ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର ଡ଼ାକ୍ତର ଭାରତରେ ସେବା ଯୋଗାଇ ପାରିବେ, ଏନଏମସି ଦେଲା ସବୁଜ ସଙ୍କେତ

ନୂଆଦିଲ୍ଲୀ: ପାକିସ୍ତାନରେ ନିର୍ଯାତନାର ଶିକାର ହେବା ପରେ ଭାରତ ଚାଲି ଆସିଥିବା ହିନ୍ଦୁ, ଶିଖ୍ ବା ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ମେଡିକାଲ ଛାତ୍ରମାନେ ଭାରତରେ ଡ଼ାକ୍ତରୀ ସେବା ଯୋଗାଇ ପାରିବେ । ଭାରତରେ ପ୍ରାକ୍ଟିସ୍ କରିବା ପାଇଁ ସେମାନଙ୍କ ଲାଗି ଜାତୀୟ ମେଡିକାଲ କମିଶନ (ଏନଏମସି) ଦ୍ବାର ଖୋଲି ଦେଇଛି । ୩୧ ଡିସେମ୍ବର ୨୦୧୪ କିମ୍ବା ତା’ ପୂର୍ବରୁ ଭାରତ ଚାଲି ଆସିଥିବା ଏବଂ ଭାରତର ନାଗରିକତା ଗ୍ରହଣ କରିଥିବା ପାକିସ୍ତାନର ସଂଖ୍ୟାଲଘୁମାନଙ୍କୁ ଏହି ସୁଯୋଗ ମିଳିବ ।

ଗତ ଶନିବାର ଏକ ପରୀକ୍ଷା ଦେବା ପରେ ଏନଏମସି ସେମାନଙ୍କ ପାଇଁ ସ୍ଥାୟୀ ପଞ୍ଜୀକରଣ ଲାଗି ଅନୁମତି ଦେଇଥିଲା। ଏନଏମସି କହିଛି ଯେ ଦେଶର ଯେକୌଣସି ସ୍ଥାନରେ ପ୍ରାକ୍ଟିସ୍ କରିବା ପାଇଁ ସବୁ ଡାକ୍ତରଙ୍କୁ ନିଜ ନିଜ ରାଜ୍ୟ କମିଶନରେ ପଞ୍ଜିକରଣ କରିବାକୁ ପଡିବ।

ଏହା କେବଳ ସେହିମାନଙ୍କ ପାଇଁ ଲାଗୁ ହେବ ଯେଉଁମାନେ ୩୧ ଡିସେମ୍ବର ୨୦୧୪ କିମ୍ବା ପୂର୍ବରୁ ପାକିସ୍ତାନ ଛାଡି ଭାରତର ନାଗରିକତା ଗ୍ରହଣ କରିଥିଲେ ।

ଆଧୁନିକ ଚିକିତ୍ସା କିମ୍ବା ଏଲୋପାଥି କ୍ଷେତ୍ରରେ କାର୍ଯ୍ୟ କରିବାକୁ ସ୍ଥାୟୀ ପଞ୍ଜୀକରଣ ପାଇଁ ଭାରତୀୟ ନାଗରିକତ୍ୱ ହାସଲ କରିଥିବା ବ୍ୟକ୍ତିଙ୍କ ଠାରୁ ଏନ୍ଏମସି ଆବେଦନ ଆହ୍ବାନ କରିଛି |

ଏନଏମସି ସ୍ନାତକ ଚିକିତ୍ସା ଶିକ୍ଷା ବୋର୍ଡ (ୟୁଏମ୍ଇବି) ତରଫରୁ ଶୁକ୍ରବାର (ଅଗଷ୍ଟ ୫) ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ସର୍ଟଲିଷ୍ଟ ହୋଇଥିବା ଆବେଦନକାରୀଙ୍କୁ ଆୟୋଗ କିମ୍ବା ଏହାର ସ୍ବୀକୃତି ପ୍ରାପ୍ତ ଏଜେନ୍ସି ଦ୍ବାରା କରାଯିବାକୁ ଥିବା ପରୀକ୍ଷାରେ ହାଜର ହେବାକୁ ଅନୁମତି ଦିଆଯିବ।

ପାକିସ୍ତାନରେ ନିର୍ଯାତିତ ସଂଖ୍ୟାଲଘୁ ଡ଼ାକ୍ତରୀ ଛାତ୍ର ଯେଉଁମାନେ ଭାରତ ଚାଲି ଆସିଥିଲେ ଏବଂ ଏଠାରେ ଚିକିତ୍ସା କ୍ଷେତ୍ରରେ ସ୍ଥାୟୀ କ୍ୟାରିୟର କରିବା ପାଇଁ ଭାରତର ନାଗରିକତା ଗ୍ରହଣ କରିଥିଲେ, ସେମାନଙ୍କ ପାଇଁ ପ୍ରସ୍ତାବିତ ପରୀକ୍ଷା ଗାଇଡ ଲାଇନ୍ ପ୍ରସ୍ତୁତ କରିବାକୁ ଏନ୍ଏମସି ଜୁନ୍ ମାସରେ ଏକ ବିଶେଷଜ୍ଞ ଦଳ ଗଠନ କରିଥିଲା ।

Comments are closed.