ଆଇପିଏଲ୍: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ଚାମ୍ପିୟନ

ଦୁବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଆଧିପତ୍ୟ ଜାହିର କରିଛି । ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍-୧୩ର ଫାଇନାଲରେ ମୁମ୍ବାଇ ୫ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ରେକର୍ଡ ପଞ୍ଚମ ଥର ପାଇଁ ଟାଇଟଲ ଜିତିଛି । ବୋଲରଙ୍କ ଶାଣିତ ପ୍ରଦର୍ଶନ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଟାଇଟଲ୍ ବଜାୟ ରଖିଛି ।

ପ୍ରଥମ ଥର ପାଇଁ ଫାଇନାଲ ଖେଳୁଥିବା ଦିଲ୍ଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା । ଏହାର ଜବାବରେ ମୁମ୍ବାଇ ୮ଟି ବଲ୍ ବାକିଥାଇ ସହଜରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ମୁମ୍ବାଇ ତରଫରୁ ରୋହିତ ଅଧିନାୟକ ଇନିଂସ୍ ଖେଳିବା ସହ ୫୧ ବଲରେ ୫ଟି ଚୌକା ଓ ୪ଟି ଛକା ସହ ୬୮ ରନ୍ କରିଥିବା ବେଳେ ଇଶାନ୍ କିଶାନ ୧୯ ବଲରେ ୩୩ ରନ୍ କରି ଅପରାଜିତ ରହିଥିଲେ । କ୍ୱିଣ୍ଟନ୍ ଡି’କକ ୨୦, ସୂର୍ଯ୍ୟକୁମାର ଯାଦବ ୧୯, କାଇରନ୍ ପୋଲାର୍ଡ ୯ ଓ ପାଣ୍ଡ୍ୟା ୩ ରନ୍ କରିଥିଲେ । ପୂର୍ବରୁ ମୁମ୍ବାଇ ୨୦୧୩, ୨୦୧୫, ୨୦୧୭ ଓ ଗତ ସିଜନ ଅର୍ଥାତ୍ ୨୦୧୯ରେ ଟାଇଟଲ୍ ଜିତିଥିଲା ।

ପୂର୍ବରୁ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବେଳେ ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଇନିଂସର ପ୍ରଥମ ବଲରେ ହିଁ ମାର୍କସ ଷ୍ଟୋଇନିସ (୦)ଙ୍କୁ ଆଉଟ୍ କରିଥିଲେ ଟ୍ରେଣ୍ଟ ବୋଲ୍ଟ । ଅଜିଙ୍କ୍ୟ ରାହାଣେ ବି ବିଫଳ ହୋଇଥିଲେ । ସେ ମାତ୍ର ୨ ରନ୍ କରି ବୋଲ୍ଟଙ୍କ ଦ୍ୱିତୀୟ ଶିକାର ବନିଥିଲେ । ଇନଫର୍ମ ଶିଖର ଧାୱନ (୧୫)ଙ୍କୁ ଜୟନ୍ତ ଯାଦବ ବୋଲ୍ଟ କରିବା ପରେ ଦିଲ୍ଲୀ ଚତୁର୍ଥ ଓଭର ସୁଦ୍ଧା ୨୨ ରନରେ ୩ ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ତେବେ ଅଧିନାୟକ ଶ୍ରେୟସ ଆୟର ଓ ରିଷଭ ପନ୍ତ ଲଢୁଆ ବ୍ୟାଟିଂ ସହ ଦିଲ୍ଲୀକୁ ବିପର୍ଯ୍ୟୟରୁ ମୁକୁଳାଇଥିଲେ । ଏ ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ମାତ୍ର ୬୯ ବଲ୍ ରେ ୯୬ ରନ୍ ଯୋଗକରିଥିଲେ ।

ଦୁହେଁ ଦିଲ୍ଲୀକୁ ଏକ ବଡ଼ ସ୍କୋର ଅଭିମୁଖେ ନେବେ ବୋଲି ମନେ କରାଯାଉଥିଲା । ହେଲେ ୧୫ତମ ଓଭରରେ ପନ୍ତଙ୍କୁ ଆଉଟ୍ କରି କୋଲ୍ଟର ନାଇଲ୍ ଏହି ଭାଗିଦାରୀ ଭାଙ୍ଗିଥିଲେ । ପନ୍ତ୍ ୩୮ ବଲରେ ୪ଟି ଚୌକା ଓ ୨ଟି ଛକା ସହ ୫୬ ରନ୍ କରିଥିଲେ । ପନ୍ତଙ୍କ ୱିକେଟ୍ ପରେ ଦିଲ୍ଲୀର ରନ୍ ରେଟ୍ ପୁଣି ଧିମେଇ ଯାଇଥିଲା । ସିମ୍ରନ ହେଟମାୟର (୫) ଓ ଅକ୍ଷର ପଟେଲ (୯) ଶସ୍ତାରେ ଆଉଟ୍ ହୋଇଥିବା ବେଳେ ଆୟର ୫୦ ବଲରେ ୬ଟି ଚୌକା ଓ ୨ଟି ଛକା ସହ ୬୫ ରନ୍ କରି ଅପରାଜିତ ରହିଥିଲେ । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୬ ରନ୍ କରିପାରିଥିଲା । ମୁମ୍ବାଇ ତରଫରୁ ବୋଲ୍ଟ ସର୍ବାଧିକ ୩ଟି ୱିକେଟ୍ ନେଇଥିବାବେଳେ କୋଲ୍ଟର ନାଇଲ୍ ୨ଟି ୱିକେଟ୍ ହାସଲ କରିଥିଲେ ।

Comments are closed.