ଯଦି ଇମ୍ରାନଙ୍କୁ ଭାରତ ଏତେ ଭଲ ଲାଗୁଛି, ସେଠାକୁ ସେ ପଳାନ୍ତୁ’

ଇସଲାମାବାଦ: ଭାରତର ପ୍ରଶଂସା କରିଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁଖ୍ୟ ବିରୋଧୀ ଦଳ ପିଏମଏଲ-ଏନର ନେତ୍ରୀ ମରିୟମ ନୱାଜ ସମାଲୋଚନା କରିଛନ୍ତି। ମରିୟମ ଟ୍ବିଟ୍ କରି କହିଛନ୍ତି ଯେ ଯଦି ଇମ୍ରାନଙ୍କୁ ଭାରତ ଏତେ ଭଲ ଲାଗୁଛି, ତେବେ ସେଠାକୁ ସେ ଚାଲିଯାଆନ୍ତୁ ଏବଂ ପାକିସ୍ତାନବାସୀଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ ।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୁକ୍ରବାର ଦିନ ଦେଶକୁ ସମ୍ବୋଧନ କରିବାବେଳେ ସଂସଦର ପୁନଃ ସ୍ଥାପନ ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ଏହି ସମୟ ମଧ୍ୟରେ ସେ ବିରୋଧୀ ଦଳ ଉପରେ ଗମ୍ଭୀର ଅଭିଯୋଗ ଆଣି ଭାରତକୁ ମଧ୍ୟ ପ୍ରଶଂସା କରିଥିଲେ |

ଇମ୍ରାନ ଖାନ କହିଥିଲେ ଯେକୌଣସି ବିଦେଶୀ ଶକ୍ତି ଭାରତର ବୈଦେଶିକ ନୀତିରେ ହସ୍ତକ୍ଷେପ କରିବାକୁ ସାହସ କରନ୍ତି ନାହିଁ। ଭାରତ ଏକ ଗର୍ବିତ ଦେଶ |

ଭାରତର ବୈଦେଶିକ ନୀତି ସ୍ୱାଧୀନ । ପାଶ୍ଚାତ୍ୟ ଦେଶମାନଙ୍କ ଚାପକୁ ବେଖାତିର କରି ଭାରତ ରୁଷରୁ ତେଲ ନେଉଛି ବୋଲି ସେ କହିଥିଲେ। ଭାରତର ଲୋକ ନିଜ ଆତ୍ମସମ୍ମାନ ଓ ସ୍ବାଭିମାନକୁ ପ୍ରାଥମିକତା ଦିଅନ୍ତି ।

ତାଙ୍କ ସମ୍ବୋଧନ ପରେ ମରିୟମ ନୱାଜ ଟ୍ୱିଟ୍ କରି କହିଥିଲେ, “ଆପଣ ଯେଉଁ ଭାରତର ପ୍ରଶଂସା କରୁଛନ୍ତି, ସେହି ଦେଶର ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବାର ଇତିହାସ ରହିଛି। ସମ୍ବିଧାନ, ଗଣତନ୍ତ୍ର ଏବଂ ନୀତି ସହିତ କେହି ଖେଳି ନାହାଁନ୍ତି | ବାଜପେୟୀ ଗୋଟିଏ ଭୋଟରେ ହାରି ଘରକୁ ଯାଇଥିଲେ। ଆପଣଙ୍କ ଭଳି ଦେଶ, ସମ୍ବିଧାନ ଏବଂ ଲୋକମାନଙ୍କୁ ବନ୍ଧକ ରଖିନଥିଲେ |

ପରବର୍ତ୍ତୀ ଟ୍ୱିଟରେ ମରିୟମ ଲେଖିଛନ୍ତି ଯେ ‘ କ୍ଷମତା ପାଇଁ କେହି କାନ୍ଦୁଥିବା ମୁଁ ପ୍ରଥମ ଥର ଦେଖୁଛି। ସେହି ବ୍ୟକ୍ତି ଜଣକ ତାଙ୍କୁ କେହି ସମର୍ଥନ କରୁନାହାନ୍ତି ବୋଲି କାନ୍ଦୁଛନ୍ତି | ହେ ଭାଇ, ଆଖି ଖୋଲ ଏବଂ ଦେଖ, ସାଢ଼େ ତିନି ବର୍ଷ ମଧ୍ୟରେ ଆପଣ ଯେଉଁଭଳି ଗରିବ ଲୋକଙ୍କୁ କନ୍ଦାଉଥିଲ ସେମାନେ ଏବେ ଆପଣଙ୍କ ଶାସନରୁ ମୁକ୍ତି ମିଳିଥିବାରୁ ଖୁସି ହେଉଛନ୍ତି ।”

ଅନାସ୍ଥା ପ୍ରସ୍ତାବ ମାମଲାରେ ସୁପ୍ରିମକୋର୍ଟରେ କେସ୍ ହାରିବା ପରେ ଇମ୍ରାନ ଖାନ ଆଜି ସଂସଦରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ । ଆଜି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ ।

Comments are closed.