୩୩ ବଲରେ ୧୦୦ ! ଅନ୍ତର୍ଜାତୀୟ ଟି-୨୦ରେ ଦ୍ରୁତତମ ଶତକ ମାରିଲେ ନାମିବ୍ୟା ବ୍ୟାଟ୍ସମ୍ୟାନ୍ ଲଫ୍ଟି-ଇଟନ୍ | News Room Odisha

୩୩ ବଲରେ ୧୦୦ ! ଅନ୍ତର୍ଜାତୀୟ ଟି-୨୦ରେ ଦ୍ରୁତତମ ଶତକ ମାରିଲେ ନାମିବ୍ୟା ବ୍ୟାଟ୍ସମ୍ୟାନ୍ ଲଫ୍ଟି-ଇଟନ୍

କିର୍ତ୍ତିପୁର (ନେପାଳ): ଅନ୍ତର୍ଜାତୀୟ ଟି-୨୦ରେ ଦ୍ରୁତତମ ଶତକ ରେକର୍ଡ କରିଛନ୍ତିି ନାମିବ୍ୟା ବ୍ୟାଟ୍ସମ୍ୟାନ୍ ନିକୋଲ ଲଫ୍ଟି-ଇଟନ । ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ସିରିଜର ପ୍ରଥମ ମ୍ୟାଚରେ ନେପାଳ ବିପକ୍ଷରେ ଲଫ୍ଟି-ଇଟନ ମାତ୍ର ୩୩ଟି ବଲରେ ଶତକ ମାରିଛନ୍ତି । ଅନ୍ତର୍ଜାତୀୟ ଟି-୨୦ରେ ଏହା ହେଉଛି ଦ୍ରୁତତମ ଶତକ । ନାମିବ୍ୟାର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଲଫ୍ଟି-ଇଟନ୍ ନେପାଳର କୁଶଲ ମଲ୍ଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗତ ବର୍ଷ ହାଙ୍ଗଝୁ ଏସିଆନ୍ ଗେମ୍ସରେ ମଲ୍ଲ ମୋଙ୍ଗୋଲିଆ ବିପକ୍ଷ ମ୍ୟାଚରେ ୩୪ ବଲରେ ଶତକ ହାସଲ କରିଥିଲେ।

ଲଫ୍ଟି-ଇଟନ୍ ମାତ୍ର ୩୬ ବଲରେ ୧୦୧ ରନର ଇନିଂସ ଖେଳିଥିଲେ। ସେ ୧୧ଟି ଚୌକା ଓ ୮ ଛକା ମାରିଥିବା ବେଳେ ୨୮୦.୫୫ ଷ୍ଟ୍ରାଇକ୍ ହାରରେ ରନ୍ କରିଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ କେବଳ ବାଉଣ୍ଡରୀରେ ୯୨ ରନ୍ ସଂଗ୍ରହ କରିଥିଲେ। ନାମିବ୍ୟାର ୨୨ ବର୍ଷୀୟ ଲଫ୍ଟି-ଇଟନ୍ ଏପର୍ଯ୍ୟନ୍ତ ୩୩ଟି ଅନ୍ତର୍ଜାତୀୟ ଟି-୨୦ ଏବଂ ୩୬ଟି ଦିନିକିଆ ଖେଳିଛନ୍ତି । ଏହା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ଶତକ | ଲଫ୍ଟି-ଇଟନ୍ ବ୍ୟତୀତ ଓପନର୍ ମାଲାନ୍ କ୍ରୁଗର ମଧ୍ୟ ୫୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ନାମିବ୍ୟା ୪ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା। ଏହାର ଜବାବରେ ନେପାଳ ଦଳ ୧୯ ଓଭରରେ ୧୮୬ ରନ୍ କରିବାକୁ ସମର୍ଥ ହୋଇଥିଲା। ଏହି ତ୍ରିରାଷ୍ଟ୍ରୀୟ ଟି-୨୦ ଟୁର୍ଣ୍ଣାମେଣ୍ଟର ତୃତୀୟ ଦଳ ହେଉଛି ନେଦରଲ୍ୟାଣ୍ଡସ୍ ।