ବ୍ୟାଙ୍କରରୁ ସାଂସଦ ଓ ବିବାଦୀୟ ବହିଷ୍କାର: ମହୁଆ ମୈତ୍ରଙ୍କ ଘଟଣା ବହୁଳ ରାଜନୈତିକ ଯାତ୍ରା

କୋଲକାତା: ‘ପ୍ରଶ୍ନ ପାଇଁ ଟଙ୍କା’ ମାମଲାରେ ସଂସଦରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ନେତା ମହୁଆ ମୈତ୍ର ତାଙ୍କ ୧୪ ବର୍ଷର ରାଜନୈତିକ ଯାତ୍ରାରେ ଅନେକ ଉତ୍ଥାନ-ପତନର ସାମ୍ନା କରିଛନ୍ତି ।

ତାଙ୍କ ସଂସଦୀୟ କ୍ୟାରିୟରରେ ସାମୟିକ ବିରାମ ଲାଗିବା ସତ୍ତ୍ୱେ ତାଙ୍କ ପ୍ରତି ଅକୁଣ୍ଠ ସମର୍ଥନ ଜଣାଇଛନ୍ତି ବିରୋଧୀ । ଯାହା ସାମ୍ପ୍ରତିକ ଭାରତୀୟ ରାଜନୀତିରେ ମହୁଆଙ୍କ ପ୍ରଭାବକୁ ଦର୍ଶାଉଛି ।

କୃଷ୍ଣନଗର ଲୋକସଭା ଆସନରୁ ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିବା ମୈତ୍ରଙ୍କୁ ଶୁକ୍ରବାର ସଂସଦରୁ ବହିଷ୍କାର କରାଯାଇଥିଲା ।

ଲୋକସଭା ଏଥିକ୍ସ କମିଟିର ରିପୋର୍ଟ ତାଙ୍କୁ ‘ଅନୈତିକ ତଥା ଅସମ୍ମାନ ଜନକ ଆଚରଣ’ ପାଇଁ ଦାୟୀ କରି ତାଙ୍କ ବହିଷ୍କାର ପାଇଁ ସୁପାରିଶ କରିଥିଲା।

ହଙ୍ଗାମା ମଧ୍ୟରେ ଏଥିକ୍ସ କମିଟି ରିପୋର୍ଟ ଉପରେ ଆଲୋଚନା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ ମୈତ୍ରଙ୍କ ବହିଷ୍କାର ପାଇଁ ପ୍ରସ୍ତାବ ଆଗତ କରିଥିଲେ, ଯାହା ବାଚନିକ ଭୋଟ୍ ଦ୍ୱାରା ଗୃହୀତ ହୋଇଥିଲା । ଆଲୋଚନାରେ ମୈତ୍ରଙ୍କୁ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ସୁଯୋଗ ଦିଆଯାଇନଥିଲା।

ତାଙ୍କ ବହିଷ୍କାର ନେଇ ପ୍ରତିକ୍ରିୟା ପ୍ରକାଶ କରି ମହୁଆ ଏହି ନିଷ୍ପତ୍ତିକୁ ‘କଙ୍ଗାରୁ କୋର୍ଟ’ ସହିତ ତୁଳନା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ସରକାର ଲୋକସଭାର ଏଥିକ୍ସ କମିଟିକୁ ଅସ୍ତ୍ର ଭାବରେ ବ୍ୟବହାର କରି ବିରୋଧୀଙ୍କୁ ନୁଆଁଇବାକୁ ବାଧ୍ୟ କରୁଛନ୍ତି।

୧୯୭୪ ମସିହାରେ ଆସାମର କଚ୍ଛାର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମହୁଆ ମୈତ୍ର କୋଲକାତାରେ ପ୍ରାଥମିକ ଶିକ୍ଷା ପରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ।

ନ୍ୟୁୟର୍କ ଏବଂ ଲଣ୍ଡନର ଜେପି ମୋର୍ଗାନ୍ ଭଳି ବହୁରାଷ୍ଟ୍ରୀୟ କମ୍ପାନୀରେ ଜଣେ ଇନଭେଷ୍ଟର ବ୍ୟାଙ୍କର୍ ଭାବେ ଚାକିରି କରିଥିବା ମୈତ୍ର ରାହୁଲ ଗାନ୍ଧୀଙ୍କ “ଆମ୍ ଆଦମୀ କା ସିପାହୀ’ ଅଭିଯାନ ଦ୍ବାରା ଅନୁପ୍ରାଣିତ ହେଇ ରାଜନୀତିରେ ପ୍ରବେଶ କରିଥିଲେ।

ଲଣ୍ଡନରେ ନିଜ ହାଇ ପ୍ରୋଫାଇଲ୍ ବ୍ୟାଙ୍କିଂ କ୍ୟାରିୟର ଛାଡ଼ି ସେ ୨୦୦୯ରେ କଂଗ୍ରେସରେ ଯୋଗ ଦେଇଥିଲେ। ମୈତ୍ର ପଶ୍ଚିମବଙ୍ଗ କଂଗ୍ରେସ ପାଇଁ ଦଳୀୟ ନେତା ସୁବ୍ରତ ମୁଖାର୍ଜୀଙ୍କ ସହ ଘନିଷ୍ଠତା ଭାବେ କାର୍ଯ୍ୟ କରିଥିଲେ।

ପଶ୍ଚିମବଙ୍ଗର ବାମପନ୍ଥୀ ସରକାର ବିରୋଧରେ ପରିବର୍ତ୍ତନର ହାଓ୍ବା ମଧ୍ୟରେ ମହୁଆ ମୈତ୍ର ଏବଂ ସୁବ୍ରତ ମୁଖାର୍ଜୀ ୨୦୧୦ କୋଲକାତା ମହାନଗର ନିଗମ ନିର୍ବାଚନର କିଛି ଦିନ ପୂର୍ବରୁ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ମହାନଗର ନିଗମ ନିର୍ବାଚନରେ ବିଜୟୀ ହୋଇଥିଲା ।

୨୦୧୧ ବିଧାନସଭା ନିର୍ବାଚନ ଏବଂ ୨୦୧୪ ଲୋକସଭା ନିର୍ବାଚନରେ ଦଳରୁ ଟିକେଟ୍ ନ ପାଇବା ସତ୍ତ୍ୱେ ମହୁଆ ମୈତ୍ର ଧୈର୍ଯ୍ୟର ସହିତ ଅପେକ୍ଷା କରିଥିଲେ । ଶେଷରେ ୨୦୧୬ ବିଧାନସଭା ନିର୍ବାଚନରେ ଟିକେଟ୍ ପାଇ ସେ କରିମପୁର ନିର୍ବାଚନମଣ୍ଡଳୀରୁ ଜିତିଥିଲେ।

ତାଙ୍କୁ ରାଜ୍ୟ କ୍ୟାବିନେଟରେ ସାମିଲ କରାଯାଇ ନଥିଲା, କିନ୍ତୁ ତାଙ୍କ ଓଜସ୍ବିନୀ ଭାଷଣ ଏବଂ ବିତର୍କ କରିବା ଦକ୍ଷତା ଯୋଗୁଁ ମହୁଆଙ୍କୁ ଜାତୀୟ ଗଣମାଧ୍ୟମରେ ଦଳର ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଥିଲା ।

ଏହି ଫାୟାର ବ୍ରାଣ୍ଡ୍ ନେତ୍ରୀ ୨୦୧୯ରେ କୃଷ୍ଣନଗର ଲୋକସଭା ଆସନରୁ ଜିତି ସଂସଦକୁ ନିର୍ବାଚିତ ହୋଇଥିଲେ।

ଅଧିକ ଅଭିଜ୍ଞତା ନଥିବା ସତ୍ତ୍ବେ ସଂସଦରେ ତାଙ୍କ ଅଗ୍ନିବର୍ଷୀ ଭାଷଣ ମହୁଆଙ୍କ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏବଂ ଟେଲିଭିଜନ ବିତର୍କରେ ତାଙ୍କୁ ସବୁଠାରୁ ଲୋକପ୍ରିୟ ଟିଏମସି ନେତ୍ରୀ କରିଥିଲା।

ଖୋଲାଖୋଲି ମତ ରଖିବା ପାଇଁ ପରିଚିତ ମହୁଆ ମୈତ୍ର ସାଂଗଠନିକ ପ୍ରସଙ୍ଗରେ ତାଙ୍କ ଦଳ ସହ ମତଭେଦର ସମ୍ମୁଖୀନ ବି ହୋଇଥିଲେ । ଏଥିପାଇଁ ମମତା ବାନାର୍ଜୀ‌ ତାଙ୍କୁ ସର୍ବସାଧାରଣରେ ତାଗିଦ୍ ମଧ୍ୟ କରିଥିଲେ।

ବିଗତ ଦୁଇ ବର୍ଷ ମଧ୍ୟରେ ବିବାଦ ମୈତ୍ରଙ୍କ ପ୍ରତିଛବି ପାଲଟି ଯାଇଥିଲା । ସାମ୍ବାଦିକମାନଙ୍କୁ “ଦୁଇ କଉଡ଼ି”ର ଲୋକ ବୋଲି କହିବା ଯୋଗୁଁ ତାଙ୍କୁ ପଶ୍ଚିମବଙ୍ଗ ମିଡ଼ିଆ ଦୀର୍ଘ ଦିନ ଧରି ବର୍ଜନ କରିଥିଲେ ।

ଗତ ବର୍ଷ ଏକ ସମ୍ମିଳନୀରେ ସେ ଦେବୀ କାଳୀଙ୍କୁ ମାଂସ ଭକ୍ଷଣକାରୀ ଏବଂ ମଦ୍ୟପାନକାରୀ ବୋଲି କହି ସାରା ଦେଶରେ ରାଜନୈତିକ ଝଡ଼ ସୃଷ୍ଟି କରିଥିଲେ।

ଦେଶଦ୍ରୋହ ଆଇନର ଜଣେ ମୁଖର ବିରୋଧୀ ମହୁଆ ମୈତ୍ର ମଧ୍ୟ ଆଇନଗତ ଯୁଦ୍ଧରେ ସକ୍ରିୟ ଭାବେ ଜଡ଼ିତ ଅଛନ୍ତି। ଏହି ଆଇନ ବିରୋଧରେ ସେ ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲେ ।

‘ପ୍ରଶ୍ନ ପାଇଁ ଟଙ୍କା’ ମାମଲାରେ ତାଙ୍କୁ ଲୋକସଭାରୁ ବହିଷ୍କୃତ କରାଯିବା ନେଇ ମୈତ୍ର କହିଛନ୍ତି ଯେ ସେ ବିଜେପି ସରକାରଙ୍କୁ ଚ୍ୟାଲେଞ୍ଜ କରିଥିବାରୁ ତାଙ୍କୁ ହଇରାଣ କରାଯାଉଛି। ଆହୁରି ବଡ଼ ବିଜୟ ସହ ସଂସଦକୁ ଫେରିବା ପାଇଁ ସେ ସଂକଳ୍ପବଦ୍ଧ ବୋଲି କହିଛନ୍ତି ଏହି ଟିଏମସି ନେତ୍ରୀ ।

ଯଦିଓ ଏହି ବିବାଦ କାରଣରୁ ସାଂସଦ ଭାବେ ତାଙ୍କ ପ୍ରଥମ କାର୍ଯ୍ୟକାଳ ଅସମୟରେ ଶେଷ ହୋଇଛି, ତେବେ ଟିଏମସି ଶୀର୍ଷ ନେତୃତ୍ୱର ଅତୁଟ ସମର୍ଥନ ସହ ଦଳ ଭିତରେ ତାଙ୍କର ସ୍ଥିତି ନିଶ୍ଚିତ ଭାବେ ବଢ଼ିଛି । ବିରୋଧୀ ମଧ୍ୟ ମହୁଆ ମୈତ୍ରଙ୍କୁ ସମର୍ଥନ ଜଣାଇଛନ୍ତି ।

Comments are closed.