଏକ ଜେଲରେ ଅଛି । ଏନଆଇଏ ଏହି ମାମଲାର ତଦନ୍ତ କରୁଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟା ମାମଲାରେ ମଧ୍ୟ ବିଷ୍ଣୋଇ ମୁଖ୍ୟ ଅଭିଯୁକ୍ତ।

Comments are closed.