ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଚଣ୍ଡିଗଡ଼: ଗତ ବର୍ଷ ଡିସେମ୍ବରରେ ଲୁଧିଆନା କୋର୍ଟ ପରିସରରେ ହୋଇଥିବା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ। ଶନିବାର ରାତିରେ ଏନ୍ଆଇଏ ସହିତ ଏସଟିଏଫ୍ ଏହି ଅପରେସନ୍ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ତାକୁ ପଚରାଉଚରା ଜାରି ରହିଛି।

ଏହା ପୂର୍ବରୁ ଏସଟିଏଫ୍ ଜଣେ ନାବାଳକଙ୍କ ସମେତ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ମାମଲାରେ ପାକିସ୍ତାନ ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଥିଲା। ପୋଲିସ କହିଛି ଯେ ଏହି ବିସ୍ଫୋରଣରେ ବ୍ୟବହୃତ ଆଇଇଡି ପ୍ରକୃତରେ ପାକିସ୍ତାନରେ ତିଆରି ଡ୍ରୋନ୍ ମାଧ୍ୟମରେ ଅଣାଯାଇଥିଲା। ପୋଲିସ ତଦନ୍ତରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଗିରଫ ହୋଇଥିବା ନାବାଳକ ହିଁ ଅଭିଯୁକ୍ତଙ୍କୁ ସମସ୍ତ ବୈଷୟିକ ସହାୟତା ଯୋଗାଉଥିଲା। ତାର ଅନ୍ତର୍ଜାତୀୟ ଖଲିସ୍ତାନ ସଂସ୍ଥା ସହ ମଧ୍ୟ ସମ୍ପର୍କ ଅଛି ବୋଲି ପୋଲିସ କହିଛି ।

ଗତ ବର୍ଷ ଡିସେମ୍ବର ୨୩ ରେ ଲୁଧିଆନା କୋର୍ଟ ପରିସରରେ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିଲେ। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଜର୍ମାନୀରେ ରହୁଥିବା ଆତଙ୍କବାଦୀ ଯଶବିନ୍ଦର ସିଂ ମୁଲତାନି ବିରୋଧରେ ମଧ୍ୟ ଏନ୍ଆଇଏ ମାମଲା ରୁଜୁ କରିଥିଲା । ଅପରପକ୍ଷରେ ଯେଉଁ ଆତଙ୍କବାଦୀଙ୍କ ମାଧ୍ୟମରେ ଏହି ଆକ୍ରମଣ କରାଯାଇଥିଲା, ସେମାନଙ୍କୁ ତଦନ୍ତ ସଂସ୍ଥା ଗିରଫ କରିଛି।

Comments are closed.