ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଉଥିବା ବ୍ୟକ୍ତି ବିହାରରୁ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପି ସଭାପତି ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ମହାରାଷ୍ଟ୍ର ପୋଲିସ ବିହାରରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ପାଓ୍ବାରଙ୍କୁ ଫୋନ୍ କରି ଘରକୁ ଆସି ଦେଶୀ ବନ୍ଧୁକରେ ତାଙ୍କୁ ଉଡ଼ାଇ ଦେବ ବୋଲି ଧମକ ଦେଇଥିଲା । ସେ ହିନ୍ଦୀରେ ପାଓ୍ବାରଙ୍କୁ ଏପରି ଧମକ ଦେଇଥିଲା। ପାୱାରଙ୍କ ବଙ୍ଗଳାରେ ମୁତୟନ ପୋଲିସ ଅପରେଟରଙ୍କ ଅଭିଯୋଗ ଆଧାରରେ ଗାମଦେବୀ ପୋଲିସ ମାମଲା ରୁଜୁ କରିଥିଲା । କଲ୍ ଲୋକେସନରୁ ପୋଲିସ ଅଭିଯୁକ୍ତକୁ ଠାବ କରି ତାକୁ ଚେତାବନୀ ଦେଇଥିଲା । ତଥାପି ସେ ପାଓ୍ବାରଙ୍କ ଘରକୁ ଫୋନ୍ କରୁଥିଲା ।

ଗତ ୪ ରୁ ୫ ମାସ ଧରି ଶରଦ ପାୱାରଙ୍କ ସିଲଭର ଓକ୍ ବାସଭବନକୁ ବ୍ୟକ୍ତି ଜଣକ ଲଗାତର ଫୋନ୍ କରୁଥିଲା । ଶେଷରେ ପୋଲିସ ଆଇପିସିର ଦଫା ୨୯୪, ୫୦୬ (୨) ଅନୁଯାୟୀ ଏକ ମାମଲା ରୁଜୁ କରି ବିହାରରୁ ନାରାୟଣ କୁମାର ସୋନି ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା | ହତ୍ୟା ଧମକର କାରଣ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ ସେ ପୁଣେରେ ୧୦ ବର୍ଷ ରହିଥିଲେ । ସେଠାରେ ତାଙ୍କ ପତ୍ନୀ ତାଙ୍କୁ ଛାଡି ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ଏନେଇ ଶରଦ ପାୱାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ କିଛି ପଦକ୍ଷେପ ନେଇ ନଥିଲେ । ତେଣୁ ସେ ପାଓ୍ଵାରଙ୍କୁ ଫୋନ୍ କରି ଏପରି ଧମକ ଦେଉଥିଲେ।

Comments are closed.