କେରଳ: ନାଗ ସାପ ଲଗାଇ ପତ୍ନୀକୁ ହତ୍ୟା କରିଥିବା ସ୍ବାମୀକୁ ଡବଲ୍ ଆଜୀବନ କାରାଦଣ୍ଡ

କୋଚି: ସାପ ଲଗାଇ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଏସ୍.ସୂରଜ ନାମକ ବ୍ୟକ୍ତିଙ୍କୁ କେରଳର କୋଲାମସ୍ଥିତ ସେସନ୍ସ କୋର୍ଟ ଡବଲ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂରଜ ପ୍ରଥମେ ତାଙ୍କ ପତ୍ନୀଙ୍କୁ ନିଦ ବଟିକା ଦେଇଥିଲେ । ସେ ଶୋଇ ପଡ଼ିବା ପରେ ପତ୍ନୀଙ୍କ ଉପରକୁ ବିଷଧର ନାଗ ସାପ ଛାଡ଼ି ଦେଇଥିଲେ ସୂରଜ। ସାକ୍ଷ୍ୟ ପ୍ରମାଣ ଆଧାରରେ କୋର୍ଟ ତାଙ୍କୁ ଏହି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଏହାକୁ ବିରଳରୁ ବିରଳତମ ମାମଲା ବୋଲି କହିଥିଲେ, କିନ୍ତୁ ପି.ସୂରଜଙ୍କ ବୟସ(୩୨)କୁ ବିଚାର କରି ତାଙ୍କୁ ମୃତ୍ୟୁଦଣ୍ଡରୁ ମୁକ୍ତି ପ୍ରଦାନ କରିଛନ୍ତି। ଏଭଳି ଅପରାଧୀ ଚିନ୍ତାଧାରା ଥିବା ଲୋକଙ୍କୁ ଏହା ଏକ ଭୁଲ ବାର୍ତ୍ତା ପଠାଇବ ବୋଲି କୋର୍ଟ କହିଛନ୍ତି।

ଦେଶରେ ବୋଧହୁଏ ଏହା ପ୍ରଥମ ଘଟଣା, ଯେଉଁଥିରେ କାହାକୁ ମାରିବା ପାଇଁ ବିଷାକ୍ତ ସାପକୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଇଥିଲା। କୋର୍ଟ ସୂରଜଙ୍କୁ ନିଜ ପତ୍ନୀଙ୍କ ହତ୍ୟା ପାଇଁ‌ ଦ୍ବୈତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ହତ୍ୟା ଉଦ୍ୟମ ଓ ପ୍ରମାଣ ନଷ୍ଟ ପାଇଁ ଅତିରିକ୍ତ ୧୭ ବର୍ଷ ସଜା ବି ଶୁଣାଇଛନ୍ତି ।

କୋର୍ଟ କହିଛନ୍ତି ଯେ ୩୨ ବର୍ଷୀୟ ସୂରଜଙ୍କୁ ସମସ୍ତ ଦଣ୍ଡ ପୃଥକ ଭାବରେ ଭୋଗିବାକୁ ପଡିବ। ୧୭ ବର୍ଷ ଦଣ୍ଡ କାଟିବା ପରେ ହିଁ ତାଙ୍କ ଦ୍ବୈତ ଆଜୀବନ କାରାଦଣ୍ଡ ଆରମ୍ଭ ହେବ, ଅର୍ଥାତ୍ ତାଙ୍କୁ ବାକି ଜୀବନ ଜେଲରେ ହିଁ ବିତାଇବାକୁ ପଡିବ |
ସୋମବାର କୋଲାମର ଷଷ୍ଠ ଅତିରିକ୍ତ ସେସନ୍ସ କୋର୍ଟ ସୂରଜଙ୍କୁ ୨୩ ବର୍ଷିୟା ପତ୍ନୀ ଉଥ୍ରାଙ୍କୁ ଗତ ବର୍ଷ ମେ ମାସରେ ଏକ କୋବ୍ରା ସାପ ଲଗାଇ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ।

କିନ୍ତୁ ତାଙ୍କ ପତ୍ନୀ ଉଥ୍ରାଙ୍କ ପରିବାର ସଦସ୍ୟ ସୂରଜଙ୍କ ଉପରେ ହୋଇଥିବା ଦଣ୍ଡାଦେଶରେ ସନ୍ତୁଷ୍ଟ ନୁହଁନ୍ତି। ସେମାନେ କହିଛନ୍ତି ଯେ ସୂରଜଙ୍କଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ । ସେମାନେ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟ ଯିବେ ବୋଲି କହିଛନ୍ତି। ଉତ୍ରାଙ୍କ ମା ମଣିମେଖଲା କହିଛନ୍ତି ଯେ ସୂରଜ ପୂର୍ବରୁ ଦୁଇଥର ହତ୍ୟା ଉଦ୍ୟମ କରିଥିଲେ ଏବଂ ତୃତୀୟ ଥର ପାଇଁ ତାଙ୍କ ଜୀବନ ନେଇଥିଲେ।

ଗତବର୍ଷ ମେ’ରେ ଏହି ଘଟଣା ଘଟିଥିଲା। ସୂରଜ ନିଜ ପତ୍ନୀ ଉଥ୍ରାଙ୍କୁ ଶୋଇଥିବା ବେଳେ ନାଗସାପ ଲଗାଇ ହତ୍ୟା କରିଥିଲେ । ପ୍ରଥମେ ସାପ କାମୁଡ଼ାରେ ଉଥ୍ରାଙ୍କ ମୃତ୍ୟୁ ହୋଇଥିବା ମନେ କରାଯାଉଥିଲା । କିନ୍ତୁ ଉକ୍ତ ଘଟଣାର ଦୁଇ ମାସ ଆଗରୁ ମଧ୍ୟ ଉଥ୍ରାଙ୍କୁ ଶୋଇଥିବା ବେଳେ ଏକ ଭାଇପର ସାପ କାମୁଡ଼ି ଦେଇଥିଲା । ସେତେବେଳେ ଉଥ୍ରା ବଞ୍ଚିଯାଇଥିଲେ । ଉଥ୍ରା ଦୁଇ ଥର ଏପରି ସାପ କାମୁଡ଼ାର ଶିକାର ହେବା ନେଇ ତାଙ୍କ ପରିବାର ଲୋକଙ୍କ ସୂରଜଙ୍କ ଉପରେ ସନ୍ଦେହ ହୋଇଥିଲା । ଉଥ୍ରାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ କୋଲ୍ଲାମ ସଦର ଏସପି ହରିଶଙ୍କରଙ୍କ ତତ୍ତ୍ଵାବଧାନରେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସ୍ବାମୀ ସୂରଜଙ୍କ ଦ୍ବାରା ଏହା ଏକ ସୁପରିକଳ୍ପିତ ହତ୍ୟା ଥିଲା ବୋଲି ଜଣାପଡ଼ିଥିଲା । ଉଥ୍ରାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ଯେ ଉଥ୍ରାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା । ଏହି କାରଣରୁ ଉଥ୍ରାଙ୍କୁ ହତ୍ୟା କରାଯାଇଥିଲା ।

Comments are closed.