ଲେଖକ: ବିଜନ କୁମାର ମହାପାତ୍ର
‘ମୁକ୍ତାର ସହର’ ହାଇଦ୍ରାବାଦ ଉପକଣ୍ଠରେ ପ୍ରତିଷ୍ଠା ହୋଇଛି ବିଶ୍ୱର ବୃହତ୍ତମ ଫିଲ୍ମ ଷ୍ଟୁଡିଅ କମ୍ପେକ୍ଲ୍ସ – ‘ରାମୋଜୀ ଫିଲ୍ମ ସିଟି’ । ୧୯୯୬ ମସିହାରେ ଏହି ବିଶାଳ ଷ୍ଟୁଡିଅ କମ୍ପେକ୍ଲସର ଶୁଭାରମ୍ଭ ଅବସରରେ ଏହାର ପ୍ରତିଷ୍ଠାତା ମିଡିଆ ମୋଗଲ ରାମୋଜୀ ରାଓ କିଛି ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ କହିଥିଲେ ଯେ, ‘ଫିଲ୍ମ ନିର୍ମାତାମାନେ ସ୍କ୍ରିପ୍ଟ ଧରି ଏଠାକୁ ଆସନ୍ତୁ ଓ ସଂପୂର୍ଣ୍ଣ ଫିଲ୍ମ ଧରି ଏଠାରୁ ଯାଆନ୍ତୁ ।’ ରାମୋଜୀ ଫିଲ୍ମ ସିଟିର ବିଶେଷତ୍ୱ ସଂପର୍କରେ ସାମ୍ବାଦିକମାନଙ୍କୁ ଗୋଟିଏ ଲାଇନରେ ବୁଝାଇ ଦେଇଥିଲେ ରାମୋଜୀ ରାଓ । ବିଶ୍ୱର ବୃହତ୍ତମ ଫିଲ୍ମ ଷ୍ଟୁଡିଓ କମ୍ପେକ୍ଲସ – ରାମୋଜୀ ଫିଲ୍ମ ସିଟି ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ‘ୱାନ୍ ଷ୍ଟପ୍ ଡେଷ୍ଟିନେସନ’ରେ ପରିଣତ ହୋଇଛି । ଚଳଚ୍ଚିତ୍ର ନିର୍ମାଣ ପାଇଁ ଏଠାରେ ରହିଛି ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ଓ ଆନୁଷଙ୍ଗିକ ଭିତ୍ତିଭୂମି । ରାମୋଜୀ ଫିଲ୍ମ ସିଟି ଥିଲା ରାମୋଜୀ ରାଓଙ୍କ ସବୁଠୁ ବଡ ଡ୍ରିମ୍ ପ୍ରୋଜେକ୍ଟ । ଭାରତର ଅଗ୍ରଣୀ ଗଣମାଧ୍ୟମ ବ୍ୟକ୍ତିତ୍ୱ ଭାବେ ଦେଶବିଦେଶରେ ପ୍ରସିଦ୍ଧି ହାସଲ କରିଥିବା ରାମୋଜୀ ରାଓ ଏଭଳି ଅନେକ ପ୍ରକଳ୍ପର କଳ୍ପନା କରି ସେସବୁର ବାସ୍ତବ ରୂପ ଦେଇଛନ୍ତି । ସାମ୍ବାଦିକତା, ଚଳଚ୍ଚିତ୍ର ଶିଳ୍ପ ସହ ଅନ୍ୟାନ୍ୟ ଉଦ୍ୟୋଗରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମବିଭୂଷଣ ସମ୍ମାନପ୍ରାପ୍ତ ରାମୋଜୀ ରାଓ କିଛି ଦିନ ତଳେ ପରଲୋକ ଗମନ କରିଛନ୍ତି । ତାଙ୍କର ଅବର୍ତ୍ତମାନ ଦେଶର ମିଡିଆ ଓ ମନୋରଞ୍ଜନ ଶିଳ୍ପ କ୍ଷେତ୍ରରେ ଏକ ବିରାଟ ଓ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ।
ରାମୋଜୀ ରାଓ ଥିଲେ ବହୁୁମୁଖୀ ପ୍ରତିଭା। ଜଣେ ଯୋଗଜନ୍ମା। ଜଣେ ସଫଳ ଉଦ୍ୟୋଗୀ । ଉଭୟ ଛାପା ଓ ବୈଦ୍ୟୁତିକ ସାମ୍ବାଦିକତା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନର ପ୍ରବର୍ତ୍ତକ ଥିଲେ ରାମୋଜୀ ରାଓ । ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ରାମୋଜୀ ରାଓ ୧୯୬୯ ମସିହାରେ ପ୍ରଥମେ ସାମ୍ବାଦିକତା କ୍ଷେତ୍ରରେ ପ୍ରବେଶ କରିଥିଲେ । ‘ଅନ୍ନଦାତା’ ନାମକ ଏକ ମାସିକ ପତ୍ରିକା ଥିଲା ରାମୋଜୀ ରାଓଙ୍କ ସାମ୍ବାଦିକତା ଜୀବନର ପ୍ରଥମ ପାହାଚ । ନିଜେ ଏକ କୃଷକ ପରିବାରରେ ଜନ୍ମ ହୋଇଥିବା ରାମୋଜୀ ରାଓ କୃଷକଙ୍କ କଲ୍ୟାଣ ପାଇଁ ବ୍ୟକ୍ତିଗତ ଭାବେ ସମସ୍ତ ପ୍ରକାର ପ୍ରଚେଷ୍ଟା କରୁଥିଲେ । ଆଉ ସେହି ପ୍ରଚେଷ୍ଟାର ସଫଳ ସୃଷ୍ଟି ଭାବେ ଅନ୍ନଦାତା ପତ୍ରିକା କୃଷକମାନଙ୍କ ପାଇଁ ଥିଲା ସଂପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ । ଅନ୍ନଦାତା ପତ୍ରିକା ପ୍ରତିଷ୍ଠା ପୂର୍ବରୁ ସେ ପେଷାଦାର ବିଜ୍ଞାପନ ଦୁନିଆରେ ସକ୍ରିୟ ରହିବା ସହ ଲୋକପ୍ରିୟ ‘ପ୍ରିୟା ଆଚାର’ର ମାଲିକ ଭାବେ ପରିିଚିତ ଥିଲେ । ୧୯୭୪ ମସିହାରେ ଆତ୍ମପ୍ରକାଶ କରିଥିଲା ରାମୋଜୀଙ୍କ ‘ଇନାଡୁ’ ଦୈନିକ । ରାମୋଜୀ ରାଓଙ୍କ ସାମ୍ବାଦିକତା ଜୀବନରେ ଇନାଡୁ ଥିଲା ଏକ ମାଇଲଖୁଂଟ । ଆଂଚଳିକ ଭାଷାର ସମ୍ବାଦପତ୍ର ଶିଳ୍ପରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା ଇନାଡୁ ଖବରକାଗଜ । ସୃଷ୍ଟି କରିଥିଲା ଏକ ନୂଆ ଧାରା । ତତ୍କାଳୀନ ଅବିଭାଜିତ ଆନ୍ଧ୍ର ପ୍ରଦେଶରେ ଖୁବ୍ କମ୍ ସମୟ ମଧ୍ୟରେ ଇନାଡୁ ତେଲେଗୁ ପାଠକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଓ ପ୍ରଭାବଶାଳୀ ଖବରକାଗଜ ଭାବେ ପ୍ରତିଷ୍ଠିତ ହୋଇପାରିଥିଲା । ଇନାଡୁର ଲୋକପ୍ରିୟତା ପଛରେ ଥିଲା ରାମୋଜୀ ରାଓଙ୍କ ଦୂରଦୃଷ୍ଟି ଓ ବିଚକ୍ଷଣ ପ୍ରସାର ରଣନୀତି । ଖବର ସମେତ ବିଭିନ୍ନ ବର୍ଗର ପାଠକଙ୍କ ପାଇଁ ଦୈନିକ ଭିନ୍ନ ସ୍ୱାଦର ଉପାଦେୟ ଓ ମନଛୁଆଁ ଫିଚର୍ ଇନାଡକୁ ଲୋକପ୍ରିୟ ଖବରକାଗଜରେ ପରିଣତ କରିଥିଲା । ଲୋକେ କିଛି ନୂଆ ପଠନୀୟ ବିଷୟବସ୍ତୁ ପାଇଥିଲେ । ଇନାଡରୁ କଲର ପ୍ରିଣ୍ଟିଂ ଆରମ୍ଭ କରିଥିଲେ ରାମୋଜୀ ରାଓ, ଯାହାକି କୌଣସି ତେଲେଗୁ ଖବରକାଗଜ ପାଇଁ ଥିଲା ପ୍ରଥମ । ଇନାଡୁର ବିଭିନ୍ନ ଜିଲ୍ଲା ସଂସ୍କରଣ ମଧ୍ୟ ପ୍ରକାଶ ପାଇଲା । କୌଣସି ଆଂଚଳିକ ଖବରକାଗଜ କ୍ଷେତ୍ରରେ ବିଭିନ୍ନ ଜିଲ୍ଲାର ସଂସ୍କରଣ ଥିଲା ପ୍ରଥମ । କୋଣ ଅନୁକୋଣରୁ ଖବର ସଂଗ୍ରହ ପାଇଁ ପ୍ରତି ମଣ୍ଡଳ( ସର୍କଲ ) ସ୍ତରରେ ଷ୍ଟ୍ରିଙ୍ଗର୍ ଓ କଂଟ୍ରିବ୍ୟୁଟରମାନଙ୍କୁ ସଂପୃକ୍ତ କରିଥିଲେ ରାମୋଜୀ ରାଓ । ଖବର ସଂଗ୍ରହର ଏହା ଥିଲା ଆଉ ଏକ ଅଭିନବ ମାଧ୍ୟମ । ଇନାଡୁ ଖବରକାଗଜ ଦୁର୍ଗମ ଓ ଦୂରଦୂରାନ୍ତରରେ ଥିବା ପାଠକମାନଙ୍କଠାରେ ଯେଭଳି ଶୀଘ୍ର ପହଂଚିବ, ସେଥିପାଇଁ ରାଜ୍ୟ ସଡକ ପରିବହନ ନିଗମ ( ଆରଟିସି )ର ବସ୍ କଣ୍ଡକ୍ଟରମାନଙ୍କ ସହାୟତା ନେଇଥିଲେ ରାମୋଜୀ ରାଓ । ସୂର୍ଯ୍ୟ ଉଇଁବା ଆଗରୁ ପାଠକଙ୍କ ପାଖରେ ଇନାଡୁ ପହଂଚୁ ବୋଲି ରାମୋଜୀ ରାଓ ଚାହୁଁଥିଲେ । ସେତେବେଳେ ପ୍ରକାଶ ପାଉଥିବା ଅନେକ ତେଲେଗୁ ଦୈନିକ ପାଠକଙ୍କ ପାଖରେ ବହୁତ ଡେରିରେ ପହଂଚୁଥିଲା । କିନ୍ତୁ ଇନାଡୁ ସହ ବଦଳିଗଲା ଏହି ଧାରା । ରଂଗୀନ ପ୍ରିଂଟ୍, ସରଳ ସାବଲୀଳ ଭାଷା ଓ ମନଛୁଆଁ ହେଡଲାଇନ୍ ଯୋଗୁଁ ଇନାଡୁକୁ ଆଦରି ନେଇଥିଲେ ପାଠକ । ପ୍ରକାଶ ପାଇବାର ମାତ୍ର ଚାରିବର୍ଷ ମଧ୍ୟରେ ଇନାଡୁ ତତ୍କାଳୀନ ଆନ୍ଧ୍ର ପ୍ରଦେଶର ଏକ ନମ୍ବର ଦୈନିକରେ ପରିଣତ ହୋଇପାରିଥିଲା । ନୂଆ ନୂଆରେ ପ୍ରକାଶିତ ହେଲା ପରେ ପ୍ରସାରଣ ବଢାଇବା ଲକ୍ଷ୍ୟରେ ପ୍ରଥମେ ଏହାର ନମୁନା କପିଗୁଡିକ ମୁକ୍ତରେ ବିଭିନ୍ନ ଘରକୁ ବଂଟନ କରାଯାଇଥିଲା । ଏସବୁ ଅଭିନବ ରଣନୀତି ଓ ପଦକ୍ଷେପ ହିଁ ଇନାଡୁ ଆନ୍ଧ୍ର ପ୍ରଦେଶର ସର୍ବାଧିକ ପ୍ରସାରିତ ଓ ସର୍ବାଧିକ ଲୋକପ୍ରିୟ ଦୈନିକରେ ପରିଣତ ହୋଇପାରିଥିଲା । ଇନାଡୁ ଯେ କେବଳ ତେଲେଗୁ ସାମ୍ବାଦିକତା ନୁହେଁ, ବରଂ ଭାରତରେ ଆଂଚଳିକ ଭାଷା ସାମ୍ବାଦିକତାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାମୋଜୀ ରାଓଙ୍କ ଭଳି ଜଣେ ଦକ୍ଷ ସାମ୍ବାଦିକ ଓ ଦୂରଦୃଷ୍ଟିସଂପ୍ନନ ଉଦ୍ୟୋଗୀ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା ।
ଇନାଡୁ ଖବରକାଗଜର ଅନେକ ବର୍ଷ ପରେ ରାମୋଜୀ ରାଓ ‘ନ୍ୟୁଜଟାଇମ’୍ ନାମକ ଏକ ଇଂରାଜୀ ଦୈନିକ ଆରମ୍ଭ କରିଥିଲେ । ପ୍ରତିଭାବାନ ଓ ନୂଆ ନୂଆ ସାମ୍ବାଦିକତା କରୁଥିବା ଯୁବକମାନଙ୍କ ପାଇଁ ନ୍ୟୁଜଟାଇମ ଥିଲା ଏକ ଭଲ ପ୍ଲାଟଫର୍ମ । କିନ୍ତୁ ଇନାଡୁ ଭଳି ନ୍ୟୁଜଟାଇମ ଆଦୃତ ହୋଇପାରିଲା ନାହିଁ । ତେଣୁ ଏହାର ପ୍ରକାଶନ ବନ୍ଦ ହୋଇଯାଇଥିଲା । ବୋଧହୁଏ ନ୍ୟୁଜଟାଇମ୍ ରାମୋଜୀ ରାଓଙ୍କର ଏକମାତ୍ର ବିଫଳ ବ୍ୟବସାୟିକ ଉଦ୍ୟମ । ସବୁଠୁ ବଡ କଥା ହେଲା, ରାମୋଜୀ ରାଓ କେବେବି ଶସ୍ତା ଲୋକପ୍ରିୟତାରେ ବିଶ୍ୱାସ କରୁନଥିଲେ । ବିଜ୍ଞାପନ ଉପରେ ସେ କେବେ ବି ନିର୍ଭରଶୀଳ ନଥିଲେ । ବୈଚାରିକ ଦୃଷ୍ଟିକୋଣରୁ ଆନ୍ଧ୍ର ପ୍ରଦେଶର ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥକ ଥିଲେ ମଧ୍ୟ କୌଣସି ନେତା ବା ମୁଖ୍ୟମନ୍ତ୍ରୀଙ୍କ ଆନୁଗତ୍ୟ ସ୍ୱୀକାର କରିନଥିଲେ । ବରଂ ମୁଖ୍ୟମନ୍ତ୍ରୀମାନେ ରାମୋଜୀ ରାଓଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ନିକଟକୁ ଆସୁଥିଲେ ।
ଟିଭି ଦୁନିଆରେ ମଧ୍ୟ ପାଦ ରଖିଥିଲେ ରାମୋଜୀ ରାଓ । ନବେ ଦଶକରେ ଭାରତରେ ଘରୋଇ ଟେଲିଭିଜନ ପ୍ରସାରଣର ଯୁଗ ଆରମ୍ଭ ହୋଇଥିଲା । ସମୟର ଆବଶ୍ୟକତାକୁ ଠଉରେଇ ଇନଫୋଟେନମେଂଟ୍ ଟିଭି ପ୍ରସାରଣ କ୍ଷେତ୍ରରେ ପ୍ରବେଶ କରିଥିଲେ ରାମୋଜୀ ରାଓ । ୧୯୯୫ରେ ଇନାଡୁ ଟେଲିଭିଜନ ନେଟୱର୍କର ପ୍ରତିଷ୍ଠା ସହ ୧୯୯୫ ମସିହାରେ ଇନାଡୁ ଟିଭିର ପ୍ରସାରଣ ଆରମ୍ଭ ହୋଇଥିଲା । ଇନାଡୁ ଟିଭି ଥିଲା ଦକ୍ଷିଣ ଭାରତର ପ୍ରଥମ ୨୪ ଘଂଟିଅ।। ମନୋରଞ୍ଜନ ଚ୍ୟାନେଲ । ମନୋରଂଜନ କାର୍ଯ୍ୟକ୍ରମ ସହ ସମ୍ବାଦ ବି ପରିବେଷଣ କରାଗଲା । ଇନାଡୁ ଖବରକାଗଜ ପରି ଇନାଡୁ ଟିଭି ମଧ୍ୟ ଏହାର ବିଭିନ୍ନ ଗୁଣାତ୍ମକ ମନୋରଂଜନ କାର୍ଯ୍ୟକ୍ରମ ଓ ସମ୍ବାଦ ପାଇଁ ଲୋକପ୍ରିୟ ହୋଇପାରିଥିଲା । ପରବର୍ତ୍ତୀ ସମୟରେ ବିଭିନ୍ନ ଆଂଚଳିକ ଭାଷାରେ ଇନାଡୁ ଚ୍ୟାନେଲ ଆରମ୍ଭ କରିଥିଲେ ରାମୋଜୀ ରାଓ । ଇଟିଭି ତେଲେଗୁ ପରେ ଇଟିଭି ବାଂଲା, ଇଟିଭି ମରାଠୀ, ଇଟିଭି କନ୍ନଡ, ଇଟିଭି ଉର୍ଦ୍ଦୁ ପ୍ରସାରଣ ଆରମ୍ଭ କରିଥିଲା । ୨୦୦୨ ମସିହା ଜାନୁଆରୀ ୨୭ ତାରିଖରେ ଏକାସଙ୍ଗେ ୬ଟି ଆଂଚଳିକ ଟିଭି ଚ୍ୟାନେଲର ଶୁଭାରମ୍ଭ କରିଥିଲେ ରାମୋଜୀ ରାଓ । ଇଟିଭି ଓଡିଆ ସମେତ ଇଟିଭି ଗୁଜରାଟୀ, ଇଟିଭି ଉତ୍ତରପ୍ରଦେଶ, ଇଟିଭି ମଧ୍ୟପ୍ରଦେଶ, ଇଟିଭି ରାଜସ୍ଥାନ ଓ ଇଟିଭି ବିହାର ଘରୋଇ ଚ୍ୟାନେଲର ପ୍ରସାରଣ ଆରମ୍ଭ ହୋଇଥିଲା । ଏସବୁ ଚ୍ୟାନେଲ ସମ୍ବାଦ ଓ ମନୋରଂଜନ କ୍ଷେତ୍ରରେ ଦର୍ଶକଙ୍କୁ ଦେଇଥିଲା ଏକ ନୂଆ ଅନୁଭୂତି । ଯୁବ ପ୍ରତିଭାଙ୍କ ପାଇଁ ସାମ୍ବାଦିକତା କଳାକୌଶଳ ଶିଖିବାର ଏକ ଉତ୍କୃଷ୍ଟ ମଂଚ ଥିଲା ଇଟିଭି । ଅନେକ ସାମ୍ବାଦିକ ପ୍ରଥମେ ଇଟିଭିରେ ହିଁ ଟେଲିଭିଜନ ସାମ୍ବାଦିକତାରେ କ୍ୟାରିଅର ଆରମ୍ଭ କରିଛନ୍ତି । ଲେଖକ ମଧ୍ୟ ଇଟିଭି ଓଡିଆରେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।
ଅଶୀ ଦଶକର ପ୍ରାରମ୍ଭରେ ପରୀକ୍ଷାମୂଳକ ଭାବେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ ରାମୋଜୀ ରାଓ । ୧୯୮୩ରେ ପ୍ରତିଷ୍ଠା କରିଥିଲେ ‘ଉଷାକିରଣ ମୁଭିଜ୍’ । ଏହି ବ୍ୟାନର ତଳେ ସେ ପ୍ରଯୋଜନା କରିଥିଲେ ଅନେକ ଉଚ୍ଚକୋଟୀର ବ୍ୟବସାୟିକ ଚଳଚ୍ଚିତ୍ର । ଉଷାକିରଣ ମୁଭିଜ୍ ପ୍ରଯୋଜିତ ପ୍ରଥମ ଚଳଚ୍ଚିତ୍ର ଥିଲା ‘ଶ୍ରୀବରିକି ପ୍ରେମଲେଖା’ ( ୧୯୮୪ ) । ଉଷାକିରଣ ମୁଭିଜ୍ ବ୍ୟାନରରେ ସାମାଜିକ ବିଷୟବସ୍ତୁ ଓ ମହିଳାଙ୍କ ସଂଘର୍ଷ ଉପରେ ଏକାଧିକ ଚଳଚ୍ଚିତ୍ର ନିର୍ମିତ ହୋଇ ଉଭୟ ଦର୍ଶକ ଓ ସମାଲୋଚକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ମୟୂରୀ, ମୌନ ପୋରାଟ୍ଟମ ( ଓଡିଶାର ଏକ ବାସ୍ତବ ଘଟଣା ଉପରେ ଆଧାରିତ ), ପ୍ରତିଘାତନା, ଅଶ୍ୱିନୀ ( ମହିଳା ଆଥଲେଟ୍ ଅଶ୍ୱିନୀଙ୍କ ଜୀବନୀ ଉପରେ ଆଧାରିତ ) ଗୋଟିଏ ଗୋଟିଏ ଉଦାହରଣ । ମୟୂରୀ ଓ ପ୍ରତିଘାତନା ସର୍ବଭାରତୀୟ ସ୍ତରରେ ଆଦୃତ ହୋଇ ହିନ୍ଦୀରେ ବି ରିମେକ୍ ହୋଇଥିଲା । ନିଜେ ରାମୋଜୀ ରାଓ କୌଣସି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇ ନଥିଲେ ମଧ୍ୟ ନିଜର ପ୍ରଯୋଜନା ସଂସ୍ଥା ଜରିଆରେ ଅନେକ ପ୍ରତିଭାବାନ ନିର୍ଦ୍ଦେଶକଙ୍କୁ ସୁଯୋଗ ଦେଇଥିଲେ ।
ରାମୋଜୀ ରାଓ ଗଣମାଧ୍ୟମ କ୍ଷେତ୍ରରେ ଥିଲେ ଜଣେ ଧାରା ପ୍ରବର୍ତ୍ତକ ଓ ‘ମାର୍କେଟ ମୁଭର’ । ସେ ଆଜି ନାହାନ୍ତି ସତ, କିନ୍ତୁ ସାମ୍ବାଦିକତା ଓ ସିନେମା ଜଗତରେ ସେ ଜଣେ ବିପ୍ଲବୀ ପୁରୁଷ ଭାବେ ସର୍ବଦା ମନେ ରହିବେ ।
ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ ବ୍ରହ୍ମପୁର -୮ ମୋବାଇଲ-୯୭୦୩୬୯୦୮୪୭
Comments are closed.