ଆସନ୍ତାକାଲିଠୁ ଲୋକସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ପଡ଼ିବ ଭୋଟ୍, ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଆରମ୍ଭ‌ ହେଉଛି ଲୋକସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ମତଦାନ ସହ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ନିର୍ବାଚନୀ ମହାପର୍ବର ହେବ ଶୁଭାରମ୍ଭ । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ମୋଟ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।

ପ୍ରଥମ ପର୍ଯ୍ୟାୟରେ ଯେଉଁ ହାଇ ପ୍ରୋଫାଇଲ୍ ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ସର୍ବାନନ୍ଦ ସୋନୋୱାଲ, ଭୁପେନ୍ଦ୍ର ଯାଦବଙ୍କ ସହ କଂଗ୍ରେସର ଗୌରବ ଗୋଗୋଇ ଓ ଡିଏମକେର କନିମୋଜି ପ୍ରମୁଖ ନେତା/ନେତ୍ରୀ ଅଛନ୍ତି।

ଏହା ସହ ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶ (୬୦ଟି ଆସନ) ଏବଂ ସିକ୍କିମ (୩୨ଟି ଆସନ)ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ୧.୮୭ ଲକ୍ଷ ମତଦାନ କେନ୍ଦ୍ରରେ ୧୮ ଲକ୍ଷରୁ ଅଧିକ ନିର୍ବାଚନ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୧୬.୬୩ କୋଟିରୁ ଅଧିକ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରୁ ୮.୪ କୋଟି ପୁରୁଷ ହୋଇଥିବା ବେଳେ ୮.୨୩ କୋଟି ମହିଳା ଏବଂ ୧୧,୩୭୧ ତୃତୀୟ ଲିଙ୍ଗୀ ଭୋଟର ସାମିଲ । ୩୫.୬୭ ଲକ୍ଷ ଲୋକ ପ୍ରଥମ ଥର ଭୋଟ ଦେବେ | ଏହା ସହିତ ୨୦-୨୯ ବର୍ଷ ବୟସ ବର୍ଗର ୩.୫୧ କୋଟି ଯୁବ ଭୋଟର ଅଛନ୍ତି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜେପି ନେତୃତ୍ଵାଧୀନ ଏନଡିଏ ପୂର୍ବାପେକ୍ଷା ଅଧିକ ଆସନ ଜିତି କ୍ରମାଗତ ତୃତୀୟ ଥର ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୨୦୧୪ ଓ ୨୦୧୯ ନିର୍ବାଚନରେ କ୍ରମାଗତ ପରାଜୟ ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପ୍ରତ୍ୟାବର୍ତ୍ତନ ଆଶା ରଖିଛି।

ପ୍ରଥମ ପର୍ଯ୍ୟାୟରେ ଯେଉଁ ରାଜ୍ୟ ଗୁଡ଼ିକରେ ସବୁ ଆସନରେ ମତଦାନ ହେବ ସେଗୁଡିକ ହେଲା ତାମିଲନାଡୁ (୩୯), ଉତ୍ତରାଖଣ୍ଡ (୫), ଅରୁଣାଚଳ ପ୍ରଦେଶ (୨), ମେଘାଳୟ (୨), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧), ମିଜୋରାମ (୧), ନାଗାଲାଣ୍ଡ (୧)), ପୁଡୁଚେରୀ (୧), ସିକ୍କିମ୍ (୧)) ଏବଂ ଲକ୍ଷଦ୍ବୀପ (୧) ।

ଏହାଛଡ଼ା ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶରେ ୬, ଆସାମ ୫, ମହାରାଷ୍ଟ୍ରର ୫, ବିହାରର ୪, ପଶ୍ଚିମବଙ୍ଗର ୩, ମଣିପୁରର ୨ ଏବଂ ତ୍ରିପୁରା, ଜମ୍ମୁ କାଶ୍ମୀର ଏବଂ ଛତିଶଗଡ଼ରେ ଗୋଟିଏ ଲେଖାଏଁ ଆସନରେ ବି ଭୋଟ୍ ପଡ଼ିବ ।

ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ବୁଧବାର ସନ୍ଧ୍ୟାରେ ଶେଷ ହୋଇଥିଲା।

ଗଡକରୀ, ସୋନୋୱାଲ ଏବଂ ଯାଦବଙ୍କ ବ୍ୟତୀତ ଅନ୍ୟ ୬ ଜଣ କେନ୍ଦ୍ରମନ୍ତ୍ରୀ – କିରେନ ରିଜିଜୁ, ସଞ୍ଜୀବ ବାଲାନ, ଜିତେନ୍ଦ୍ର ସିଂ, ଅର୍ଜୁନ ରାମ ମେଘୱାଲ, ଏଲ ମୁରୁଗାନ ଏବଂ ନିଶିଥ ପରମାଣିକଙ୍କ ସହ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ – ବିପ୍ଲବ କୁମାର ଦେବ (ତ୍ରିପୁରା) ଏବଂ ନବାମ ତୁକି (ଅରୁଣାଚଳ ପ୍ରଦେଶ) ଓ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ୍ ମଧ୍ୟ ଏହି ପର୍ଯ୍ୟାୟରେ ମଇଦାନରେ ଅଛନ୍ତି।

୨୦୧୯ ନିର୍ବାଚନରେ ୟୁପିଏ ଏହି ୧୦୨ଟି ଆସନ ମଧ୍ୟରୁ ୪୫ ଏବଂ ଏନଡିଏ ୪୧ ଆସନ ଜିତିଥିଲା।

Comments are closed.