ଟ୍ୱିଟର ପରେ ମେଟା ଆଣିଲା ବ୍ଲୁ ବ୍ୟାଜ୍ ସବସ୍କ୍ରିପସନ୍ ସେବା, ମାସକୁ ଗଣିବାକୁ ପଡ଼ିବ ଏତିକି ଟଙ୍କା | News Room Odisha

ଟ୍ୱିଟର ପରେ ମେଟା ଆଣିଲା ବ୍ଲୁ ବ୍ୟାଜ୍ ସବସ୍କ୍ରିପସନ୍ ସେବା, ମାସକୁ ଗଣିବାକୁ ପଡ଼ିବ ଏତିକି ଟଙ୍କା

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ରାସ୍ତାରେ ମାର୍କ ଜୁକରବର୍ଗ । ଟ୍ୱିଟର ଭଳି ବର୍ତ୍ତମାନ ମେଟା ମଧ୍ୟ ଏହାର ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଗ୍ରାହକଙ୍କ ପାଇଁ ଭେରିଫାଏଡ୍ ବ୍ଲୁ ବ୍ଯାଜ୍ ସବସ୍କ୍ରିପସନ୍ ସେବା ଆଣିଛି। ମେଟା ସିଇଓ ମାର୍କ ଜୁକରବର୍ଗ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏବେ ଫେସବୁକ ଓ ଇନଷ୍ଟାଗ୍ରାମମ ୟୁଜର ବ୍ଲୁ ବ୍ୟାଜ୍ ପାଇଁ ପଇସା ଦେବେ ।

ରବିବାର (ଫେବୃଆରୀ ୧୯) ମାର୍କ ଜୁକରବର୍ଗ ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସବସ୍କ୍ରିପସନ୍ ସେବା ବିଷୟରେ ସୂଚନା ଦେଇଥିଲେ। ଜୁକରବର୍ଗ କହିଛନ୍ତି, ଏହି ସପ୍ତାହରେ ଆମେ ଏକ ସବସ୍କ୍ରିପସନ୍ ସେବା ‘ମେଟା ଭେରିଫାଏଡ୍’ ଆରମ୍ଭ କରୁଛୁ ଯାହାକୁ ଆପଣଙ୍କୁ ଏକ ସରକାରୀ ଆଇଡି ସହିତ ନିଜ ଆକାଉଣ୍ଟକୁ ଭେରିଫାଏ କରିବାକୁ ହେବ।

ଜୁକରବର୍ଗଙ୍କ ଘୋଷଣା ଅନୁଯାୟୀ ବର୍ତ୍ତମାନ ୟୁଜରମାନେ ଟଙ୍କା ଦେଇ ବ୍ଲୁ ବ୍ୟାଜ୍ (ବ୍ଲୁ ଟିକ୍), ନକଲି ଆକାଉଣ୍ଟରୁ ସୁରକ୍ଷା ଏବଂ ସିଧାସଳଖ କଷ୍ଟମର ସପୋର୍ଟ ପାଇପାରିବେ। ସେ କହିଛନ୍ତି ଯେ ଏହି ନୂଆ ଫିଚର ଫେସବୁକ ସେବାରେ ପ୍ରାମାଣିକତା ଓ ସୁରକ୍ଷା ବଢ଼ାଇବା ପାଇଁ ଉଦ୍ଦିଷ୍ଟ ।

ମେଟା ଭେରିଫାଏଡ୍ ସେବା ଘୋଷଣା କରିବାବେଳେ ଜୁକରବର୍ଗ ୟୁଜର ମାନଙ୍କୁ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ହେବ ସେ ବିଷୟରେ ବି କହିଛନ୍ତି । ଜୁକରବର୍ଗଙ୍କ କହିବା ଅନୁଯାୟୀ, ୱେବ୍ ଆଧାରିତ ସେବା ପାଇଁ ଜଣେ ୟୁଜରଙ୍କୁ ମାସକୁ ୧୧.୯୯ ଡଲାର (୯୯୨.୩୬ ଟଙ୍କା) ଏବଂ iOSରେ ଏହି ସେବା ପାଇଁ ମାସକୁ ୧୪.୯୯ ଡଲାର (୧୨୪୦.୬୫ ଟଙ୍କା) ଦେବାକୁ ପଡ଼ିବ।

ମାର୍କ ଜୁକରବର୍ଗଙ୍କ ଘୋଷଣା ଅନୁଯାୟୀ ଏହି ସପ୍ତାହରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ପାଇଁ ମେଟା ଭେରିଫାଏଡ୍ ସବସ୍କ୍ରିପସନ୍ ସେବା ଆରମ୍ଭ ହେବ। ସେ କହିଛନ୍ତି ଯେ ଖୁବ ଶୀଘ୍ର ଏହି ସେବା ଅନ୍ୟ ଦେଶରେ ମଧ୍ୟ ଆରମ୍ଭ ହେବ। ଫେସବୁକର ଏହି ସେବା କେବେ ଭାରତରେ ଲାଗୁ ହେବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସୂଚନା ଦିଆଯାଇ ନାହିଁ।