ରାଜ୍ୟଗୋଷ୍ଠୀ କ୍ରୀଡା: ମୀରାବାଇ ଚାନୁ ଜିତିଲେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ | News Room Odisha

ରାଜ୍ୟଗୋଷ୍ଠୀ କ୍ରୀଡା: ମୀରାବାଇ ଚାନୁ ଜିତିଲେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଶନିବାର ଭାରତୀୟ ଭାରୋତ୍ତୋଳକଙ୍କ ଚମକ ଦେଖିବାକୁ ମିଳିଛି । ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମୀରାବାଇ ଚାନୁ । ମହିଳା ୪୯ କେଜି ବର୍ଗରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭାରତ୍ତୋଳନରୁ ଭାରତକୁ ମିଳିଛି ତିନୋଟି ପଦକ । ଏହା ପୂର୍ବରୁ ପୁରୁଷ ୫୫ କେଜି ବର୍ଗରେ ରୌପ୍ୟ ଜିତି ସଙ୍କେତ ମହାଦେବ ସରଗର ଭାରତର ପଦକ ଖାତା ଖୋଲିଥିଲେ । ପୁଣି ୬୧ ବର୍ଗରେ ବ୍ରୋଞ୍ଜ ପଦକ ଜିତି ଗୁରୁରାଜ ପୂଜାରୀ ଭାରତକୁ ଦ୍ୱିତୀୟ ପଦକ ଦେଇଥିଲେ ।

ଏହାପରେ ମୀରାବାଇ ଭାରତୀୟ ପ୍ରଶଂସକଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ଏହି ଅଲିମ୍ପିକ୍ ରୌପ୍ୟ ବିଜୟିନୀ ମହିଳା ୪୯ କେଜି ବର୍ଗରେ ନୂଆ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ମୋଟ ୨୦୧ କେଜି ଉଠାଇ ଭାରତକୁ ଦେଇଥିଲେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ୱର୍ଣ୍ଣ ପଦକ । ମୀରାବାଇ ପ୍ରଥମେ ସ୍ନାଚରେ ୮୮ କେଜି ଉଠାଇ ନୂଆ ଗେମ୍ସ ରେକର୍ଡ ସୃଷ୍ଟି କରିଥିଲେ । ଏହାପରେ ସେ ତୃତୀୟ ୯୦ କେଜି ଉଠାଇବା ଉଦ୍ୟମ କରିଥିଲେ ହେଁ ସଫଳ ହୋଇନଥିଲେ । ହେଲେ କ୍ଲିନ ଆଣ୍ଡ ଜର୍କରେ ୧୦୯ କେଜି ଉଠାଇ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ । ମଣିପୁରର ଏହି ଷ୍ଟାର ଭାରୋତ୍ତୋଳିକା ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ରେ ରୌପ୍ୟ ପଦକ ଜିତିଥିଲେ । ସେ ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଅଲିମ୍ପିକ୍ସ ପୂର୍ବରୁ ସେ ୨୦୧୭ ବିଶ୍ୱ ଚାମ୍ପିୟନସିପରେ ଭାରତର ପ୍ରଥମ ମହିଳା ଭାବେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ।

ଏହା ପୂର୍ବରୁ ସଙ୍କେତ ଭାରତକୁ ପ୍ରଥମ ପଦକ ଦେଇଥିଲେ । ସେ ୫୫ କେଜି ବର୍ଗରେ ମୋଟ ୨୪୮ କେଜି ଉଠାଇ ରୌପ୍ୟ ପଦକ ଜିତିଥିଲେ । ସେ ସ୍ନାଚରେ ୧୧୩ କେଜି ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୩୫ କେଜି ଓଜନ ଉଠାଇଥିଲେ । ଏହାପରେ ପୁରୁଷ ୬୧ କିଲୋଗ୍ରାମ ଓଜନ ବର୍ଗରେ ଗୁରୁରାଜା ପୂଜାରୀ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୂଜାରୀ ସ୍ନାଚରେ ୧୧୮ କିଲୋଗ୍ରାମ ଏବଂ କ୍ଲିନ ଆଣ୍ଡ ଜର୍କରେ ୧୫୧ କିଲୋଗ୍ରାମ ଉଠାଇଥିଲେ । ଗୋଲ୍ଡ କୋଷ୍ଟ ୨୦୧୮ ସଂସ୍କରଣର ରୌପ୍ୟ ପଦକ ବିଜେତା ଗୁରୁରାଜା ମୋଟ ୨୬୯ କିଲୋଗ୍ରାମ (୧୧୮ କିଲୋଗ୍ରାମ + ୧୫୧ କିଲୋଗ୍ରାମ) ସହିତ ତୃତୀୟ ସ୍ଥାନ ଅଧିକାର କରିଥିଲେ ।