ସବୁ ଫର୍ମାଟରୁ ୟର୍କର କିଙ୍ଗ୍ ମାଲିଙ୍ଗାଙ୍କ ଅବସର

ନୂଆଦିଲ୍ଲୀ: ନିଜ ଘାତକ ୟର୍କର ପାଇଁ ପରିଚିତ ଶ୍ରୀଲଙ୍କାର ଭେଟେରାନ ଦ୍ରୁତ ବୋଲର ଲସିଥ ମାଲିଙ୍ଗା କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ତାଙ୍କର ନୂଆ ୟୁଟ୍ୟୁବ୍ ଚ୍ୟାନେଲରେ ଏହା ଘୋଷଣା କରିଛନ୍ତି। ମାଲିଙ୍ଗା ଟି-୨୦ କ୍ରିକେଟରେ (ଅନ୍ତର୍ଜାତୀୟ ଓ ଘରୋଇ) ମୋଟ ୩୯୦ ୱିକେଟ୍ ନେଇଛନ୍ତି । ସେ ଏହି ଫର୍ମାଟରେ ଚତୁର୍ଥ ସଫଳ ବୋଲର । ବିଶ୍ୱର ସର୍ବବୃହତ ଟି -୨୦ ଲିଗ୍ ଆଇପିଏଲରେ ମଧ୍ୟ ମାଲିଙ୍ଗା ସର୍ବାଧିକ ୱିକେଟ୍ ନେଇଛନ୍ତି। ଆଇପିଏଲରେ ସେ ୧୭୦ ୱିକେଟ୍ ହାସଲ କରିଛନ୍ତି।

୩୮ ବର୍ଷୀୟ ମାଲିଙ୍ଗା ଶ୍ରୀଲଙ୍କା ପାଇଁ କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ମୋଟ ୫୪୬ ୱିକେଟ୍ ନେଇଛନ୍ତି। ସେ ୨୦୧୧ରେ ଟେଷ୍ଟ କ୍ରିକେଟ୍ ଏବଂ ୨୦୧୯ରେ ଦିନିକିଆ କ୍ରିକେଟ୍ ରୁ ଅବସର ଘୋଷଣା କରିଥିଲେ। ତେବେ ଏହା ପରେ ସେ ଶ୍ରୀଲଙ୍କା ପାଇଁ ଟି-୨୦ ଅନ୍ତର୍ଜାତୀୟ ଖେଳିବା ଜାରି ରଖିଥିଲେ।

ଭିଡିଓରେ ମାଲିଙ୍ଗା କହିଛନ୍ତି- ଯେଉଁମାନେ ମୋତେ ସମର୍ଥନ କରିଛନ୍ତି ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ମୋତେ ସମର୍ଥନ ଏବଂ ବିଶ୍ବାସ କରିଥିବାରୁ ମୁଁ ସମସ୍ତ ଅଧିକାରୀ, ମୁଁ ଖେଳିଥିବା ଦଳର ଖେଳାଳି, ମୁମ୍ବାଇ ଇଣ୍ଡିଆନ୍ସ, ମେଲବୋର୍ଣ୍ଣ ଷ୍ଟାର୍ସ ଏବଂ ସମସ୍ତ ଫ୍ରାଞ୍ଚାଇଜକୁ ଧନ୍ୟବାଦ ଜଣାଉଛି।

ୟୁଏଇରେ ଆସନ୍ତା ମାସରୁ ଆରମ୍ଭ ହେଉଥିବା ବିଶ୍ୱକପ ପାଇଁ ଶ୍ରୀଲଙ୍କା ଦଳରେ ତାଙ୍କୁ ସାମିଲ କରାଯାଇନଥିଲା । ଗତବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପରେ ଶ୍ରୀଲଙ୍କାର ନେତୃତ୍ୱ ନେବାକୁ ମାଲିଙ୍ଗା ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ କୋଭିଡ୍-୧୯ କାରଣରୁ ଉକ୍ତ ବିଶ୍ୱକପ ୨୦୨୨କୁ ସ୍ଥଗିତ ହୋଇଥିଲା ।

ଆଇପିଏଲର ସବୁଠୁ ସଫଳ ବୋଲର ମାଲିଙ୍ଗା ୮୪ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ୧୦୭ଟି ୱିକେଟ୍ ନେଇଥିଲେ । ଏହି ଷ୍ଟାର ପେସର ୨୨୬ ଦିନିକିଆରେ ୩୩୮ ଏବଂ ୩୦ ଟେଷ୍ଟରେ ୧୦୧ଟି ୱିକେଟ୍ ହାସଲ କରିଥିଲେ । ବିଶ୍ୱର ପ୍ରଥମ ବୋଲର ଭାବେ ମାଲିଙ୍ଗା ଟି୨୦ ଫର୍ମାଟରେ ୧୦୦ ୱିକେଟ୍ ନେଇଥିଲେ । ଡୁଏନ୍ ବ୍ରାଭୋ, ଇମ୍ରାନ ତାହିର ଏବଂ ସୁନୀଲ ନାରାଇନଙ୍କ ପରେ ମାଲିଙ୍ଗା ଏହି ଫର୍ମାଟର ଚତୁର୍ଥ ସଫଳ ବୋଲର ।

ଚଳିତ ବର୍ଷ ଜାନୁୟାରୀରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଦଳରୁ ରିଲିଜ୍ କରିବା ପରେ ମାଲିଙ୍ଗା ଫ୍ରାଞ୍ଚାଇଜ୍ କ୍ରିକେଟକୁ ଅଲବିଦା କହିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ସହ ୧୨ ବର୍ଷର ସଫଳ ଆଇପିଏଲ୍ ଯାତ୍ରାରେ ମାଲିଙ୍ଗା ଏହି ଦଳର ଚାରି ଟାଇଟଲ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ବାପାଙ୍କ ଅସୁସ୍ଥତା କାରଣରୁ ମାଲିଙ୍ଗା ଆଇପିଏଲ-୨୦୨୦ ସଂସ୍କରଣରୁ ଓହରି ଯାଇଥିଲେ ।

ମାଲିଙ୍ଗା ଦିନିକିଆ କ୍ରିକେଟରେ ତିନି ଥର ହ୍ୟାଟ୍ରିକ୍ ୱିକେଟ୍ ନେବାର ବିରଳ ସଫଳତା ଅର୍ଜନ କରିଛନ୍ତି । ବିଶେଷକରି ୨୦୦୭ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ପ୍ରଦର୍ଶନ ଇତିହାସରେ ଲିପିବଦ୍ଧ ହୋଇ ରହିଛି ।

Comments are closed.