ଜାପାନର ଦିବଂଗତ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି ଆରମ୍ଭ: ମୋଦୀଙ୍କ ସହ ଯୋଗଦେଲେ ବିଶ୍ବର ବହୁ ନେତା

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଅନ୍ତିମ ବିଦାୟ କାର୍ଯ୍ୟକ୍ରମ ଟୋକିଓରେ ଆରମ୍ଭ ହୋଇଛି। ଜୁଲାଇ ୮ରେ ନାରା ସହରରେ ପ୍ରଚାର କରୁଥିବା ବେଳେ ଆବେଙ୍କୁ ଜଣେ ଦୃର୍ବୃତ୍ତ ଗୁଳି କରି ହତ୍ୟା କରିଥିଲା।

ଜାପାନରେ ତାଙ୍କର ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ବିବାଦରେ ଛନ୍ଦି ହୋଇପଡିଛି କାରଣ ଅନେକ ଲୋକ ଏହା ଉପରେ ଖର୍ଚ୍ଚକୁ ନେଇ ପ୍ରଶ୍ନ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ସିଞ୍ଜୋ ଆବେଙ୍କ ପତ୍ନୀ ଏକି ତାଙ୍କ ଅସ୍ଥି ସହିତ ଟୋକିଓର ଏକ ହଲକୁ ଆସିଥିଲେ ଯେଉଁଠାରେ ହଜାର ହଜାର ଲୋକ ଆବେଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଉପସ୍ଥିତ ଥିଲେ।

କଳା କିମୋନୋ (ମହିଳାମାନଙ୍କର ପାରମ୍ପରିକ ଜାପାନୀ ପୋଷାକ) ପିନ୍ଧି ଏକି ସିଞ୍ଜୋ ଆବେଙ୍କ ଅସ୍ଥି ଥିବା ଏକ ପେଡ଼ି ଧରିଥିଲେ | ସେ ହଲରେ ପହଞ୍ଚିବା କ୍ଷଣି ଜାପାନ ସେନା ଦିବଂଗତ ସିଞ୍ଜୋ ଆବେଙ୍କୁ ୧୯ ତୋପ ସଲାମ ଦିଆଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ରାଜଧାନୀ ଟୋକିଓର ବୁଡୋକାନ୍ ଆରେନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନି ଓ ବିଶ୍ବର ବହୁ ନେତା ଯୋଗଦେଇ ସିଞ୍ଜୋ ଆବେଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଏହାପୂର୍ବରୁ ସିଞ୍ଜୋ ଆବେଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ବହୁ କିଲୋମିଟର ପର୍ଯ୍ୟନ୍ତ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।

କିନ୍ତୁ ଜାପାନର କିଛି ଲୋକ ଏହି କାର୍ଯ୍ୟକ୍ରମ ଅର୍ଥର ଅଯଥା ଅପଚୟ ବୋଲି କହୁଛନ୍ତି। ଏହାକୁ ବିରୋଧ କରି ଟୋକିଓରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Comments are closed.