ସମାନ ନାଗରିକ ସଂହିତା ସପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଗୋଟିଏ ଦେଶରେ ଦୁଇଟି ଆଇନ ଚଳିବନି | News Room Odisha

ସମାନ ନାଗରିକ ସଂହିତା ସପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଗୋଟିଏ ଦେଶରେ ଦୁଇଟି ଆଇନ ଚଳିବନି

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭୋପାଳରେ ସମାନ ନାଗରିକ ସଂହିତା (ୟୁସିସି) ସପକ୍ଷରେ ବଡ଼ ବୟାନ ଦେଇଛନ୍ତି । ଯେମିତି ଗୋଟିଏ ଘରେ ଦୁଇଟି ନିୟମ ଚଳେ ନାହିଁ, ସେପରି ଗୋଟିଏ ଦେଶ ପାଇଁ କିପରି ଦୁଇଟି ନିୟମ ଲାଗୁ ହେବ ବୋଲି ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ମୁସଲିମ ଭାଇ ଓ ଭଉଣୀମାନଙ୍କୁ ବୁଝିବାକୁ ପଡ଼ିବ ଯେ କେଉଁ ଦଳ ସେମାନଙ୍କୁ ଉସୁକାଇ ରାଜନୈତିକ ଫାଇଦା ନେଉଛନ୍ତି। ଆମେ ଦେଖୁଛୁ ଯେ ୟୁନିଫର୍ମ ସିଭିଲ୍ କୋଡ୍ ନାମରେ ଏଭଳି ଲୋକଙ୍କୁ ଉସୁକାଇବା କାର୍ଯ୍ୟ କରାଯାଉଛି | ଯଦି ଏକ ଘରେ ଜଣଙ୍କ ପାଇଁ ଗୋଟିଏ ଏବଂ ଆଉ ଜଣଙ୍କ ପାଇଁ ଆଉ ଏକ ନିୟମ ଥାଏ, ତେବେ ଘର ଚାଲିବ କିପରି ? ସେମିତି ଦେଶ ଏପରି ଦ୍ବୈତ ବ୍ୟବସ୍ଥା ସହିତ କିପରି ଚାଲିବ? ସେ କହିଛନ୍ତି, ଆମକୁ ମନେ ରଖିବାକୁ ହେବ ଯେ ଭାରତର ସମ୍ବିଧାନ ମଧ୍ୟ ନାଗରିକଙ୍କ ସମାନ ଅଧିକାର ବିଷୟରେ କହିଛି।

ଯେଉଁମାନେ ‘ଟ୍ରିପଲ୍ ତଲାକ୍’ କୁ ସମର୍ଥନ କରନ୍ତି ସେମାନଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ‌‌। ସେ କହିଛନ୍ତି, ଯଦି ‘ଟ୍ରିପଲ୍ ତଲାକ୍’ ଇସଲାମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାନ୍ତା ତେବେ ପାକିସ୍ତାନ, ଇଣ୍ଡୋନେସିଆ, କତାର, ଜୋର୍ଡାନ, ସିରିଆ ଏବଂ ବାଂଲାଦେଶରେ କାହିଁକି ଏହା ଲାଗୁ ହୋଇନାହିଁ ? ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ୮୦-୯୦ ବର୍ଷ ପୂର୍ବେ ମୁସଲିମ ବହୁଳ ଇଜିପ୍ଟ ମଧ୍ୟ ଏହି ପ୍ରଥାକୁ ଉଚ୍ଛେଦ କରିସାରିଛି । କିନ୍ତୁ କିଛି ଲୋକ ଟ୍ରିପଲ୍ ତଲାକ୍‌ ଜରିଆରେ ସବୁବେଳେ ମୁସଲମାନ ମହିଳାଙ୍କୁ ଭେଦଭାବ କରିବାକୁ ଲାଇସେନ୍ସ ଚାହୁଁଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ନିକଟରେ ବିଧି ଆୟୋଗ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଓ ଲୋକଙ୍କ ମତାମତ ଲୋଡ଼ିଥିଲେ ।