ବିବାଦୀୟ ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’କୁ ନେଇ ଏମିତି କହିଲେ ମୋଦୀ

ବେଙ୍ଗାଲୁରୁ: ‘ଦି କେରଳ ଷ୍ଟୋରି’କୁ ନେଇ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚଳଚ୍ଚିତ୍ର ଉପରେ ପ୍ରତିକ୍ରିୟା ରଖିଛନ୍ତି । ଏହି ଚଳଚ୍ଚିତ୍ର କେରଳରେ ଚାଲିଥିବା ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାସ୍ କରିଛି ବୋଲି ମୋଦୀ କହିଛନ୍ତି। ଏପରି ଫିଲ୍ମକୁ ବିରୋଧ କରି କଂଗ୍ରେସ ଆତଙ୍କବାଦୀଙ୍କ ପକ୍ଷ ନେଉଛି ବୋଲି ଅଭିଯୋଗ କରିଛନ୍ତି ମୋଦୀ ।

କର୍ଣ୍ଣାଟକର ବଲାରୀରେ ଶୁକ୍ରବାର ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏଭଳି ଆତଙ୍କବାଦୀ ଷଡଯନ୍ତ୍ର ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ ବିଷୟରେ ଆଜିକାଲି ଅନେକ ଚର୍ଚ୍ଚା ହେଉଛି। ‘କେରଳ ଷ୍ଟୋରି’ କେବଳ ଗୋଟିଏ ରାଜ୍ୟରେ ଆତଙ୍କବାଦୀ ଷଡଯନ୍ତ୍ର ଉପରେ ଆଧାରିତ ବୋଲି କୁହାଯାଉଛି।

ଦେଶର ଏମିତି ଏକ ସୁନ୍ଦର ରାଜ୍ୟ, ଯେଉଁଠି ଲୋକମାନେ ବହୁତ ପରିଶ୍ରମୀ ଏବଂ ପ୍ରତିଭାବାନ ଅଟନ୍ତି ସେହି କେରଳ ରାଜ୍ୟରେ ଚାଲିଥିବା ଆତଙ୍କବାଦୀ ଷଡ଼ଯନ୍ତ୍ରର ଖୁଲାସା ଏହି ଚଳଚ୍ଚିତ୍ର କରିଛି । କିନ୍ତୁ କଂଗ୍ରେସ ଏହି ଚଳଚ୍ଚିତ୍ରକୁ ମଧ୍ୟ ବିରୋଧ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ସେ କହିଛନ୍ତି, “ବୋମା, ବନ୍ଧୁକ ଏବଂ ପିସ୍ତଲ ଶବ୍ଦ ଶୁଣାଯାଉଛି । କିନ୍ତୁ ସମାଜକୁ ଭିତର ପଟୁ ଫମ୍ପା କରିଦେଇଥିବା ଆତଙ୍କବାଦୀ ଷଡଯନ୍ତ୍ରର କୌଣସି ଶବ୍ଦ ନାହିଁ। ଏପରିକି ଏହି ଆତଙ୍କବାଦକୁ ନେଇ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି।”

କଂଗ୍ରେସକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଦେଶର ଦୁର୍ଭାଗ୍ୟ ଯେ ଆଜି ସମାଜକୁ ଧ୍ୱଂସ କରୁଥିବା ଏପରି ଆତଙ୍କବାଦ ସହ କଂଗ୍ରେସ ଠିଆ ହୋଇଛି। କେବଳ ଏତିକି ନୁହେଁ, ପଛଦ୍ବାର ଦେଇ କଂଗ୍ରେସ ଏପରି ଆତଙ୍କୀ ସ୍ୱଭାବର ଲୋକଙ୍କ ସହ ରାଜନୈତିକ ବୁଝାମଣା ମଧ୍ୟ କରୁଛି।”

Comments are closed.