ଜୋକୋଭିକଙ୍କ କ୍ୟାଲେଣ୍ଡର ଗ୍ରାଣ୍ଡସ୍ଲାମ ସ୍ବପ୍ନ ଧୂଳିସାତ୍, ମେଡଭେଡେଭ୍ ଜିତିଲେ ୟୁଏସ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍

ନ୍ୟୁୟର୍କ: ଟପ୍ ସିଡ୍ ନୋଭାକ ଜୋକୋଭିକଙ୍କୁ ସିଧାସଳଖ ସେଟରେ ହରାଇ ରୁଷର ଡାନିଲ୍ ମେଡଭେଡେଭ୍ ୟୁଏସ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି । ମେଡଭେଡେଭଙ୍କ ଏହା ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ୍। ଅନ୍ୟପକ୍ଷରେ ଏହି ପରାଜୟ ସହିତ ୫୨ ବର୍ଷ ପରେ ପ୍ରଥମ ଖେଳାଳି ଭାବେ ଜୋକୋଭିକଙ୍କ ‘କ୍ୟାଲେଣ୍ଡର ଗ୍ରାଣ୍ଡସ୍ଲାମ’ ପୂରଣ କରିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି | ଫାଇନାଲରେ ମେଡଭେଡେଭ ଜୋକୋଭିକ୍ ଙ୍କୁ କୌଣସି ସୁଯୋଗ ଦେଇନଥିଲେ। ତାଙ୍କର ଚମତ୍କାର ସର୍ଭ ଏବଂ ଶକ୍ତିଶାଳୀ ଗ୍ରାଉଣ୍ଡ ଷ୍ଟ୍ରୋକ୍ ଆଧାରରେ ଦ୍ବିତୀୟ ମାନ୍ୟତା ପ୍ରାପ୍ତ ମେଡଭେଡେଭ୍ ସିଧାସଳଖ ୬-୪, ୬-୪, ୬-୪ ସେଟ୍ ରେ ମ୍ୟାଚ୍ ଜିତିଥିଲେ | ୟୁଏସ୍ ଓପନ୍ ର ଏହି ଟାଇଟଲ୍ ଯାତ୍ରାରେ ୨୫ ବର୍ଷୀୟ ମେଡଭେଡେଭ୍ କେବଳ ଗୋଟିଏ ସେଟ୍ ହରାଇଛନ୍ତି | ମେଡଭେଡେଭଙ୍କ କ୍ୟାରିୟରର ଏହା ହେଉଛି ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ୍ |

ଏହି ବିଜୟ ସହିତ ମେଡଭେଡେଭ ଚଳିତ ବର୍ଷର ଗ୍ରାଣ୍ଡସ୍ଲାମରେ ଜୋକୋଭିକଙ୍କ ବିଜୟ ରଥକୁ ମଧ୍ୟ ଅଟକାଇ ଦେଇଛନ୍ତି। ଜୋକୋଭିକ୍ ଚଳିତ ବର୍ଷ ଆରମ୍ଭରେ ସମସ୍ତ ତିନୋଟି ଗ୍ରାଣ୍ଡସ୍ଲାମ ଜିତିଥିଲେ ଏବଂ ଏହି ଫାଇନାଲ ପୂର୍ବରୁ ଗୋଟିଏ ହେଲେ ଗ୍ରାଣ୍ଡସ୍ଲାମ ମ୍ୟାଚ୍ ହାରି ନଥିଲେ। ଅଷ୍ଟ୍ରେଲିଆ ଓପନ୍, ଫ୍ରେଞ୍ଚ ଓପନ୍ ଏବଂ ୱିମ୍ବଲଡନ୍ ପରେ ୫୨ ବର୍ଷ ପରେ ୟୁଏସ୍ ଓପନ୍ ଟାଇଟଲ୍ ଜିତି କ୍ୟାଲେଣ୍ଡର ଗ୍ରାଣ୍ଡ୍ ସ୍ଲାମ୍ ପୂରଣ କରିବାକୁ ଜୋକୋଭିକଙ୍କ ଲକ୍ଷ୍ୟ ଥିଲା | ଏଭଳି କରିବାରେ ଓପନ୍ ଯୁଗରେ ଅଷ୍ଟ୍ରେଲିୟ କିମ୍ବଦନ୍ତୀ ରଡ୍ ଲାଭରଙ୍କ ପରେ ସେ ଦ୍ୱିତୀୟ ଖେଳାଳି ହୋଇଥାନ୍ତେ। ମହାନ ଟେନିସ୍ ଖେଳାଳି ରଡ୍ ଲାଭର ୧୯୬୯ରେ ଏପରି କୀର୍ତ୍ତିମାନ ସ୍ଥାପନ କରିଥିଲେ | ମେଡଭେଡେଭଙ୍କ ଠାରୁ ହାରିବା ପରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ୍ ବିଜୟରେ ନାଡାଲ୍ ଓ ଫଡେରରଙ୍କୁ ଟପିବା ସୁଯୋଗ ବି ହାତଛଡ଼ା କରିଛନ୍ତି ଜୋକୋଭିକ। ଏବେ ବି ଏହି ‘ବିଗ୍-୩’ ୨୦ଟି ଲେଖାଏଁ ଗ୍ରାଣ୍ଡସ୍ଲାମ ସହ ସମାନ‌ ସ୍ଥିତିରେ ଅଛନ୍ତି ।

Comments are closed.