ମହେଶ ବାବୁଙ୍କ ବାପା ତଥା କିମ୍ବଦନ୍ତୀ ଅଭିନେତା କ୍ରିଷ୍ଣାଙ୍କ ପରଲୋକ

ହାଇଦ୍ରାବାଦ: ତେଲୁଗୁ ଫିଲ୍ମର କିମ୍ବଦନ୍ତୀ ଅଭିନେତା ଓ ସୁପରଷ୍ଟାର ମହେଶ ବାବୁଙ୍କ ବାପା କ୍ରିଷ୍ଣାଙ୍କ ପରଲୋକ ହୋଇଯାଇଛି । ଆଜି ଭୋର୍ ପ୍ରାୟ ୪ ଟାରେ ତାଙ୍କର ବିୟୋଗ ଘଟିଛି । ତାଙ୍କୁ ୮୦ ବର୍ଷ ବୟସ‌ ହୋଇଥିଲା। ହୃଦ୍‌ଘାତ କାରଣରୁ ତାଙ୍କୁ ସୋମବାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ଅବସ୍ଥା ଗୁରୁତର ଥିଲା । ଡାକ୍ତରଙ୍କ ସୂଚନା ଅନୁଯାୟୀ ହୃଦଘାତ ପରେ ରବିବାର ବିଳମ୍ବିତ ରାତିରେ କ୍ରିଷ୍ଣାଙ୍କୁ ଇମର୍ଜନ୍ସି ଓ୍ବାର୍ଡକୁ ଅଣାଯାଇଥିଲା ଓ ଭେଣ୍ଟିଲେଟରରେ ରଖାଯାଇଥିଲା ।

କ୍ରିଷ୍ଣାଙ୍କ ପ୍ରକୃତ ନାମ ହେଉଛି ଘାଟାମେନେନି ଶିବରାମ କ୍ରିଷ୍ଣା । ସେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଖ୍ୟାତନାମା ଅଭିନେତା ଥିଲେ। କ୍ରିଷ୍ଣା ୧୯୬୦ ଦଶକରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ପ୍ରାୟ ୩୫୦ ଫିଲ୍ମରେ ଅଭିନୟ କରିଥିଲେ। ସେ ଜଣେ ସଫଳ ନିର୍ଦ୍ଦେଶକ ଏବଂ ନିର୍ମାତା ମଧ୍ୟ | ତାଙ୍କୁ ୨୦୦୯ ରେ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା। କ୍ରିଷ୍ଣା ଟିଡିପି ନେତା ଜୟ ଗାଲାଙ୍କ ଶ୍ୱଶୁର। କ୍ରିଷ୍ଣା କଂଗ୍ରେସରେ ଯୋଗ ଦେଇ ୧୯୮୦ ଦଶକରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ସେ ରାଜନୀତି ଛାଡି ଦେଇଥିଲେ।

ତାଙ୍କ ପତ୍ନୀ ତଥା ମହେଶ ବାବୁଙ୍କ ମା’ ଇନ୍ଦିରା ଦେବୀଙ୍କ ଚଳିତ ବର୍ଷ ସେପ୍ଟେମ୍ବରରେ ଦେହାନ୍ତ ହୋଇଥିଲା । ଜାନୁଆରୀରେ ତାଙ୍କର ବଡ଼ ପୁଅ ରମେଶ ବାବୁଙ୍କର ମୃତ୍ୟୁ ହୋଇଥିଲା ବେଳେ ତାଙ୍କର ଦ୍ୱିତୀୟ ପତ୍ନୀ ଅଭିନେତ୍ରୀ ବିଜୟ ନିର୍ମଳାଙ୍କର ୨୦୧୯ ରେ ପରଲୋକ ଘଟିଥିଲା ।

Comments are closed.