ମମତା ବାନାର୍ଜୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ | News Room Odisha

ମମତା ବାନାର୍ଜୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ

କୋଲକାତା: ଜଲପାଇଗୁଡିରୁ ବାଗଡୋଗ୍ରା ଯାଉଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଖରାପ ପାଗ ଯୋଗୁଁ ହଠାତ୍ ସେବୋକ ଏୟାରବେସରେ ଜରୁରୀ ଅବତରଣ କରିଛି ।

ଉତ୍ତର ବଙ୍ଗଳା ନିର୍ବାଚନ ଗସ୍ତରେ ଯାଇଥିବା ମମତା ବାନାର୍ଜୀ ଜାଲପାଇଗୁଡି ଜିଲ୍ଲାର ମାଲୁବାଜାର ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ପରେ ବାଗଡୋଗ୍ରା ବିମାନବନ୍ଦରକୁ ଯାଉଥିଲେ।

ହେଲେ ଖରାପ ପାଗ ଯୋଗୁଁ ସେଠାରୁ ତାଙ୍କୁ ବିମାନ ଯୋଗେ କୋଲକାତା ଫେରିବାକୁ ପଡ଼ିଥିଲା । ହେଲିକପ୍ଟର ଏବଂ ବିମାନରେ ଥିବା ସମସ୍ତ ବ୍ୟକ୍ତି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି କୁହାଯାଇଛି ।

ଜଣେ ଅଧିକାରୀ କହିଛନ୍ତି ଯେ ଉଡ଼ାଣର ମାତ୍ର ୧୧ ମିନିଟ୍ ପରେ ହଠାତ୍ ପାଗ ଖରାପ ହୋଇଯାଇଥିଲା ଏବଂ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା | ନିକଟରେ ଏକ ଘଞ୍ଚ ଜଙ୍ଗଲ ଥିଲା | ଏହାକୁ ବିପଜ୍ଜନକ ମନେ କରି ପାଇଲଟ୍ ଶୀଘ୍ର ହେଲିକପ୍ଟରକୁ ଅନ୍ୟ ଦିଗକୁ ଡାଇଭର୍ଟ କରିଥିଲେ ।

ଅଧିକାରୀଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ତାଙ୍କର ଜଣେ ସୁରକ୍ଷା କର୍ମୀ ଏବଂ ଜଣେ ସାମ୍ବାଦିକ ମଧ୍ୟ ହେଲିକପ୍ଟରରେ ଥିଲେ। ଯେଉଁ ଦିଗରେ ଆକାଶ ନିର୍ମଳ ଦିଶୁଥିଲା ପାଇଲଟ୍ ସେହି ପଟେ ହେଲିକପ୍ଟରକୁ ଡାଇଭର୍ଟ କରିଥିଲେ | ପାଇଲଟ ସେଠାରେ ସେନା ଏୟାରବେସ ବିଷୟରେ ଅବଗତ ନଥିଲେ।

ସେ କହିଥିଲେ ଯେ କିଛି ସମୟ ପାଇଁ ଦ୍ୱନ୍ଦ୍ୱରେ ପଡ଼ି ଚିନ୍ତିତ ହେବା ପରେ ପାଇଲଟ୍ ସିଲିଗୁଡି ନିକଟସ୍ଥ ସାଲୁଗାରାରେ ସ୍ଥିତ ସେବୋକ ଏୟାରବେସକୁ ଦେଖି ସେଠାରେ ଜରୁରୀ ଅବତରଣ କରିଥିଲେ ।

ସେଠାରେ ସେନା ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହଯାତ୍ରୀମାନଙ୍କୁ ସେନା କାର୍ଯ୍ୟାଳୟକୁ ନେଇଥିଲେ। କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରୁ ସଡ଼କ ପଥ ଦେଇ ବାଗଡୋଗ୍ରା ଅଭିମୁଖେ ଯାତ୍ରା କରିଥିଲେ।