ମହାରାଷ୍ଟ୍ରରେ କଂଗ୍ରେସର ଏକମାତ୍ର ଲୋକସଭା ସାଂସଦ ବାଲୁ ଧାନୋରକରଙ୍କ ପରଲୋକ | News Room Odisha

ମହାରାଷ୍ଟ୍ରରେ କଂଗ୍ରେସର ଏକମାତ୍ର ଲୋକସଭା ସାଂସଦ ବାଲୁ ଧାନୋରକରଙ୍କ ପରଲୋକ

ମୁମ୍ବାଇ: ମହାରାଷ୍ଟ୍ରରେ କଂଗ୍ରେସର ଏକମାତ୍ର ଲୋକସଭା ସାଂସଦ ବାଲୁ ଧାନୋରକରଙ୍କ ମଙ୍ଗଳବାର ସକାଳେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା | ପତ୍ନୀ ପ୍ରତିଭା ଧାନୋରକରଙ୍କ ସହ ଦୁଇ ପୁଅ ଅଛନ୍ତି | ପ୍ରତିଭା ଧାନୋରକର ସମ୍ପ୍ରତି ବିଧାୟକ ଅଛନ୍ତି । ସେ ୨୦୧୯ରେ ବରୋରା-ଭଦ୍ରାବତୀ ବିଧାନସଭା ଆସନରୁ ଜିତିଥିଲେ।

କଂଗ୍ରେସ ନେତା ବାଲାସାହେବ ଥୋରାଟ କହିଛନ୍ତି, ‘କିଡନୀ ଷ୍ଟୋନ୍ ଚିକିତ୍ସା ପାଇଁ ବାଲୁ ଧାନୋରକରଙ୍କୁ ଗତ ସପ୍ତାହରେ ନାଗପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ନୂଆଦିଲ୍ଲୀ ନିଆଯାଇଥିଲା ।

ବୁଧବାର ସକାଳେ ତାଙ୍କର ଶେଷକୃତ୍ୟ ହେବ। ଦୁଇ ଦିନ ତଳେ ଅର୍ଥାତ ଶନିବାର ବାଲୁ ଧାନୋରକରଙ୍କ ପିତା ନାରାୟଣ ଧାନୋରକରଙ୍କ ଦେହାନ୍ତ ହୋଇଯାଇଥିଲା । ସେ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିନଥିଲେ ।

ଧାନୋକର ଚନ୍ଦ୍ରପୁର ଜିଲ୍ଲାର ବାଲାସାହେବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ୨୦୧୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ପରେ ସେ ଶିବସେନା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ । ବିଜେପିର ହଂସରାଜ ଅହିରଙ୍କ ଗଡ଼ ବୋଲି ବିବେଚନା କରାଯାଉଥିବା ଚନ୍ଦ୍ରପୁର ଆସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ଧାନୋରକର । ଅହିରଙ୍କୁ ପରାସ୍ତ କରି ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।