ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୦ ନବଜାତ ଶିଶୁ ଜୀବନ୍ତ ଦଗ୍ଧ

ମୁମ୍ବାଇ – ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ସରକାରୀ ହସ୍ପିଟାଲରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ହଠାତ୍ ନିଆଁ ଲାଗିଯାଇଥିଲା । ଏଥିରେ ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି । ରାତି ପ୍ରାୟ ୨ଟାରେ ଏହି ଘଟଣା ଘଟିଥିଲା । ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଡ୍ୟୁଟିରେ ଥିବା ଜଣେ ନର୍ସ ପ୍ରଥମେ ନବଜାତ ଶିଶୁ କେୟାର ୟୁନିଟରେ ଧୂଆଁ ବହାରୁ ଥିବା ଦେଖିଥିଲେ । ଉପସ୍ଥିତ ନର୍ସ କବାଟ ଖୋଲିବା ପରେ ସେଠାରେ ନିଆଁ ଲାଗିସାରିଥିଲା । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ସେତେବେଳକୁ ୧୦ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇସାରିଥିଲେ । ଶିଶୁ କେୟାର ୟୁନିଟରେ ଥିବା ୧୭ ଶିଶୁଙ୍କ ମଧ୍ୟରୁ କେବଳ ୭ ଜଣଙ୍କୁ ଉଦ୍ଧାର କରାଯାଇ ପାରିଥିଲା । ଏହି ଘଟଣା ସ୍ଥାନୀୟ ବାସିନ୍ଦାଙ୍କୁ ସ୍ତବ୍ଧ କରିଛି । ମୃତ ଶିଶୁମାନଙ୍କକ ବାପାମା’ ମାନେ ଦୁଃଖରେ ଭାଙ୍ଗିପଡିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାର ତଦନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ମର୍ମନ୍ତୁଦ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମହାରରାଷ୍ଟ୍ର ଭଣ୍ଡାରାରେ ହୃଦୟ ବିଦାରକ ଘଟଣାରେ ମୁଁ ବ୍ୟଥିତ । ଏଥିରେ ଅନେକ ବହୁମୂଲ୍ୟ ନବଜାତ ଶିଶୁଙ୍କ ଜୀବନ ଚାଲିଗଲା । ଆଶା ଆହତ ଶୀଘ୍ର ସୁସ୍ଥ ହେବେ ବୋଲି ମୋଦି ଟ୍ୱିଟ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି ।

Comments are closed.