ରଣଜୀ ଟ୍ରଫି: ମୁମ୍ବାଇକୁ ହରାଇ ମଧ୍ୟପ୍ରଦେଶ ପ୍ରଥମ ଥର ଚାମ୍ପିୟନ

ବେଙ୍ଗାଲୁରୁ: ୪୧ ଥର ଚାମ୍ପିୟନ ମୁମ୍ବାଇକୁ ୬ ୱିକେଟରେ ହରାଇ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିଛି। ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଆଜି ପଞ୍ଚମ ଦିବସରେ ମୁମ୍ବାଇ ପ୍ରଦତ୍ତ ୧୦୮ ରନର ଲକ୍ଷ୍ୟକୁ ମଧ୍ୟପ୍ରଦେଶ ୪ ଓ୍ବିକେଟ ହରାଇ ହାସଲ କରିବା ସହ ପ୍ରଥମ ଥର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି | ମଧ୍ୟପ୍ରଦେଶର ଦ୍ୱିତୀୟ ଇନିଂସରେ ଓପନର୍ ହିମାଂଶୁ ମନ୍ତ୍ରୀ ୩୭ ରନ୍ ସଂଗ୍ରହ କରିଥିବାବେଳେ ଶୁଭମ୍ ଶର୍ମା ୩୦ ରନ୍ କରିବା ପରେ ଆଉଟ୍ ହୋଇଥିଲେ।ପ୍ରଥମ ଇନିଂସର ଶତକ ହାସଲକାରୀ ରଜତ ପାଟିଦାର ୩୦ ରନ୍ କରି ଅପରାଜିତ ରହିଥିଲେ । ମୁମ୍ବାଇ ପାଇଁ ଦ୍ୱିତୀୟ ଇନିଂସରେ ଧୱଲ କୁଲକର୍ଣ୍ଣି ଗୋଟିଏ ୱିକେଟ୍ ନେଇଥିବାବେଳେ ଶ୍ୟାମ ମୁଲାନି ତିନିଟି ୱିକେଟ୍ ନେଇଥିଲେ।

ଟାର୍ଗେଟର ପିଛା କରି ମଧ୍ୟପ୍ରଦେଶର ଆରମ୍ଭ ଭଲ ହୋଇନଥିଲା। ଦଳୀୟ ସ୍କୋର ୨ ରନ୍ ଥିବା ବେଳେ ଧୱଲ କୁଲକର୍ଣ୍ଣି ୟଶ ଦୁବେଙ୍କୁ ଆଉଟ୍ କରିଦେଇଥିଲେ । ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ୟଶ୍ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ହିମାଂଶୁ ମନ୍ତ୍ରୀ 37 ରନ୍ ସ୍କୋର କରିବା ପରେ ପ୍ୟାଭିଲିୟନକୁ ଫେରିଥିଲେ | ହିମାଂଶୁ ତାଙ୍କ ଇନିଂସରେ ୪ଟି ଚୌକା ମାରିଥିଲେ।

ଏହାପୂର୍ବରୁ ମୁମ୍ବାଇ ପଞ୍ଚମ ତଥା ଶେଷ ଦିନରେ ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର୍ ୧୧୩/୨ ରନରୁ ଆଗକୁ ଖେଳିବା ଆରମ୍ଭ କରି ୨୬୯ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ମୁମ୍ବାଇ ପକ୍ଷରୁ ସୁବେଦ ପାର୍କର ସର୍ବାଧିକ ୫୧ ରନ୍ କରିଥିବା ବେଳେ ସରଫରାଜ ଖାନ୍ ୪୫ ଓ କ୍ୟାପଟେନ ପୃଥ୍ବୀ ଶ’ ୪୧ ରନ୍ କରିଥିଲେ। ମଧ୍ୟପ୍ରଦେଶ ତରଫରୁ କୁମାର କାର୍ତ୍ତିକେୟ ୪ଟି ଓ୍ବିକେଟ୍ ନେଇଥିବା ବେଳେ ଗୌରବ ଯାଦବ ଓ ପାର୍ଥ ମାହାନ୍ତି ୨ଟି ଲେଖାଏଁ ଓ୍ବିକେଟ୍ ହାସଲ କରିଥିଲେ।

ମଧ୍ୟପ୍ରଦେଶ ଶେଷଥର ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ଅଧିନାୟକତ୍ୱରେ ୧୯୯୮-୯୯ ସିଜନରେ ରଣଜୀ ଟ୍ରଫି ଫାଇନାଲ ଖେଳିଥିଲା ​​| ତେବେ କର୍ଣ୍ଣାଟକ ଠାରୁ ହାରି ମଧ୍ୟପ୍ରଦେଶ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା । ଏବେ କୋଚ୍ ଭାବେ ଚନ୍ଦ୍ରକାନ୍ତ ପଣ୍ଡିତ ମଧ୍ୟପ୍ରଦେଶକୁ ଚାମ୍ପିୟନ କରାଇଛନ୍ତି।

Comments are closed.