କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପାଇଁ ପୁଣି ଦାବି କଲେ ମୁଖ୍ୟମନ୍ତ୍ରୀ | News Room Odisha

କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପାଇଁ ପୁଣି ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବି କରି ପୁଣି ଥରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ୮ ଲକ୍ଷ ତୋଳାଳି, ବନ୍ଧାଳି ଓ କର୍ମଚାରୀଙ୍କ ପାଇଁ କେନ୍ଦୁପତ୍ର ହେଉଛି ଅର୍ଥନୈତିକ ମେରୁଦଣ୍ଡ । ରାଜ୍ୟରେ ମୁଖ୍ୟତଃ ଆଦିବାସୀମାନେ ଏହି କାର୍ଯ୍ୟରେ ନିୟୋଜିତ ଥାଆନ୍ତି । ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ ଆଇନ ୨୦୦୬ ଆଧାରରେ ଆଦିବାସୀ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି ।

କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଆଦାୟ ହେଉଛି । ଏହା ସିଧାସଳଖ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳିଙ୍କ ସାମାଜିକ ସୁରକ୍ଷାକୁ ପ୍ରଭାବିତ କରୁଛି । ତେଣୁ କେନ୍ଦୁପତ୍ର ତୋଳାଳିଙ୍କ ସମୂହ ସ୍ବାର୍ଥ ପାଇଁ କେନ୍ଦୁପତ୍ର ଉପରୁ ସଂପୂର୍ଣ୍ଣ ଜିଏସଟି ଛାଡ କରିବାକୁ ଦାବି ଦୋହରାଇଛନ୍ତି ନବୀନ । ଏହାପୂର୍ବରୁ ଗତବର୍ଷ ନଭେମ୍ବର ୨୫ ତାରିଖରେ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ। ସଂସଦରେ ମଧ୍ୟ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପାଇଁ ବିଜେଡି ସାଂସଦମାନେ ଦାବି କରିଥିଲେ ।