ଆର୍ୟନ ଖାନଙ୍କ ସହ ସେଲଫି ଉଠାଇଥିବା ଏନସିବିର ସାକ୍ଷୀଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍

ପୁଣେ: କ୍ରୁଜରୁ ଡ୍ରଗ୍ସ ଜବତ ମାମଲାରେ ଏନସିବିର ଜଣେ ସ୍ବାଧୀନ ସାକ୍ଷୀ କେପି ଗୋସାଭିଙ୍କ ବିରୋଧରେ ପୁଣେ ପୋଲିସ ଲୁକ୍ଆଉଟ୍ ସର୍କୁଲାର ଜାରି କରିଛି। ଲୁକଆଉଟ୍ ସର୍କୁଲାର୍ ହେଉଛି ଏକ ନୋଟିସ ଯାହା ଲୋକଙ୍କୁ ଦେଶ ଛାଡ଼ିବାରୁ ରୋକିଥାଏ | ୨୦୧୮ରେ ଏକ ଠକେଇ ମାମଲାରେ ଗୋସାଭି ପୁଣେ ପୋଲିସର ଓ୍ବାଣ୍ଟେଡ ତାଲିକାରେ ଅଛନ୍ତି ।

ଆର୍ୟନ ଖାନ ଗିରଫ ହେବା ପରେ ତାଙ୍କ ସହ କେପି ଗୋସାଭିଙ୍କ ସେଲଫି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେ ଜଣେ ଏନସିବି ଅଧିକାରୀ ବୋଲି ଲୋକେ ଭାବିଥିଲେ । ପରେ ଏନସିବି ସ୍ପଷ୍ଟ କରିଥିଲା ଯେ ସେ ଆମ ବିଭାଗର ଅଧିକାରୀ ନୁହଁନ୍ତି। କେସି ଗୋସାଭିଙ୍କ ସମ୍ପର୍କରେ ଏନସିପି ନେତା ନବାବ ମଲିକ ମଧ୍ୟ ଏନସିବି ବିରୋଧରେ ଅଭିଯୋଗ ଆଣିଥିଲେ।

କ୍ରୁଜ୍ ଜାହାଜରୁ ନିଶାଦ୍ରବ୍ୟ ଜବତ ମାମଲାରେ ଗୋସାଭି ନଅ ଜଣ ସ୍ୱାଧୀନ ସାକ୍ଷୀଙ୍କ ମଧ୍ୟରୁ ଅନ୍ୟତମ। ଏହି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପୋଲିସର ସୂଚନାନୁସାରେ, ମାଲେସିଆରେ ଚାକିରି ଦେବାକୁ କହି ଗୋସାଭି ଜଣେ ଲୋକଙ୍କ ଠାରୁ ୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।

Comments are closed.