ଲେଖକ: ବିପିନ ମହାପାତ୍ର
ରାଜତନ୍ତ୍ର ଅମଳରେ ଅବିଭକ୍ତ ଗଂଜାମ ଜିଲ୍ଲାର ଧର୍ମପ୍ରାଣ, କଳା, ସାହିତ୍ୟ ଓ ସଂସ୍କୃତିପ୍ରେମୀ, ପ୍ରଜାନୁରଞ୍ଜକ ରାଜା ଓ ମହାରାଜା ମାନେ ରଖି ଦେଇଛନ୍ତି ଅକ୍ଷୟ କୀର୍ତ୍ତି । ତନ୍ମଧ୍ୟରୁ କତିପୟ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପ୍ରଦାନ କରିବା ସକାଶେ ଅହରହ ସଂଗ୍ରାମ କରି କରି ସଫଳ ହେଇଛନ୍ତି ତ ଆଉ କେତେ ବ୍ରିଟିଶ୍ ସରକାରର ପ୍ରତିରୋଧକୁ ସାମ୍ନା କରି କରି ଇଚ୍ଛା, ଅଭିଳାଷକୁ କବର ଦେବାକୁ ବାଧ୍ୟ ହୋଇଛନ୍ତି ।
ପାରାଳାଖେମୁଣ୍ଡି, ଘୁମୁସର, ଖଲ୍ଲିକୋଟ, ମହୁରୀ, ଚିକିଟି, ଧରାକୋଟ, ଆଠଗଡ଼, ଖେମୁଣ୍ଡି ପ୍ରମୁଖ ରାଜନ୍ୟ ବର୍ଗର କୀର୍ତ୍ତି ଆଜି ବି ପରିଦୃଷ୍ଟ ହୁଏ ଧାର୍ମିକତା ଓ ସୁଶାସନର ପ୍ରତୀକ ସଦୃଶ ରାଜବାଟୀ, ବଙ୍ଗଳା, ମଠ, ମନ୍ଦିର, ଶିକ୍ଷାନୁଷ୍ଠାନ, କଳା, ସାହିତ୍ୟ, ସଂଗୀତ ଅନୁଷ୍ଠାନ ପ୍ରଭୃତିର ସ୍ଥିତି ଓ ବିସ୍ତୃତିରୁ । ତନ୍ମଧ୍ୟରୁ ସ୍ୱଳ୍ପ କେତୋଟି ସେମାନଙ୍କ ଦାୟାଦ୍ ଓ ସରକାରୀ ପ୍ରଚେଷ୍ଟାରୁ ଆଧୁନିକୀକରଣ ହେଇଛି ତ ଆଉ କେତୋଟି ସେମିତି ମୂକସାକ୍ଷୀ ସଦୃଶ ଦଣ୍ଡାୟମାନ ଏବଂ କିଛି ଅନାବିଷ୍କୃତ।
ଏକଦା ମହୁରୀ ରାଜ୍ୟର ରାଜଧାନୀ ଥିଲା ବ୍ରହ୍ମପୁର । କ୍ରମଶଃ ଏହା ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଓ ବ୍ୟାବସାୟିକ ପେଣ୍ଠସ୍ଥଳୀ ରୂପେ ସୃଷ୍ଟି କରିପାରିଲା ଏକ ସ୍ୱତନ୍ତ୍ର ପରିଚୟ । ସୁଖର କଥା ବହୁ ବିଳମ୍ବରେ ହେଲେ ବି ଏହା ମହାନଗରର ମାନ୍ୟତା ପାଇଛି ।
ବ୍ରହ୍ମପୁରର ଦ୍ୱିବାର୍ଷିକ ଭାରତ ବିଖ୍ୟାତ ଓ ଐତିହାସିକ ବୁଢ଼ୀ ଠାକୁରାଣୀ ଯାତ୍ରାର ଉନ୍ମେଷକାଳ ଥିଲା ମହୁରୀ ରାଜାଙ୍କ ଶାସନକାଳରେ । ଜନଶ୍ରୁତି ଅନୁଯାୟୀ ଏହା କୁଆଡ଼େ ୨୦୦ ବର୍ଷ ଅତିକ୍ରମ କଲାଣି । ତଦାନୀନ୍ତନ ଯାତ୍ରା ଥିଲା ନିରାଡ଼ମ୍ବର । ସମୟସୀମା ଥିଲା ସ୍ୱଳ୍ପ । ଜନସଂଖ୍ୟା ଦୃଷ୍ଟିରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମୁନଥିଲା । ତଥାପି ଶାକ୍ତ ପରମ୍ପରାରୁ ତାହା ବହିର୍ଭୂତ ହୋଇନଥିଲା । କାରଣ ଏହା ଥିଲା ମା ବୁଢ଼ୀ ଠାକୁରାଣୀଙ୍କ ମାନବୀ ରୂପେ ଆବିର୍ଭାବ ଓ ସ୍ୱପ୍ନାଦେଶର ପ୍ରଭାବ ।
ରାଜତନ୍ତ୍ରର ଅବସାନ ପରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆଜି ବି ବ୍ରହ୍ମପୁର ସହରରେ ଅବସ୍ଥିତ ମହୁରୀ ରାଜବାଟୀ ଠାରୁ ଠାକୁରାଣୀ ଯାତ୍ରାର ପରମ୍ପରା ବିଚ୍ଛିନ୍ନ ହୋଇନାହିଁ ଏବଂ ଆଗାମୀରେ ହେବାର ସମ୍ଭାବନା ବି ନାହିଁ । ମହୁରୀ ରାଜବଂଶର ଇଷ୍ଟଦେବୀ ‘କାଳୁଆ’ ହେଲେ ବି ତାର ଦାୟାଦ୍ମାନେ ଭକ୍ତି ଭାବାପନ୍ନ ହୋଇ ଯାତ୍ରାର ଆରମ୍ଭରୁ ଶେଷ ଯାଏଁ ବଂଶାନୁକ୍ରମିକ ପରମ୍ପରା ବଜାୟ ରଖିଛନ୍ତି । ତେଣୁ ଯାତ୍ରା କାଳର ପ୍ରତିଦିନ ସନ୍ଧ୍ୟାରେ ଅସ୍ଥାୟୀ ମନ୍ଦିର (ବାପଘର)ରୁ ବାହାରି ରଜା ଗୁର୍ଜି ସ୍ଥିତ ମହୁରୀ ରାଜବାଟୀରୁ ପ୍ରଥମେ ଘଟ ପରିକ୍ରମାର ଶୁଭାରମ୍ଭ ହୁଏ । ସେଠାରୁ ବୈଧାନିକ ଭାବେ ସେବା, ପୂଜା, ଭୋଗ ଲାଗି ହୋଇ ମା ଅନ୍ୟତ୍ର ପରିକ୍ରମା କରନ୍ତି । ଏହା ହିଁ ଠାକୁରାଣୀ ଯାତ୍ରା ଐତିହ୍ୟର ଯତ୍କିଂଚିତ୍ ଜ୍ଞାତବ୍ୟ ତଥ୍ୟ ମାତ୍ର ।
ଏହି ଠାକୁରାଣୀ ଯାତ୍ରାର ଉଦ୍ଭବ ଓ ବିକାଶ କଳନା କରିବା ସହଜସାଧ୍ୟ ନୁହେଁ । କାରଣ ଅଧିକାଂଶ ତଥ୍ୟ ଏଯାବତ୍ ଉଦ୍ଧାର ହେଲା ଭଳି ମନେହୁଏ ନାହିଁ । ଯାହାକି ବୁଢ଼ୀ ମା’ଙ୍କ ନିର୍ଦ୍ଦେଶ କ୍ରମେ ଉନ୍ମୋଚିତ ହୋଇପାରେ ଆଗାମୀରେ ।
ପ୍ରତିଦିନ ସନ୍ଧ୍ୟାରେ ଦେଶୀବେହେରାଙ୍କ ସମ୍ପର୍କୀୟ ମହିଳାମାନେ ବହନ କରିଥିବା ୯ ଗୋଟି ଘଟ ଆଡ଼ମ୍ବର ଓ ପଟୁଆର ସହ ଅସ୍ଥାୟୀ ମନ୍ଦିରରୁ ରାଜବାଟୀ ଏବଂ ପରେ ପରେ ନିଦାନ ହୋଇଥିବା ସାହି ପରିକ୍ରମା କରନ୍ତି । ସେହି ପରିକ୍ରମାର ଇଲାକା ବି ସୀମିତ । ପ୍ରଥମେ ଜଉରା ସାହି ସ୍ଥିତ ମାଉସୀ ଘରକୁ ଯାଇ ଆସିଥାନ୍ତି ମା’ ଠାକୁରାଣୀ । ତା’ ପରଦିନଠୁଁ ମୁଖ୍ୟତଃ ଆବହମାନ କାଳରୁ ଆକର୍ଷଣୀୟ ରଥ ତିଆରି ହୋଇ ଯାତ୍ରା ବଜାରକୁ ଆସୁଥିବା ସାହି ଗୁଡ଼ିକ ପରିକ୍ରମା କରନ୍ତି ଘଟ ରୂପିଣୀ ମା’ । ପ୍ରମୁଖ ସାହି ହେଲା କାଳୁପାତ୍ର ସାହି (ଜ୍ୱାଳାମୁଖୀ), ଷଣ୍ଢମହାନ୍ତି ସାହି (କାଳୀ), ଆଗାସାହି (ବନଦୁର୍ଗା), ବାଚୁୱାରି ସାହି (ବୋଇତ), ଦେଶୀବେହେରା ସାହି (ବିଞ୍ଛଣା), ବାରିହାବିଲ ସାହି (ନୃସିଂହ), ଖାସ୍ପା ସାହି (ହରିଅର୍ଜୁନ), ପୁରୁଣା ବ୍ରହ୍ମପୁର ସାହି (କର୍ଣ୍ଣ), ନୃସିଂହ ଦେଉଳ ସାହି (ରାମଚନ୍ଦ୍ର), ରଜା ଗୁର୍ଜି (ଦଶମୁଣ୍ଡ ରାବଣ), ଶଙ୍ଖାରି ସାହି (ଶ୍ରୀଜଗନ୍ନାଥ), ସୀତାରାମ ସାହି (ନାଗାର୍ଜ୍ଜୁନ), ଜେନା ସାହି (ଲକ୍ଷ୍ମଣ), ପାଣିଗ୍ରାହୀପେଣ୍ଠ ସାହି (ହାତୀ) । ଏଥିମଧ୍ୟରୁ କେତୋଟି ବନ୍ଦ ହେଲାଣି ତ ଆଉ କେତୋଟି ସାହି ଭିତରେ ହିଁ ସ୍ଥାନ ପାଉଛନ୍ତି । ବଡ଼ବଜାର ପାଖାପାଖି ଏହି ସାହି ଗୁଡ଼ିକ ବ୍ୟତୀତ ଠାକୁରାଣୀ ଦେଉଳ ସାହି, ଖରୁଡ଼ା ସାହି, ଚନ୍ଦ୍ରଶେଖର ଦେଉଳ ସାହି, କରଣ ସାହି, କେଉଟ ସାହି, କୁଠାରୀ ମନ୍ଦିର ସାହି, ଗାଈଗୋଠ ସାହି, କାଞ୍ଜିଘର ସାହି, ଗଉଡ଼ ସାହି, ଚନ୍ଦ୍ରମା ସାହି, ମାର୍ଥା ସାହି, ପାଟରା ସାହି, ବାଲୁଙ୍କେଶ୍ୱର ଦେଉଳ ସାହି, ନୂଆ କାଳୁପାତ୍ର ସାହି, ଗୁରୁମୂର୍ତ୍ତି ପେଣ୍ଠ ସାହି ଏବଂ ଆଉ କେତୋଟି ଛଡ଼ା ଅନିବାର୍ଯ୍ୟ କାରଣ ବଶତଃ ଅନ୍ୟତ୍ର ଘଟ ପରିକ୍ରମା ହୁଏ ନାହିଁ ।
ଅନ୍ୟ ଏକ ସନ୍ଦିଗ୍ଧ ଘଟଣା ହେଲା ଯେ, ଆସିକା ରୋଡ୍ ସ୍ଥିତ ଗ୍ରାମଦେବତୀ ସାହିକୁ ଘଟ ରୂପିଣୀ ମା’ ଯାତ୍ରା କରନ୍ତି ନାହିଁ । ଏହା ଏକ ପୁରୁଣା ସାହି ଓ ଏହାର ଆୟତନ ଓ ଘରସଂଖ୍ୟା କମ୍ । ଯାହାକି ଅତୀତରେ ଥିଲା ଜନଶୂନ୍ୟ । ସେଠାରେ ବିଜେ କରିଛନ୍ତି ଗ୍ରାମଦେବତୀ । ସିଏ କୁଆଡ଼େ ଆବିର୍ଭାବ ହୋଇଥିଲେ ଗୋଟିଏ ଉଇହୁଙ୍କା ବିଳା ଭିତରୁ । କେବଳ ଗୋଟିଏ ଛୋଟ ପଥରଖଣ୍ଡ ଥିଲା ତାଙ୍କ ରୂପରେଖ । ଏହି ଘଟଣା ଦେବୀଙ୍କ ଇଚ୍ଛାରୁ ଦୃଶ୍ୟମାନ ଓ ପ୍ରଘଟ ହେବା ପରେ ଆଞ୍ଚଳିକ ଲୋକ ଶକ୍ତି ସମ୍ବଳ ଅନୁଯାୟୀ ପ୍ରାଚୀର ଘେରା ଛୋଟ ଏକ ମନ୍ଦିର କରି ନିରାଡ଼ମ୍ବର ଭାବେ ବିଗ୍ରହ ପ୍ରତିଷ୍ଠା କଲେ । ପ୍ରାଥମିକ ଭାବେ ସ୍ଥାନୀୟ ଜଣେ ଅଧେ ବ୍ରାହ୍ମଣଙ୍କ ଦ୍ୱାରା ପୂଜା ଆରାଧନାର ବ୍ୟବସ୍ଥା ହେଲା । କିନ୍ତୁ ନିର୍ଦ୍ଦିଷ୍ଟ ବାରିକ ସମ୍ପ୍ରଦାୟର କେହି ହେଲେ ନିଯୁକ୍ତ ହୋଇନଥିଲେ । କିଛି ବର୍ଷ ପରେ ଉତ୍ତର ପ୍ରଦେଶରୁ ‘ଗିରିବାବା’ ନାମକ ଜଣେ ବାବାଜୀ ଆସି ଲୋକଙ୍କ ଅନୁମତି ନେଇ ସେଠାରେ ରହି ଦେବୀଙ୍କ ପୂଜାରେ ନିୟୋଜିତ ହେଲେ । ପରେ ପରେ ସେ ମଦ୍ୟପାନ କରିବାରୁ ଦେବୀଙ୍କ ପୂଜା ବ୍ୟାହତ ହେଲା । ତେଣୁ ଶ୍ରଦ୍ଧାଳୁମାନେ ତାଙ୍କୁ ଧକ୍କା ଦେଇ ବିଦା କଲେ । କେତେଜଣ ବ୍ରାହ୍ମଣ ସ୍ୱଇଚ୍ଛାରେ ଦେବୀଙ୍କର ଦୈନନ୍ଦିନ ନୀତିକାନ୍ତି ଓ ଭୋଗରାଗର ଦାୟିତ୍ୱ ତୁଲାଇଲେ । ହେଲେବି ପାରମ୍ପରିକ ବାସନ୍ତିକ ଓ ନବରାତ୍ରି ପୂଜା ଜାକଜମକରେ ହୋଇପାରୁନଥିଲା ।
ଶାକ୍ତ ପରମ୍ପରାର ବିଶେଷତ୍ୱ ସଦୃଶ ଆଜି ବି ଗ୍ରାମାଞ୍ଚଳରେ ବିଜେ କରିଛନ୍ତି ‘ଗ୍ରାମଦେବତୀ’ । କିନ୍ତୁ ବ୍ରହ୍ମପୁରର ‘ଗ୍ରାମଦେବତୀ’ଙ୍କ ନାମକରଣ ସମ୍ପର୍କରେ ସଠିକ୍ ତଥ୍ୟ ଆବିଷ୍କୃତ ହୋଇପାରି ନାହିଁ । ସେ ହୁଏତ ଶ୍ରଦ୍ଧାଳୁମାନଙ୍କୁ ସ୍ୱପ୍ନାଦେଶ ଦେଇଥାଇ ପାରନ୍ତି । ତାଛଡ଼ା ବିଗତ ଅତୀତର ବ୍ରହ୍ମପୁର ଥିଲା ଆରଣ୍ୟକ ପରିବେଶ ଓ ପ୍ରାନ୍ତର ଆଦିରେ ପରିପୂର୍ଣ୍ଣ । ଆୟତନ ଦୃଷ୍ଟିରୁ ବିସ୍ତୃତ ହେଲେବି ତାହା ଥିଲା ଗ୍ରାମ୍ୟ ସଦୃଶ । ସେ ଦୃଷ୍ଟିରୁ ସ୍ଥାନୀୟ ଲୋକେ ‘ଗ୍ରାମଦେବତୀ’ ଆଖ୍ୟା ଦେଇଥାଇ ପାରନ୍ତି ।
ଶୁଣାଯାଏ ପଛପଟ କାଳୁପାତ୍ର ସାହି ପଟରୁ ପ୍ରତିଦିନ ଠିକ୍ ନିଶାର୍ଦ୍ଧରେ ବିଳା ନିକଟକୁ ଧାଡ଼ି ବାନ୍ଧି ଆସନ୍ତି ସାତ ଜଣ ଦିବ୍ୟ ସୁନ୍ଦରୀ, ପାଟପତ୍ନୀ ଆଭୁଷିତା ସ୍ତ୍ରୀ ଲୋକ । ସେଠାରେ ଏକତ୍ରିତ ହୋଇ ଭୟଙ୍କର ଚିତ୍କାର କରୁଥାନ୍ତି ଓ ରାତି ପାହିବା ଆଗରୁ ଉଭାନ୍ ହୋଇଯାଆନ୍ତି । ଜଣେ ଅଧେ ସେହି ଦୃଶ୍ୟ ଦେଖି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନେ ହୁଏତ ସପ୍ତମାତୃକା ହୋଇଥାଇପାରନ୍ତି । ଗ୍ରାମଦେବତୀ ସେମାନଙ୍କ ଜ୍ୟେଷ୍ଠା ଭଗ୍ନୀ ହୋଇଥାଇପାରନ୍ତି । ଗ୍ରାମଦେବତୀଙ୍କୁ ସ୍ମରଣ କଲେ ବିଷାକ୍ତ ସରୀସୃପ ଦଂଶନରୁ ଉପଶମ ମିଳେ ବୋଲି ଆଜି ବି ବିଶ୍ୱାସ ରହିଛି । ମାଙ୍ଗଳିକ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରେ ଗ୍ରାମଦେବତୀ ସର୍ବତ୍ର ଆବାହନ ପୂର୍ବକ ପୂଜା ପାଇଆସୁଛନ୍ତି।
ପାଷାଣୀ ରୂପୀ ଦେବୀ ବିଜେ ହୋଇଥିବା ବିଳା ଶୋଭା ବର୍ଦ୍ଧନ କରୁଥିଲା କେତେ ଗୋଟି ନାଲି ପତାକାରେ । ସରୀସୃପ ମାନଙ୍କ ତାହା ଥିଲା ବାସସ୍ଥଳୀ । ଲୋକଙ୍କ ମାଙ୍ଗଳିକ କାର୍ଯ୍ୟ ଅର୍ଥାତ୍ ବିବାହ, ବ୍ରତ ଇତ୍ୟାଦିର ମଙ୍ଗଳଣ ଦିନ ରାତିରେ ସ୍ତ୍ରୀ ଲୋକମାନେ ଆସି ପ୍ରଥମେ ବିଳା ନିକଟରେ ଦେବୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଥିଲେ ଧୂପ, ଦୀପ ଓ ନୈବେଦ୍ୟ ଏବଂ ତା’ପରେ ମନ୍ଦିରରେ । କିନ୍ତୁ ଆଜି ସେଇ ଗ୍ରାମଦେବତୀ ମନ୍ଦିରର ରୂପରେଖ ବଦଳି ଯାଇଛି । ମୂଳପୀଠ ବିଳା ଉପରେ ଚାରି ଦଶନ୍ଧି ହେଲା ପ୍ରତିଷ୍ଠିତ ହୋଇଛି ଦେବ ଦେବ ମହାଦେବ ‘ଉଦୟେଶ୍ୱର’ଙ୍କ ମନ୍ଦିର । ଏଣେ ବାମପାଶ୍ୱର୍ରେ ବିଜେ ଗ୍ରାମଦେବତୀ । ଗୋଟିଏ ବେଢ଼ା ଭିତରେ ଶିବ ଓ ଶକ୍ତି ବିଜେ ହୋଇ ଶ୍ରଦ୍ଧାଳୁ ମାନଙ୍କ ମନ ମୋହୁଛନ୍ତି । ଉଭୟଙ୍କ ସକାଶେ ସେବାୟତମାନେ ନିଯୁକ୍ତ ହୋଇଛନ୍ତି । ପାରମ୍ପରିକ ଜାନିଯାତ୍ରା, ଉତ୍ସବ, ମହୋତ୍ସବ ଅନୁଷ୍ଠିତ ହେଉଛି । ଗ୍ରାମଦେବତୀ ସାହି ବି ପରିବର୍ଦ୍ଧିତ ହୋଇ ଉନ୍ନତି ହୋଇଛି । ଏ ସବୁ କେବଳ ସମ୍ଭବ ହେଇପାରିଛି ଶିବ ଓ ଶକ୍ତିଙ୍କ ଅପୂର୍ବ ମହିମା ଓ ଇଚ୍ଛାରୁ । ଏହା ଅନସ୍ୱୀକାର୍ଯ୍ୟ ।
ଯଦିଓ ଶକ୍ତି ଏକ ଓ ଅଭିନ୍ନ, ତେବେ ଗ୍ରାମଦେବତୀ ସାହି ବୁଢ଼ୀ ଠାକୁରାଣୀଙ୍କ ଘଟ ପରିକ୍ରମାରୁ ବଞ୍ଚିତ ହୋଇଛି । ଆଜିବି ସାହି ବାସିନ୍ଦା ଓ ଆଖପାଖ ଅଞ୍ଚଳର ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ଯେ, ମା’ ବୁଢ଼ୀ ଠାକୁରାଣୀଙ୍କ ଠାରୁ ଗ୍ରାମଦେବତୀ କୁଆଡ଼େ ବୟସରେ ବଡ଼ । ଯଦି ତାହା ସତ୍ୟର ଅପଳାପ ନୁହେଁ, ତେବେ ଗଣଦେବୀ ହିସାବରେ ବୁଢ଼ୀ ମା’ ଠାକୁରାଣୀ ଆଡ଼ମ୍ବର ଓ ପଟୁଆର ସହ ସେହି ବାଟ ଦେଇ ଗଲେ ଜ୍ୟେଷ୍ଠା ଭଗ୍ନୀ ପ୍ରତି ଅବମାନନା ଓ ଅପମାନ ସୂଚକ ହୋଇପାରେ ନିଶ୍ଚୟ । ଯାହାକି ସାର୍ବଜନୀନ ରୂପେ ଗୃହୀତ ହୋଇପାରେ । କିନ୍ତୁ ଏପରି ଏକ ଜଣା-ଅଜଣା ଘଟଣା ବ୍ରହ୍ମପୁର ଠାକୁରାଣୀ ଯାତ୍ରା ବେଳେ କାଁ ଭାଁ ଆଲେଖ୍ୟରୁ ଉପଲବ୍ଧ ହୋଇନାହିଁ ଯଦିଓ, ଏବେ ବି ଗବେଷକ, ଶକ୍ତି ସାଧକ, ବିଜ୍ଞ ଲୋକଙ୍କ ଅଭାବ ନାହିଁ । ଯେଉଁମାନେ ଏ ରହସ୍ୟର ଉନ୍ମୋଚନ କରିପାରିଥାନ୍ତେ, ସେମାନେ ଆମ ଗହଣରେ ଆଜି ନାହାନ୍ତି । ତଥାପି ଶକ୍ତି ତତ୍ତ୍ୱ ସମ୍ବନ୍ଧୀୟ କେଉଁ ଗଭୀରତାର ପକ୍ଷପାତି ହୋଇ ଏହି ଘଟଣା ଲୁଚି ରହିଛି ତାହା ଲୋକ ଲୋଚନକୁ ଆସିପାରିନି । ଯଦି ଆସିଥାନ୍ତା ଶକ୍ତିପୂଜାରେ ଆହୁରି ବିଶେଷ ଭାବେ ପ୍ରଭାବିତ ହୋଇପାରନ୍ତା ସାମ୍ପ୍ରତିକ ସଭ୍ୟ ସମାଜ । ଏବଂ ବ୍ରହ୍ମପୁର ବାସିନ୍ଦାଙ୍କ ସନ୍ଦେହ ଦୂର ହୋଇପାରନ୍ତା ।
ଲେଖକ ଜଣେ ବିଶିଷ୍ଟ ନାଟ୍ୟକାର, ବରିଷ୍ଠ କବି ଓ କଥାକାର, ଗୀତିକାର ଏବଂ ସ୍ତମ୍ଭକାର ।
ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।