ପୁଲଓ୍ବାମା ମାଷ୍ଟରମାଇଣ୍ଡ ଲେଫ୍ଟନାଣ୍ଟ ଜେନେରାଲ ମୁନୀର୍ ହେଲେ ପାକିସ୍ତାନର ନୂଆ ସେନା ମୁଖ୍ୟ

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନୀରଙ୍କୁ ଦେଶର ପରବର୍ତ୍ତୀ ସେନା ମୁଖ୍ୟ ଭାବେ ମନୋନୀତ କରିଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍ ମୁନୀର୍ ଜେନେରାଲ୍ କାମାର ଜାଭେଦ୍ ବାଜୱାଙ୍କ ସ୍ଥାନ ନେବେ । ବାଜଓ୍ବା ନଭେମ୍ବରରେ ୨୯ରେ ଅବସର ନେବେ । ଜେନେରାଲ ବାଜୱାଙ୍କ ବିଶ୍ବସ୍ତ କୁହାଯାଉଥିବା ଜେନେରାଲ ମୁନୀର୍ ଅକ୍ଟୋବର ୨୦୧୮ରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସ୍ଆଇର ମୁଖ୍ୟ ଭାବେ ନିଯୁକ୍ତ ହେବା ପରେ ଚର୍ଚ୍ଚାକୁ ଆସିଥିଲେ।

ପାକିସ୍ତାନରେ ସଦ୍ୟତମ ଘଟଣାକ୍ରମ ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। କାରଣ ଲେଫ୍ଟନାଣ୍ଟ ଜେନେରାଲ ମୁନିର ହେଉଛନ୍ତି ସେହି ବ୍ୟକ୍ତି ଯିଏ ଆଇଏସ୍ଆଇ ମୁଖ୍ୟ ଥିବାବେଳେ ଫେବୃଆରୀ ୨୦୧୯ରେ ପୁଲୱାମାରେ ଭାରତୀୟ ସୁରକ୍ଷା ବାହିନୀ ଉପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏବେ ମୁନୀର ପାକିସ୍ତାନ ସେନା ମୁଖ୍ୟ ହେବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଫେବୃଆରୀ ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା, ସେତେବେଳେ ସମସ୍ତ ନିଷ୍ପତ୍ତି ଜେନେରାଲ ମୁନୀର୍ ହିଁ ପ୍ରଚ୍ଛଦପଟରେ ରହି ସବୁ ନିଷ୍ପତ୍ତି ନେଉଥିଲେ। ମୁନୀର୍ ସେତେବେଳେ ଆଇଏସ୍ଆଇ ମୁଖ୍ୟ ଥିଲେ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଜେନେରାଲ ମୁନୀରଙ୍କ ନିର୍ଦ୍ଦେଶରେ ହୋଇଥିଲା ବୋଲି କୁହାଯାଇଥିଲା |

ଲେଫ୍ଟନାଣ୍ଟ ଜେନେରାଲ ମୁନୀର୍ ଆଇଏସଆଇ ମୁଖ୍ୟ ହେବା ପୂର୍ବରୁ ନର୍ଦର୍ନ ଏରିଆ କମାଣ୍ଡର ଓ ମିଲିଟାରୀ ଇଣ୍ଟେଲିଜେନ୍ସର ମହାନିର୍ଦେଶକ ମଧ୍ୟ ରହିଛନ୍ତି। ଜମ୍ମୁ କାଶ୍ମୀରର ପ୍ରତ୍ୟେକ କୋଣ ଅନୁକୋଣ ସହ ସେ ଅବଗତ ଅଛନ୍ତି। ଯେତେବେଳେ ଜେନେରାଲ ବାଜୱାଙ୍କ ନିର୍ଦ୍ଦେଶରେ ତାଙ୍କୁ ଆଇଏସଆଇ ମୁଖ୍ୟ କରାଯାଇଥିଲା, ସେତେବେଳେ ସାମରିକ ବିଶେଷଜ୍ଞମାନେ ଏହାକୁ ଭାରତ ବିରୋଧରେ ଏକ ବଡ଼ ଷଡଯନ୍ତ୍ରର ଅଂଶ ବୋଲି କହିଥିଲେ। ମୁନୀରଙ୍କୁ ଜଣେ କାଶ୍ମୀର ବିଶେଷଜ୍ଞ ମଧ୍ୟ କୁହାଯାଏ। ତାଙ୍କର ଏହି ଅଭିଜ୍ଞତାକୁ ପାଥେୟ କରି ଲେଫ୍ଟନାଣ୍ଟ ଜେନେରାଲ ମୁନୀର୍ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲେ ଓ ଏଥିପାଇଁ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିଲେ।

Comments are closed.